ମହିଳା ଉଦ୍ୟୋଗୀଙ୍କ ଡିଜିଟାଲ୍‌ ଅଭିଯାନ ‘ୱିସେୟାର’

ଭୁବନେଶ୍ବର: ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ମହିଳା ଉଦ୍ୟୋଗୀ କମିଟି (ଆଇଡବ୍ଲୁଇସି) ପକ୍ଷରୁ ୱିସେୟାର ନାମକ ଏକ ଡିଜିଟାଲ୍ ଅଭିଯାନ ଆରମ୍ଭ କରାଯାଇଛି। ଆଜି ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପ ଓ ଏମ୍ଏସ୍‌ଏମ୍ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହାର ଶୁଭାରମ୍ଭ କରିଛନ୍ତି। କରୋନା ମହାମାରୀ ସମୟରେ ପ୍ରଭାବିତ ହୋଇଥିବା ବ୍ୟବସାୟର ମାଲିକ ଓ କ୍ଷୁଦ୍ର ସଂସ୍ଥା ନିକଟରେ ପହଞ୍ଚି ସେମାନଙ୍କୁ ସାହାଯ୍ୟ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଏହି ଅବସରରେ ଶ୍ରୀ ମିଶ୍ର କହିଛନ୍ତି ଯେ ଓଡ଼ିଶାରେ ସୁଯୋଗର ଭଣ୍ଡାର ରହିଛି। ଖଣି ଓ ଇସ୍ପାତ ଶିଳ୍ପରେ ନିବେଶ କରିବାକୁ ଚାହୁଥିବା ବିଶ୍ବର କୌଣସି ନିବେଶକ ଓଡ଼ିଶାକୁ ଅ‌ଣଦେଖା କରିପାରିବେ ନାହିଁ। ରାଜ୍ୟର ଦୂରଦୂରାନ୍ତ ଅଞ୍ଚଳରେ ଥିବା ମହିଳା ଉଦ୍ୟୋଗୀମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଉତ୍ପାଦକୁ ବିଶ୍ବସ୍ତରରେ ପହଞ୍ଚାଇବା ଲାଗି ଉଦ୍ୟମ କରିବାକୁ ସେ ଆଇସିସିକୁ ଆହ୍ବାନ ଦେଇଛନ୍ତି। ୱିସେୟାର ଅଭିଯାନରେ ରିହାତି ଓ ଅଫର ଭଳି ସୁବିଧା ପ୍ରଦାନ କରାଯିବ। ଏବିଷୟରେ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର କରାଯିବ। ସେହିପରି ପ୍ରିପେଡ୍ ଅଭିଯାନର ମଧ୍ୟ ବ୍ୟବସ୍ଥା ରହିଛି।

ଏଥିରେ ଗ୍ରାହକମାନେ ଜୁଲାଇ ୧୫ ସୁଦ୍ଧା ପେମେଣ୍ଟ୍‌ କରି ସେହି ଲାଭକୁ ୨୦୨୨ ମାର୍ଚ୍ଚ ୩୧ ମଧ୍ୟରେ ଯେକୌଣସି ସମୟରେ ହାସଲ କରିପାରିବେ। ଏହି ଅଭିଯାନର ଆଉ ଏକ ଅଂଶ ହେଉଛି ଆଇ-ପ୍ଲେଜ୍। ଏଥିରେ ସ୍ଥାନୀୟ ଲୋକମାନଙ୍କ ଠାରୁ କିଣାକିଣି କରିବା ଲାଗି ବ୍ୟକ୍ତିବିଶେଷ ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଆହ୍ବାନ ଦିଆଯାଇଛି। ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ୱିସେୟାରର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି।

ଏହି ଅବସରରେ ଏମ୍ଏସ୍‌ଏମ୍‌ଆଇ-ଡିଆଇର ଯୁଗ୍ମ ନିର୍ଦେଶକ ପି କେ ଗୁପ୍ତା, ଆଇସିସି ଓଡ଼ିଶାର ଅଧ୍ୟକ୍ଷ ଜେ ବି ପାଣି, ଉପାଧ୍ୟକ୍ଷ ମହେନ୍ଦ୍ର ଗୁପ୍ତା, ଆଇଡବ୍ଲୁଇସିର ସଂଯୋଜିକା ସୁକୀର୍ତି ପଟ୍ଟନାୟକ, ସହ ସଂଯୋଜିକା ଡକ୍ଟର ଚିଦାତ୍ମିକା ଖଟୁଆ ଓ ୧୦୦ରୁ ଅଧିକ ମହିଳା ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର