ଭାରତ ଛାଡ଼ିବ ଆ‌ଉ ଏକ ବିଦେଶୀ ବ୍ୟାଙ୍କ, ସପ୍ତାହକ ଭିତରେ ଦ୍ବିତୀୟ ବ୍ୟାଙ୍କ

ନୂଆଦିଲ୍ଲୀ: ବିଶ୍ବର ଅଗ୍ରଣୀ ଆର୍ଥିକ ସଂସ୍ଥା ସିଟି ବ୍ୟାଙ୍କ ଭାରତରେ ଏହାର କ୍ରେଡିଟ୍ କାର୍ଡ ଓ କଞ୍ଜ୍ୟୁମର ବ୍ୟାଙ୍କିଙ୍ଗ୍‌ ବ୍ୟବସାୟ ବନ୍ଦ କରିବ ବୋଲି ଘୋଷଣା କରିବାର ଏକ ସପ୍ତାହ ହୋଇନଥିବା ବେଳେ ଆଉ ଏକ ବିଦେଶୀ ବ୍ୟାଙ୍କ ଭାରତରେ ଏହାର କାରବାର ବନ୍ଦ କରିବାକୁ ଯାଉଛି। ତାହା ହେଉଛି ଦକ୍ଷିଣ ଆଫ୍ରିକାର ଦ୍ବିତୀୟ ବୃହତ୍ତମ ବ୍ୟାଙ୍କ ‘ଫାଷ୍ଟ୍‌ରୢାଣ୍ଡ୍‌ ବ୍ୟାଙ୍କ୍‌’। ଭାରତରେ ଏହା ବିଗତ ୧୨ ବର୍ଷ ଧରି ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଉଥିଲା। ଦକ୍ଷିଣ ଆଫ୍ରିକାର ଏହି ବ୍ୟାଙ୍କ ଭାରତର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ତାହାର ଏକମାତ୍ର ଶାଖା ଖୋଲିଥିଲା। ସେଥିରେ ୫୦ ପାଖାପାଖି କର୍ମଚାରୀ କାର୍ଯ୍ୟ କରୁଛନ୍ତି। ବ୍ୟାଙ୍କ ଏହି ଶାଖାକୁ ବନ୍ଦ କରିବ। ତାହାକୁ ଏକ ରି‌େପ୍ରଜେଣ୍ଟେଟିଭ୍ ଅଫିସରେ ପରିଣତ କରିବ।

ଫାଷ୍ଟ୍‌ରୢାଣ୍ଡ୍‌ ବ୍ୟାଙ୍କ ୨୦୦୯ରେ ଭାରତରେ ଏହାର କାରବାର ଆରମ୍ଭ କରିଥିଲା। ୨୦୧୨ ପରଠାରୁ ଏହା ଗ୍ରାହକ ଏବଂ କ୍ଷୁଦ୍ର ଓ ମଧ୍ୟମ ଧରଣର ସଂସ୍ଥାଗୁଡ଼ିକୁ ଋଣ ଦେବା ଆରମ୍ଭ କରିଥିଲା। ଅଧିକରୁ ଅଧିକ ଶାଖା ଖୋଲି ଭାରତରେ ନିଜର ଉପସ୍ଥିତିକୁ ବଡ଼ କରିବାକୁ ବ୍ୟାଙ୍କ ଯୋଜନା ରଖିଥିଲା। ସିଙ୍ଗାପୁରର ଡିବିଏସ୍‌ ବ୍ୟାଙ୍କ ଓ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ମରିସସ୍‌ ଭଳି ଏହା ଭାରତରେ ବଡ଼ ଧରଣର କାରବାର କରିବାକୁ ଚାହୁଥିଲା। କିନ୍ତୁ ସେହି ଯୋଜନା ସଫଳ ହୋଇନଥିଲା। ବ୍ୟାଙ୍କ ଏହାର ଶାଖା ସଂଖ୍ୟା ବଢ଼ାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଭାରତରେ ଅନାଦେୟ ଋଣ ବା ଏନ୍‌ପିଏ ସମସ୍ୟା ବଢ଼ିବା ଯୋଗୁଁ ବ୍ୟାଙ୍କ ହାତ ଖୋଲି ଋଣ ମଧ୍ୟ ଦେଇପାରିନଥିଲା। ୨୦୧୬ ଅକ୍ଟୋବରରେ ଫାଷ୍ଟ୍‌ରୢାଣ୍ଡ୍‌ ବ୍ୟାଙ୍କ ଏହାର ରଣନୀତିରେ ପରିବର୍ତ୍ତନ ଆଣିଥିଲା।

ସାଧାରଣ ଗ୍ରାହକ ଓ ଏସ୍‌ଏମ୍‌ଇକୁ ଋଣ ଦେବା ପରିବର୍ତେ କର୍ପୋରେଟ୍ ସଂସ୍ଥାକୁ ଋଣ ଦେବା ଏବଂ ଇନ୍‌ଭେ‌ଷ୍ଟ୍‌ମେଣ୍ଟ୍‌ ବ୍ୟାଙ୍କିଙ୍ଗ୍‌ ଉପରେ ଗୁରୁତ୍ବାରୋପ କରିବାକୁ ଏହା ଯୋଜନା ପ୍ରସ୍ତୁତ କରିଥିଲା। ମାତ୍ର ପ୍ରତିଦ୍ବନ୍ଦ୍ବୀଙ୍କ ସହିତ ପ୍ରତିଯୋଗିତାରେ ଆଗରେ ରହି ନପାରିବା, ଲାଭରେ ବୃଦ୍ଧି ନହେବା‌ ଓ କରୋନା ମହାମାରୀ ବ୍ୟାପିବା ପରେ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯିବାରୁ ବ୍ୟାଙ୍କ ଭାରତ ଛାଡ଼ିବା ବିଷୟରେ ବିଚାର କରିଥିଲା। ‌ଦେବାଳିଆ ହୋଇପଡ଼ିଥିବା ଭାରତୀୟ ସଂସ୍ଥା ଆଇଏଲ୍‌ ଆଣ୍ଡ୍‌ ଏଫ୍ଏସ୍‌ରେ ଫାଷ୍ଟ୍‌ରୢାଣ୍ଡ୍‌ ବ୍ୟାଙ୍କର ୩୫ କୋଟି ଟଙ୍କା ଫସି ରହିଛି। ବ୍ୟାଙ୍କର ହିସାବ ଖାତା ଅନୁଶୀଳନରୁ ଜଣାପଡ଼ିଛି ଯେ ଫାଷ୍ଟ୍‌ରୢାଣ୍ଡ୍‌ ବ୍ୟାଙ୍କର ମୋଟ କାରବାର ୨୦୨୦ ମାର୍ଚ୍ଚ ସୁଦ୍ଧା ୪୨୦ କୋଟି ଟଙ୍କା ଥିଲା।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ସିଟି ବ୍ୟାଙ୍କ ଭାରତ ସମେତ ବିଶ୍ବର ୧୩ଟି ରାଷ୍ଟ୍ରରେ ଏହାର କଞ୍ଜ୍ୟୁମର ବ୍ୟାଙ୍କିଙ୍ଗ୍‌ ବ୍ୟବସାୟ ବନ୍ଦ କରିବା ବିଷୟରେ ଘୋଷଣା କରିଥିଲା। ଭାରତରେ କଂପାନି ଏହାର କ୍ରେଡିଟ୍ କାର୍ଡ ବ୍ୟବସାୟକୁ ବିକ୍ରି କରିବାକୁ ଯୋଜନା ରଖିଛି। ତାହାକୁ କିଣିବା ଲାଗି ସ୍ଥାନୀୟ ଆର୍ଥିକ ସଂସ୍ଥାଗୁଡ଼ିକ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି।

ବିଦେଶୀ ଅଧିକ ବିଫଳ

କେବଳ ସିଟି ବ୍ୟାଙ୍କ କିମ୍ବା ଫାଷ୍ଟ୍‌ରୢାଣ୍ଡ୍‌ ବ୍ୟାଙ୍କ ନୁହେଁ ଏହା‌ ପୂର୍ବରୁ ଅନେକ ବିଦେଶୀ ବ୍ୟାଙ୍କ ଭାରତ ପାଇଁ ଦେଖିଥିବା ସ୍ବପ୍ନ ପୂରଣ କରିପାରିନାହାନ୍ତି। କିଛି ବ୍ୟାଙ୍କ ଅଧାରୁ ପଳାୟନ କରିଥିବା ବେଳେ ଆଉ କିଛି ବ୍ୟାଙ୍କ ନିଜର କାରବାରକୁ ସଙ୍କୁଚିତ କରିବାକୁ ବାଧ୍ୟ ହୋଇଛନ୍ତି।
8ରୟାଲ୍ ବ୍ୟାଙ୍କ ଅଫ୍‌ ସ୍କଟ୍‌ଲ୍ୟାଣ୍ଡ୍‌ ଭାରତରେ ଏହାର କର୍ପୋରେଟ୍, ରିଟେଲ୍‌ ଓ ସଂସ୍ଥାଗତ କାରବାର ଓ ୧୦ଟି ରିଟେଲ୍‌ ଶାଖା ବନ୍ଦ କରିବାକୁ ଗତ ମେ’ରେ ନିଷ୍ପତ୍ତି ନେଇଥିଲା।
8ବ୍ରିଟେନ୍‌ର ବୃହତ୍ତମ ବ୍ୟାଙ୍କ ବାର୍‌କ୍ଲେ ଭାରତରେ ଥିବା ଏହାର କ୍ୟାସ୍‌ ଇକ୍ବିଟି ଡିଭିଜନ୍‌କୁ ବନ୍ଦ କରିଛି। ଭାରତ ସମେତ ଏସିଆର ବିଭିନ୍ନ ଦେଶ ପାଇଁ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଛି।
8୨୦୧୫ରେ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ପିଏଲ୍‌ସି ଭାରତରେ ଏହାର ଇକ୍ବିଟି ବ୍ୟବସାୟକୁ ବନ୍ଦ କରିଥିଲା। ଏହା ପୂର୍ବରୁ ଏହି ବ୍ୟାଙ୍କ କ୍ୟାସ୍‌ ଇକ୍ବିଟି, ଇକ୍ବିଟି ଗବେଷଣା ଓ ଇକ୍ବିଟି ପୁଞ୍ଜି ପରିଚାଳନା କ୍ଷେତ୍ରରେ ସକ୍ରିୟ ଥିଲା।
8ବ୍ରିଟେନ୍‌ର ଆଉ ଏକ ବ୍ୟାଙ୍କ ଏଚ୍‌ଏସ୍‌ବିସି ହୋଲ୍‌ଡିଂସ୍‌ ଭାରତରେ ଥିବା ୫୦ଟି ଶାଖା ମଧ୍ୟରୁ ୨୪ଟି ଶାଖାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହା ଏବେ କେବଳ ଡିଜିଟାଲ୍ ମାଧ୍ୟମରେ ରିଟେଲ୍ ଋଣ ଉପରେ ଗୁରୁତ୍ବାରୋପ କରିବ।
8 ସିଟି ବ୍ୟାଙ୍କ ଭାରତରେ ଏହାର ୧୦% ଶାଖା ବନ୍ଦ କରିବ। କାରଣ ବ୍ୟାଙ୍କର ଅଧିକାଂଶ ଗ୍ରାହକ ଡିଜିଟାଲ୍ କାରବାର କରୁଛନ୍ତି।

ସମ୍ବନ୍ଧିତ ଖବର