ଋଣ ଶୁଝିବାକୁ ୨୧ ହଜାର କୋଟିର ସମ୍ପତ୍ତି ବିକିବେ ଅନିଲ

ନୂଆଦିଲ୍ଲୀ: ‌ନିଜ ମୁଣ୍ଡ ଉପରେ ଥିବା ଋଣ ବୋଝ ହାଲୁକା କରିବା ଲାଗି ଅନିଲ ଅମ୍ବାନି ନିଜ ପାଖରେ ଥିବା ୨୧ ହଜାର ୭୦୦ କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ସେ ନିଜର ରେଡିଓ ଷ୍ଟେସନ ଠାରୁ ଆରମ୍ଭ କରି ସଡ଼କ ପ୍ରକଳ୍ପ ପର୍ଯ୍ୟନ୍ତ ଅନେକ ସମ୍ପତ୍ତିକୁ ବିକ୍ରି କରିବେ। ଅନିଲଙ୍କ କଂପାନି ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍‌ଚର୍‌ ପାଖରେ ୯ଟି ସଡ଼କ ପ୍ରକଳ୍ପ ରହିଛି ଯାହାକୁ ୯୦୦୦ କୋଟି ଟଙ୍କାରେ ବିକ୍ରି କରାଯିବ। ସେହିପରି ରେଡିଓ ବ୍ୟବସା‌ୟକୁ ବିକ୍ରି କରି ୧୨୦୦ କୋଟି ଟଙ୍କା ହାସଲ କରିବାକୁ ଅନିଲ ଲକ୍ଷ୍ୟ ରଖିଛନ୍ତି। ଏହା ବ୍ୟତୀତ ବିଭିନ୍ନ ଆର୍ଥିକ ସଂସ୍ଥାରେ ତାଙ୍କର ଥିବା ଅଂଶଧନକୁ ବିକ୍ରି କରି ୧୧,୫୦୦ ଟଙ୍କା ପାଇବାକୁ ସେ ଯୋଜନା ପ୍ରସ୍ତୁତ କରିଛନ୍ତି। ଅନିଲଙ୍କ ପାଇଁ ସମ୍ପତ୍ତି ବିକ୍ରି କରିବା କିଛି ନୂଆ କଥା ନୁହେଁ। ତାଙ୍କର ପ୍ରମୁଖ କଂପାନି ରିଲାଏନ୍ସ କମ୍ୟୁନିକେସନ ବନ୍ଦ ହୋଇଯିବା ଦିନଠାରୁ ତାଙ୍କର ଖରାପ ବେଳା ଚାଲିଛି। ଋଣ ବୋଝ ହାଲୁକା କରିବା ପାଇଁ ବିଗତ ୧୪ ମାସରେ ସେ ବିଭିନ୍ନ ସମ୍ପତ୍ତି ବିକ୍ରି କରି ୩୫ ହଜାର ଟଙ୍କା ଶୁଝିଛନ୍ତି। ଏହା ସତ୍ତ୍ବେ ତାଙ୍କର ଅନ୍ୟ ଚାରିଟି କଂପାନି ଉପରେ ଏବେ ୯୩,୯୦୦ କୋଟି ଟଙ୍କାର ଋଣ ବାକି ଅଛି। ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍‌ଚର୍‌ ଉପରେ ୧୭,୮୦୦ କୋଟି ଟଙ୍କା, ରିଲାଏନ୍ସ କ୍ୟାପିଟାଲ୍ ଉପରେ ୩୮,୯୦୦ କୋଟି ଟଙ୍କା, ରିଲାଏନ୍ସ ପାୱାର ଉପରେ ୩୦୦୦୦ କୋଟି ଟଙ୍କା ଓ ରିଲାଏନ୍ସ ନୋଭାଲ୍ ଆଣ୍ଡ୍ ଏନର୍ଜି ଉପରେ ୭୦୦୦ କୋଟି ଟଙ୍କାର ଋଣ ବକେୟା ରହିଛି।

ସମ୍ବନ୍ଧିତ ଖବର