ବ୍ୟାକ୍‌ପ୍ୟାକ୍‌ ଏକ ଆବଶ୍ୟକତା

୭୦୦୦ କୋଟି ଟଙ୍କାର ବଜାର : ଦାମ୍‌ ୨୫୦-୩୦୦ ଟଙ୍କାରୁ ଆରମ୍ଭ

ଭୁବନେଶ୍ବର: ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମାଜର ବିଭିନ୍ନ ବର୍ଗ ଦ୍ବାରା ଗ୍ରହଣୀୟ ହୋଇଛି ବ୍ୟାକ୍‌ପ୍ୟାକ୍। ବାଇକ୍‌ ଚାଳକଙ୍କ ଠାରୁ ଆରମ୍ଭ କରି ଆଇଟି କଂପାନିଗୁଡ଼ିକରେ କାର୍ଯ୍ୟ କରୁଥିବା ପ୍ରଫେସନାଲ୍‌ଙ୍କ ପର୍ଯ୍ୟନ୍ତ ଅନେକ ବର୍ଗର ଲୋକମାନେ ଏହାକୁ ବ୍ୟବହାର କରୁଛନ୍ତି। ଉଭୟ ପୁରୁଷ ଓ ମହିଳାଙ୍କ ଦ୍ବାରା ଏହା ସମାନ ଭାବେ ଗ୍ରହଣୀୟ ହୋଇଛି। ଷ୍ଟାଇଲ୍‌ ଦୃଷ୍ଟି‌ରୁ ବ୍ୟାକ୍‌ପ୍ୟାକ୍ ବେଶ ଆକର୍ଷଣୀୟ ହୋଇଥିବା ବେଳେ ବ୍ୟକ୍ତିତ୍ବ ବିକାଶରେ ମଧ୍ୟ ସହାୟକ ହେଉଛି। କର୍ମକ୍ଷେତ୍ରରେ ଥିବା ଲୋକମାନଙ୍କୁ ଅନେକ ସ୍ଥାନ ଯାତ୍ରା କରିବାକୁ ପଡ଼ୁଥିବାରୁ ମୋବାଇଲ୍‌, ଚାର୍ଜର, ବ୍ୟାଟେରି, ଲାପ୍‌ଟପ୍, ଟାବ୍, ପାୱାର ବ୍ୟାଙ୍କ ଆଦିକୁ ସେମାନେ ସବୁ ବେଳେ ନିଜ ପାଖରେ ରଖିବାକୁ ପସନ୍ଦ କରୁଛନ୍ତି।

ଏହି ସବୁ ଜିନିଷ ନେବା ଲାଗି ପେସାରେ ସକ୍ରିୟ ଥିବା ଲୋକମାନେ ବ୍ୟାକ୍‌ପ୍ୟାକ୍ ବ୍ୟବହାର କରିବାକୁ ଭୁଲନ୍ତି ନାହିଁ। ଜିନ୍, ଟି-ସାର୍ଟ ପିନ୍ଧୁଥିବା ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ଫର୍ମାଲ୍ ଓ କାଜୁଆଲ୍ ପୋଷାକ ପରିଧାନ କରୁଥିବା କର୍ପୋରେଟ୍ ଜଗତର ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଲୋକମାନଙ୍କ ଦ୍ବାରା ବ୍ୟାକ୍‌ପ୍ୟାକ୍ ଗ୍ରହଣୀୟ ହେବା ପରେ ଏଗୁଡ଼ିକୁ ତିଆରି କରୁଥିବା ସଂସ୍ଥାଗୁଡ଼ିକ ଯୁବବର୍ଗ ଓ ବିଭିନ୍ନ ବୟସ ବର୍ଗର ପୁରୁଷ ଓ ମହିଳାଙ୍କ ରୁଚିକୁ ନଜରରେ ରଖି ଷ୍ଟାଇଲିସ୍‌ ବ୍ୟାକ୍‌ପ୍ୟାକ୍ ତିଆରି କରୁଛନ୍ତି। ବ୍ୟାକ୍‌ପ୍ୟାକ୍ ଏବେ ଷ୍ଟାଇଲ୍‌ ନୁହେଁ ଏକ ବଡ଼ ଆବଶ୍ୟକତା ଭାବେ ଉଭା ହୋଇଛି। ବ୍ୟାଗ୍‌ ଓ ବ୍ୟାକ୍‌ପ୍ୟାକ୍ ବଜାର ଉଭୟ ସଂଗଠିତ ଓ ଅଣ-ସଂଗଠିତ କ୍ଷେତ୍ର ନିୟନ୍ତ୍ରଣରେ ରହିଛି। ସ୍ଥାନୀୟ ବଜାର ଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍ ଓ ସ୍ବତନ୍ତ୍ର ଷ୍ଟୋର୍‌ରେ ବ୍ୟାକ୍‌ପ୍ୟାକ୍ ବିକ୍ରି ହେଉଛି। ବଜାରରେ ବ୍ୟାକ୍‌ପ୍ୟାକ୍, ବ୍ୟାଗ୍‌, ଲାପ୍‌ଟପ୍ ବ୍ୟାଗ୍, ସ୍କୁଲ୍‌ ବ୍ୟାଗ୍‌, ମେସେଞ୍ଜର ଓ ସ୍ଲିଙ୍ଗ୍‌ ବ୍ୟାଗ୍‌, ଜିମ୍ ବ୍ୟାଗ୍, ବ୍ରିଫ୍‌କେସ୍‌, ବେବି ଓ ଡାଇପର୍‌ ବ୍ୟାଗ୍‌ ଓ ୱେଷ୍ଟ୍‌ ବ୍ୟାଗ୍ ଭଳି ବିଭିନ୍ନ ପ୍ରକାର ବ୍ୟାଗ୍‌ ବିକ୍ରି ହେଉଛି। ଟ୍ରେଣ୍ଡି ଓ ଷ୍ଟାଇଲିସ୍‌ ହୋଇଥିବାରୁ ବ୍ୟାକ୍‌ପ୍ୟାକ୍‌ର ଗ୍ରହଣୀୟତା ଅଧିକ ରହିଛି।

କେଉଁଥି‌ରେ ତିଆରି : ବ୍ୟାକ୍‌ପ୍ୟାକ୍‌ଗୁଡ଼ିକୁ ବିଭିନ୍ନ ଉପାଦାନରେ ତିଆରି କରାଯାଉଛି। କାନ୍‌ଭାସ୍‌, ଫ୍ୟାବ୍ରିକ୍, ଚମଡ଼ା, ଧାତବ, ନାଇଲନ୍, ପଲିକାର୍ବୋନେଟ୍, ପଲିଷ୍ଟର, ପଲିପ୍ରୋପେଲିନ୍, ସିନ୍ଥେଟିକ୍ ଓ ଏବିଏସ୍‌ ଉପାଦାନକୁ ବ୍ୟବହାର କରି ବ୍ୟାକ୍‌ପ୍ୟାକ୍ ତିଆରି କରାଯାଉଛି। ଚମଡ଼ା ବ୍ୟାକ୍‌ପ୍ୟାକ୍ ସମ୍ଭାନ୍ତ ଲୁକ୍ ପ୍ରଦାନ କରୁଥିବା ବେଳେ ସେଗୁଡ଼ିକର ଦାମ୍ ଅଧିକ ରହୁଛି। ଗ୍ରାହକମାନେ ନିଜ ଆବଶ୍ୟକତା ଅନୁସାରେ ୱାଟର୍‌ପ୍ରୁଫ୍ ଓ ୱାଟର ରେଜିଷ୍ଟାନ୍ସ ବ୍ୟାକ୍‌ପ୍ୟାକ୍ ମଧ୍ୟ କିଣୁଛନ୍ତି।
ଅନେକ ବ୍ରାଣ୍ଡ୍‌ : ବ୍ରାଣ୍ଡେଡ୍ ବ୍ୟାକ୍‌ପ୍ୟାକ୍ ବଜାରରେ ଗ୍ରାହକମାନଙ୍କ ପାଇଁ ଅନେକ ବ୍ରାଣ୍ଡ୍‌ର ବିକଳ୍ପ ରହିଛି। ସେଗୁଡ଼ିକ ହେଉଛି ଆମେରିକାନ୍ ଟୁରିଷ୍ଟର୍‌, ସଫାରି, ୱାଇଲ୍‌କ୍ରାଫ୍ଟ, ଗିୟର, କିଲର୍‌, ଏଫ୍-ଗିୟର, ସ୍କାଏବ୍ୟାଗସ୍‌, ପୋଲିସ, ଟମି ହିଲ୍‌ଫାଇଜର୍‌, ପୁମା, ଏମ୍‌ଆଇ, ଆରିଷ୍ଟ୍ରୋକ୍ରାଟ୍, ସ୍ବିସ୍‌ ମିଲିଟାରି, ନିଭିଆ, ନାଇକ୍, ଲାଭି ସ୍ପୋର୍ଟ, କ୍ବେଚା, ଫାଷ୍ଟ୍‌ଟ୍ରାକ୍, ଚୁମ୍ବକ୍, ବାର୍ବି, ଲାଭି, ସ୍ପାଇଡର୍‌ମ୍ୟାନ୍, ଟାରଗ୍‌ସ୍‌, ଡିଜ୍‌ନି, ୟୁନାଇଟେଡ୍‌ କଲର୍‌ ଅଫ୍ ବେନେଟନ୍, ଭାନ୍ ହୁସେନ୍, ୟୁଏସ୍‌ ପୋଲୋ ଆସୋସିଏସନ୍, ଆଡିଡାସ୍‌, ମାର୍ଭେଲ୍, କାପ୍ରିଜ୍, ସ୍ବିସ୍‌ ଗିୟର, ରିବକ୍, ଲି, କ୍ରସ୍‌, ସାମ୍‌ସୋନାଇଟ୍, ଭିଆଇପି, ଫସିଲ୍‌, ହାଇଡ୍‌ଡିଜାଇନ୍, କ୍ୟାଟ୍‌, ରେଡ୍‌ ଟେପ୍, ଲିଭାଇସ୍‌, ଆଲେନ୍‌ ସୋଲି, କିଲର, ହାଇ ସିଏରା, କଲମ୍ବିଆ, କାର୍ଲଟନ୍, ଉଡ୍‌ଲ୍ୟାଣ୍ଡ୍‌, କ୍ୟାମ୍ପସ୍‌ ସୂତ୍ର, ଲୋଟୋ, କାର୍ପ ଆଭେନ୍ୟୁ, ସ୍ପାଏକର୍‌, ଫେରାରି, କେଲ୍‌ଭିନ୍ କ୍ଲେନ୍, ଫିଲା, ଟିମ୍ବର ଲ୍ୟାଣ୍ଡ୍, ଡିଜେଲ୍‌ ଓ ଗେସ୍ ଇତ୍ୟାଦି।
କେଉଁଠି ମିଳୁଛି : ଗ୍ରାହକମାନେ ବ୍ୟାକ୍‌ପ୍ୟାକ୍‌କୁ ଅନ୍‌ଲାଇନ୍‌ରେ କିମ୍ବା ସ୍ଥାନୀୟ ଅଞ୍ଚଳରେ ଥିବା ବଜାରରୁ କିଣିପାରିବେ। ରାଜ୍ୟରେ ଥିବା ପ୍ରାୟ ସମସ୍ତ ସ୍ଥାନୀୟ ବଜାର, ବ୍ରାଣ୍ଡେଡ୍‌ କଂପାନିଗୁଡ଼ିକର ସୋ’ରୁମ୍, ମଲ୍‌, ମଲ୍‌ଟି ବ୍ରାଣ୍ଡ୍ ପୋଷାକ ଷ୍ଟୋର୍‌, ସୁପର୍‌ ମାର୍କେଟ୍‌, ହାଇପର୍‌ ମାର୍କେଟ୍‌ ଆଦିରୁ ଗ୍ରାହକମାନେ ବ୍ୟାକ୍‌ପ୍ୟାକ୍ କିଣିପାରିବେ। ମଲ୍‌ଗୁଡ଼ିକ‌ରେ କେବଳ ବ୍ୟାଗ୍‌ ପାଇଁ ସ୍ବତନ୍ତ୍ର ଦୋକାନ ରହିଛି। ସେହିପରି ଲଗେଜ୍‌ କ୍ଷେତ୍ରର ପ୍ରତିଷ୍ଠିତ କଂପାନି ମଧ୍ୟ ନିଜସ୍ବ ସ୍ବତନ୍ତ୍ର ଷ୍ଟୋର୍‌ ଖୋଲିଛନ୍ତି ଯେଉଁଥିରେ ବ୍ୟାକ୍‌ପ୍ୟାକ୍‌ର ଏକ ସ୍ବତନ୍ତ୍ର ଗ୍ୟାଲେରି ରହୁଛି।

ଦାମ୍‌ ୨୫୦-୩୦୦ ଟଙ୍କାରୁ ଆରମ୍ଭ :
ଅନ୍‌ଲାଇନ୍‌ରେ ଗ୍ରାହକମାନେ ୨୫୦ ଟଙ୍କା ଭଳି କମ୍ ଦାମ୍‌ରେ ମଧ୍ୟ ବ୍ୟାକ୍‌ପ୍ୟାକ୍ କିଣିପାରିବେ। ସେହିପରି ଅଣ-ସଂଗଠିତ ବଜାରରୁ ମଧ୍ୟ ଏଭଳି କମ୍ ଦାମ୍‌ରେ କିଣିହେବ। ବ୍ରାଣ୍ଡ୍‌ ପସନ୍ଦ କରୁଥିବା ଗ୍ରାହକମାନେ ୧୦୦୦ ଟଙ୍କା ଭଳି କମ୍ ମୂଲ୍ୟରେ ବ୍ୟାକ୍‌ପ୍ୟାକ୍ କିଣିପାରିବେ। ବଜାରରେ ୨୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ବ୍ୟାକ୍‌ପ୍ୟାକ୍ ମଧ୍ୟ ରହିଛି। କିନ୍ତୁ ୧୦୦୦-୨୫୦୦ ଟଙ୍କା ପର୍ଯ୍ୟନ୍ତର ବ୍ୟାକ୍‌ପ୍ୟାକ୍ ଲୋକମାନଙ୍କ ଦ୍ବାରା ଅଧିଗ୍ରହଣୀୟ ହୋଇଛି।
୭୦୦୦ କୋଟି ଟଙ୍କାର ବଜାର :
ୟୁରୋ ମନିଟର ଇଣ୍ଟରନ୍ୟାସନାଲ୍ ରିପୋର୍ଟ ଅନୁସାରେ ୨୦୧୯ରେ ଭାରତର ଲଗେଜ୍‌ ବଜାର ୮୪୯୫ କୋଟି ଟଙ୍କା ଭଳି ବିଶାଳ ଆକାର ଥିଲା। ୨୦୨୦ରେ ସେଥିରେ ଅବନତି ହୋଇଛି। ଏହି ବଜାରର ମୂଲ୍ୟ ୭୩୦୫ କୋଟି ଟଙ୍କା ଭଳି ସ୍ତରକୁ ଖସିଆସିଛି। କରୋନା ମହାମାରୀ ପ୍ରଭାବ ଓ ୱାର୍କ ଫ୍ରମ୍ ହୋମ୍ କର୍ମ ସଂସ୍କୃତି ଯୋଗୁଁ ବ୍ୟାକ୍‌ପ୍ୟାକ୍‌ର ଆବଶ୍ୟକତା ହ୍ରାସ ପାଇଥିଲା। କିଛି ମାସ ହେଲାଣି ଅର୍ଥନୀତିରେ ସୁଧାର ହେଉଥିବାରୁ ପୁଣି ଥରେ ଲଗେଜ୍ ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ଲଗେଜ୍‌ ହେଉଛି ଏକ ବହୁତ ବଡ଼ ବଜାର ଯେଉଁଥିରେ ଗମନାଗମନ ଓ ଯାତାୟାତ ଆବଶ୍ୟକତା ପାଇଁ ବଡ଼ ବଜାର ଠାରୁ ଆରମ୍ଭ କରି ବ୍ୟାକ୍‌ପ୍ୟାକ୍ ଭଳି ଦୈନନ୍ଦିନ ଆବଶ୍ୟକତାର ସାମଗ୍ରୀ ରହିଛି। ୨୦୧୭ରେ କେବଳ ବ୍ୟାକ୍‌ପ୍ୟାକ୍‌ର ବଜାର ୬୦୦ କୋଟି ଟଙ୍କା ସ୍ତରରେ ଥିଲା। ପ୍ରତିବର୍ଷ ଏହା ୩୦% ହାରରେ ଆଗକୁ ବଢ଼ୁଥିଲା।

ସମ୍ବନ୍ଧିତ ଖବର