ନକଲି ଔଷଧ କାରବାର ପ୍ରସଙ୍ଗ, ଚଢ଼ଉ ପାଇଁ ନକ୍ସା ପ୍ରସ୍ତୁତ

କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ସ୍ବତନ୍ତ୍ର ଟିମ୍‌ ଗଠନ, ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ବିଚାରବିମର୍ଶ

ଭୁବ‌ନେଶ୍ବର: ନକଲି ଔଷଧ କାରବାରର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ସରକାର ଦାୟିତ୍ବ ଦେବା ପରେ ତନାଘନା ଆରମ୍ଭ ହୋଇଛି। ଏଥିପାଇଁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍ (ସ୍ବତନ୍ତ୍ର ଟାସ୍କ ଫୋର୍ସ) ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ଆଜି ଡ୍ରଗ୍‌ସ୍‌ କଣ୍ଟ୍ରୋଲର ଓ ତାଙ୍କ ଟିମ୍‌ ଏସ୍‌ଟିଏଫ୍‌ର ଏହି ସ୍ବତନ୍ତ୍ର ଟିମ୍‌ ସହ ପ୍ରାୟ ଦେଢ଼ଘଣ୍ଟା ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଚଢ଼ଉ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଓଡ଼ିଶା ସମେତ ରାଜ୍ୟ ବାହାରେ ଚଢ଼ଉ ପାଇଁ ଯୋଜନା ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ସୀମାନ୍ତ ଜିଲ୍ଲାର ପ୍ରମୁଖ ସହର ଏବଂ ତିନିଟି ‌ପଡ଼ୋଶୀ ରାଜ୍ୟରେ ଚଢ଼ଉ ହେବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଏ ନେଇ ଡିଜିପି ଶ୍ରୀ ଅଭୟ କହିଛନ୍ତି ଯେ ନକଲି ଔଷଧ କାରବାରର ଆମୂଳଚୂଳ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ବରିଷ୍ଠ ତଥା ଅଭିଜ୍ଞ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ମଧ୍ୟ ଆଜି ବିଚାରବିମର୍ଶ କରାଯାଇଛି। ପରବର୍ତ୍ତୀ ପଦକ୍ଷେପ କଣ ହେବ ସେ ନେଇ ଯୋଜନା ହୋଇ ସାରିଛି। ଖୁବ୍ ଶୀଘ୍ର ତଦନ୍ତର ଫଳାଫଳ ସମ୍ପର୍କରେ ସୂଚନା ଦିଆଯିବ।

ଅନ୍ୟପକ୍ଷରେ ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ ଆମେ କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗରେ ଅଛୁ। ତଦନ୍ତରେ ଯାହା କ୍ରାଇମ୍‌ବ୍ରାଞ୍ଚ ଆବଶ୍ୟକ କରିବ ଆମେ ସହଯୋଗ କରିବାକୁ ପ୍ରସ୍ତୁତ। ଆଜି କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆମେ କ୍ରାଇମ୍‌ବ୍ରାଞ୍ଚକୁ ଦେଇଛୁ। ତଦନ୍ତ ଚାଲିଥିବାରୁ ଏ ବାବଦରେ ଅଧିକ କିଛି କହି ହେବ ନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ହାତୀ ଦାନ୍ତ ଚୋରା ଚାଲାଣ, ପୁରାତନ ଅଷ୍ଟଧାତୁ ମୂର୍ତ୍ତି ଚୋରା କାରବାର, ବ୍ରାଉନ୍‌ସୁଗାର ବେପାର, ବଜ୍ରକାପ୍ତା ଚୋରା ଚାଲାଣ, ବାଘ ଛାଲ ବେପାର ପ୍ରଭୃତି ପ୍ରସଙ୍ଗର ଏବେ ଏସ୍‌ଟିଏଫ୍‌ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର