ବନ୍ଧୁକଧାରୀ କବ୍‌ଜାରେ ପୂରା ପରିବାର, ବଲାଙ୍ଗୀରରେ ୬ ଘଣ୍ଟାର ମୁଣ୍ଡ ଜାମିନ୍‌ ନାଟକ

ପୁଲିସ ଅପରେସନ ପରେ ଯୁବକ କାବୁ, ଖସିବାକୁ ଚଳାଇଲା ଦୁଇରାଉଣ୍ଡ ଗୁଳି

ବଲାଙ୍ଗୀର: ବଲାଙ୍ଗୀର ସହରରେ ବନ୍ଧୁକଧାରୀଙ୍କ ଆତଙ୍କରାଜ୍। ଶାନ୍ତିପଡ଼ାର ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ଏକ ଘରକୁ ବନ୍ଧୁକଧାରୀ ଯୁବକ ପଶି ଖେଳାଇଥିଲା ଆତଙ୍କ। ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗନ୍‌ପଏଣ୍ଟରେ ରଖିଥିଲା। ପୁଲିସ ୬ ଘଣ୍ଟାର ଅପରେସନ ଚଳାଇଥିଲା। ପ୍ରଥମେ ଅଗ୍ନିଶମ ବିଭାଗ ସହାୟତାରେ ପରିବାର ସମସ୍ତ ତିନିଜଣ ସଦସ୍ୟଙ୍କୁ ଉଦ୍ଧାର କରିବା ପରେ ବନ୍ଧୁକଧାରୀ ଯୁବକକୁ କାବୁ କରିଥିଲା। ଆତଙ୍କ ଖେଳାଇଥିବା ଏହି ଯୁବକ ଜଣକ ସହରର ତାଲପାଲିପଡ଼ାର ବିକ୍ରମ ପଣ୍ଡା ବୋଲି ପୁଲିସ ସୂଚନା ଦେଇଛି। ବିକ୍ରମ ପ୍ରଥମେ ନିଜ ଦେହକୁ ଗୁଳି ମାରିହେବାକୁ କହି ପୁଲିସକୁ ଧମକଚମକ ଦେଇଥିଲା। ଏହାପରେ ଯୁବକ ଖସିବାକୁ ଦୁଇରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲା। ତୃତୀୟ ରାଉଣ୍ଡ ଗୁଳି ଚଳାଇବାକୁ ପ୍ରସ୍ତୁତ ହେଉଥିବା ସମୟରେ ପୁଲିସ ମାଡ଼ି ବସି ତାକୁ କାବୁ କରିଥିବା ଏସ୍‌ପି ନିତିନ କୁଶଲକର କହିଛନ୍ତି। ଏହି ପୂରା ହାଇଡ୍ରାମା ସକାଳ ପ୍ରାୟ ସାଢ଼େ ୮ଟାରୁ ଆରମ୍ଭ ହୋଇ ଅପରାହ୍ଣ ୩ଟା ଯାଏ ଚାଲିଥିଲା। ଯୁବକକୁ ଟାଉନ ଥାନାରେ ଅଟକ ରଖି ପଚରାଉଚରା ଜାରି ରହିଛି। ପୁଲିସ ତା’ଠାରୁ ବନ୍ଧୁକ ଜବତ କରିଛି।

ଆଜି ସକାଳ ପ୍ରାୟ ସାଢ଼େ ୮ରେ ଶାନ୍ତିପଡ଼ାର ଦିବ୍ୟଲୋଚନ ହୋତାଙ୍କ ଘରକୁ ବନ୍ଧୁକଧାରୀ ଯୁବକ ପଶିଥିଲା। ଦିବ୍ୟଲୋଚନ ଘରେ ପୂଜା କରୁଥିଲେ। ଘରକୁ ଗ୍ୟାସ ବାଲା ଆସିଥିବ ଭାବି କବାଟ ଖୋଲିଥିଲେ। ଯୁବକ ଜଣକ ଘରକୁ ପଶୁ ପଶୁ ଦିବ୍ୟଲୋଚନଙ୍କ ପୁଅର ମୁଣ୍ଡ ଉପରେ ବନ୍ଧୁକ ରଖି ଭୟଭୀତ କରିଥିଲା। ଭାଣିଜୀଙ୍କୁ ଡାକିବାକୁ କହି ଦିବ୍ୟଲୋଚନଙ୍କୁ ଧମକାଇଥିଲା। କୌଣସି ପ୍ରକାରେ ଦିବ୍ୟଲୋଚନ, ତାଙ୍କ ସ୍ତ୍ରୀ ଓ ପୁଅ ଘର ଭିତର ଏକ କୋଠରିକୁ ପଶି କବାଟ ଭିତରୁ ଲକ୍‌ କରି ରହିଯାଇଥିଲେ। ଉପର ମହଲାରେ ଘର ଥିବାବେଳେ ବାଟ କୋଠରିରେ ଯୁବକ ଜଣକ ମୁଖ୍ୟ ଗେଟକୁ ଭିତର ପଟୁ ଲକ୍‌ କରି ବନ୍ଧୁକ ଧରି ଚେୟାର ପକାଇ ବସିଥିଲା। ପରିବାରବର୍ଗ ଭୟଭୀତ ହୋଇ ପୁଲିସ ପିସିଆର୍‌କୁ ଫୋନ୍‌ରେ କହିବା ସହ ସେହି ଘର ଅନ୍ୟପଟେ ଥିବା ତାଙ୍କ ଭାଇଙ୍କୁ ଖବର ଦେଇଥିଲେ। ଏହାପରେ ପିସିଆର୍‌ ପହଞ୍ଚିଥିଲା। ପରେ ପରେ ଏସ୍‌ଡିପିଓ ତୋଫାନ ବାଗ ଓ ଟାଉନ ଥାନା ଆଇଆଇସି କେ. ପ୍ରିୟଙ୍କା ରାଉତରାୟ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଦିବ୍ୟଲୋଚନଙ୍କ ସଂପର୍କୀୟ ଭାଣିଜୀ ପାଇଁ ବିକ୍ରମ ଏଭଳି କାଣ୍ଡ କରିଥିବା ପ୍ରାଥମିକ ଅନୁସନ୍ଧାନରୁ ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ପୁଲିସ ତାକୁ ବୁଝାଇବାକୁ ବହୁ ଚେଷ୍ଟା କରିଥିଲା। କିନ୍ତୁ ବିକ୍ରମ ପୁଲିସକୁ ଚେତାବନୀ ଦେଇଥିଲା-ଯିଏ ଭିତରକୁ ପଶିବାକୁ ଉଦ୍ୟମ କରିବ ତାକୁ ଗୁଳି ମାରିବ , ନହେଲେ ସେ ନିଜ ଦେହରେ ଗୁଳି ଚଳାଇବ। ପୁଲିସ ବିକ୍ରମର ସଂପୂର୍ଣ୍ଣ ଠିକଣା ପାଇ ତା’ର ଭାଇକୁ ଡକାଇଥିଲା। ହେଲେ ସେ ତା’ର ଭାଇର କଥା ବି ଶୁଣିନଥିଲା। ପରେ ତାର ମା ଓ ସାଙ୍ଗସାଥୀମାନଙ୍କୁ ଡକାଇଥିଲା। ଏପରିକି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ତାକୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ କାହା କଥା ଶୁଣିନଥିଲା।

ଏହାପରେ ପୁଲିସ ଅପରେସନକୁ ଜୋରଦାର କରିଥିଲା। ଘଟଣାସ୍ଥଳକୁ ଏସ୍‌ପି ନିତିନ କୁଶଲକର ପହଞ୍ଚିଥିଲେ। ନିଜେ ଯାଇ ବୁଝାଇଥିଲେ। ହ୍ୱାଟସ୍‌ଆପ୍‌ରେ କଥାବାର୍ତ୍ତା ହୋଇଥିଲେ। କାହା କଥା ଶୁଣିନଥିଲା ବିକ୍ରମ। ରାଗରେ କେବଳ ଗୁଳିମାରିଦେବ କିମ୍ବା ନିଜେ ଆତ୍ମହତ୍ୟା କରିବ ବୋଲି ଧମକ ଦେଇ ଧରିଥିବା ମାଉଜର ନିଜପଟକୁ କରିଥିଲା। ଗାଳିଗୁଲଜ ଚଳାଇଥିଲା। ଏପଟେ ବିକ୍ରମ ସହ ପୁଲିସ ବିଭିନ୍ନ ପର୍ଯ୍ୟାୟରେ କଥାବାର୍ତ୍ତା ଜାରି ରଖିଥିବାବେଳେ ଅନ୍ୟପଟେ ଏସ୍‌ଡିପିଓ ତୋଫାନ ବାଗ ବୁଲେଟ୍‌ପ୍ରୁଫ୍‌ ଜାକେଟ ଲଗାଇ ଏକ ଟିମ ସହିତ ଘରର ପଛପଟ ଝରକା ଦେଇ ଉପରକୁ ଚଢ଼ିଥିଲେ। ଘରେ ବନ୍ଧକ ଥିବା ୩ ଜଣଙ୍କୁ ଜଣେ ପରେ ଜଣଙ୍କୁ ରଶିରେ ତଳକୁ ଓହ୍ଲାଇଥିଲେ। ଘର ଭିତରୁ ଶବ୍ଦ ହେଉଥିବା

ଜାଣିବାରୁ ଅନ୍ୟ କୋଠରିରେ ଥିବା ବିକ୍ରମ ସନ୍ଦେହ କରି ଅପରାହ୍ନ ୧୨ଟା ୫ମି. ସମୟରେ ଫାଙ୍କା ଗୁଳିଚାଳନା କରିଥିଲା। ଏହାପରେ ପୁଲିସ ଟିମ୍‌ ଉଭୟ ପଟରୁ ଏକାସଙ୍ଗରେ କାବୁ କରିବାକୁ ଯୋଜନା କରିଥିଲେ। ଅପରାହ୍ଣ ୨ଟା ୧୫ମି ସମୟରେ ଆଉ ଏକ ଫାଙ୍କା ଗୁଳିଚାଳନା କରିଥିଲା ଓ ଆଉ ଏକ ଗୁଳି ଲୋଡ଼ କରିବାକୁ ପ୍ରସ୍ତୁତ ହେଉହେଉ ପୁଲିସ ମୁଖ୍ୟ ଦ୍ୱାରରେ କବାଟକୁ ଜୋର୍‌ରେ ମାଡ଼ ମାରିଥିଲା ଓ ଅନ୍ୟପଟରୁ ଏସ୍‌ଡିପିଓ ଶ୍ରୀ ବାଗ ମାଡ଼ି ବସିଥିଲେ। ଯୁବକ ହାତରୁ ପ୍ରଥମେ ବନ୍ଧୁକ ଛଡ଼ାଇ ନେଇଥିଲେ। ବିକ୍ରମକୁ ବାହାରକୁ ଅଣାଯାଇ ଟାଉନ ଥାନାକୁ ନିଆଯାଇଥିଲା। ଥାନାରେ ଯୁବକକୁ ପଚରାଉଚରା ଚାଲିଛି। ଜଣେ ଝିଅକୁ ସେ ଭଲପାଉଥିବା ବେଳେ ତାର ମାମୁ ଘରେ ଲୁଚାଇ ରଖିଥିବା ସନ୍ଦେହ କରି ସେ ବନ୍ଧୁକ ଧରି ପଶିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛି।

ଏହି ଅପରେସନରେ ଏସ୍‌ପି ନିତିନ କୁଶଲକର, ଏସ୍‌ଡିପିଓ ତୋଫାନ ବାଗ, ଟାଉନ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ, ପିସିଆର୍‌ ଟିମ୍‌, ୨ପ୍ଲାଟୁନ ଏପିଆର୍‌ ଫୋର୍ସ, ଅଗ୍ନିଶମ ବାହିନୀ ସାମିଲ ଥିଲେ। ଏସ୍‌ପି ନିତିନ କୁଶଳକର କହିଛନ୍ତି, ପୂରା ଅପରେସନରେ ପରିବାର ସଦସ୍ୟଙ୍କୁ ପ୍ରଥମେ ଉଦ୍ଧାର କରିବାକୁ ଯୋଜନା ହୋଇଥିଲା। ତାପରେ ବନ୍ଧୁକଧାରୀ ଯୁବକକୁ କେମିତି ସୁରକ୍ଷିତ ଭାବରେ ବାହାର କରାଯିବ ସେଥିପାଇଁ ମଧ୍ୟ ଯୋଜନା କରାଯାଇଥିଲା । ଏସ୍‌ଡିପିଓ ଓ ଆଇଆଇସିଙ୍କ ନେତୃତ୍ୱରେ ଅପରେସନ ସଫଳ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର