ବନ୍ଦ ହେବ ବ୍ୟାଙ୍କ ଚେକ୍‌!

ଏଥର କେବଳ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ

ନୂଆଦିଲ୍ଲୀ: ପାଞ୍ଚ ଶହ ଓ ହଜାରେ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିବାର ପ୍ରାୟ ବର୍ଷକ ପରେ ମୋଦି ସରକାର ଆଉ ଏକ ବିବାଦୀୟ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ନୋଟ୍‌ ଅଚଳର ପ୍ରତିକୂଳ ପ୍ରଭାବରୁ ଅର୍ଥନୀତି ସଳଖି ଠିଆ ହୋଇ ନଥିବା ବେଳେ ସରକାର ନିକଟ ଭବିଷ୍ୟତରେ ବ୍ୟାଙ୍କ ଚେକ୍‌ ବ୍ୟବସ୍ଥା ବନ୍ଦ କରିଦେଇପାରନ୍ତି। ଏଭଳି ଆଶଙ୍କାକୁ ନେଇ ଏବେ ଗଣମାଧ୍ୟମରେ

ଚର୍ଚା ଆରମ୍ଭ ହୋଇଗଲାଣି। ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ଲାଗି ସରକାର ଏହି ପଦକ୍ଷେପ ନେବେ ବୋଲି କୁହାଯାଉଛି। ତେବେ ଚେକ୍‌ ବହିକୁ ବନ୍ଦ କରିଲେ ବ୍ୟବସାୟୀମାନେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବେ। କାରଣ ବ୍ୟବସାୟ ଏବଂ ଉଦ୍ୟୋଗଜଗତ ସବୁଠୁ ଅଧିକ ଆର୍ଥିକ କାରବାର ବ୍ୟାଙ୍କ ଚେକ୍‌ ମାଧ୍ୟମରେ ହିଁ କରିଥାନ୍ତି। ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ ବ୍ୟବସାୟୀମାନେ ସେମାନଙ୍କର ପ୍ରାୟ ୯୫ ପ୍ରତିଶତ ଆର୍ଥିକ କାରବାର ନଗଦ ଅର୍ଥ ଓ ଚେକ୍‌ ମାଧ୍ୟମରେ କରିଥାନ୍ତି। ବିମୁଦ୍ରାକରଣ ପରେ ନଗଦ ଅର୍ଥ କାରବାର ହ୍ରାସ ପାଇଥିବାରୁ ଚେକ୍‌ରେ କାରବାର ବୃଦ୍ଧି ପାଇଛି। ଏତଦ୍‌ବ୍ୟତୀତ ଦେଶର କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଉଦ୍ୟୋଗ ଗୁଡ଼ିକ ଚେକ୍‌ରେ କାରବାର କରିବାକୁ ପସନ୍ଦ କରିଥାନ୍ତି। ଏମାନେ ବିଭିନ୍ନ କ୍ରେତାଙ୍କୁ ସାମଗ୍ରୀ ବିକ୍ରି କରିବା ସମୟରେ ସେମାନଙ୍କଠାରୁ ପୋଷ୍ଟ ଡେଟେଡ୍‌ ଚେକ୍‌ (ପିଡିସି) ନେଇଥାନ୍ତି। ଫଳରେ ସାମଗ୍ରୀ ବିକ୍ରେତା କ୍ରେତାଙ୍କଠାରୁ ଅର୍ଥ ମିଳିବାକୁ ନିଶ୍ଚିତ କରିପାରିଥାଏ। ସେହିଭଳି ଲୋକମାନେ ଘର ଓ ଅନ୍ୟାନ୍ୟ ମୂଲ୍ୟବାନ ସମ୍ପତ୍ତି କିଣିବା ସମୟରେ ମଧ୍ୟ ବିକ୍ରେତାଙ୍କୁ ଚେକ୍‌ ପ୍ରଦାନ କରିଥାନ୍ତି। ଅଧିକାଂଶ ଘର ମାଲିକ ଭଡ଼ାଟିଆଙ୍କଠାରୁ ଚେକ୍‌ରେ ମାସିକ ଘରଭଡ଼ା ନେଇଥାନ୍ତି। ଡିଜିଟାଲ କାରବାର ପାଇଁ ସରକାର ଭିମ୍‌ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଇଥିଲେ ମଧ୍ୟ ମୋଟା ଅଙ୍କର କାରବାର ପାଇଁ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଅନ୍ୟ ଲୋକମାନେ ଚେକ୍‌ରେ କାରବାରକୁ ଉତ୍ତମ ବିବେଚନା କରିଥାନ୍ତି। ତେଣୁ ଏସବୁ ବର୍ଗର ଲୋକମାନେ ଏବେ ଅସୁବିଧାର ସମ୍ମୁଖୀନ ହେବେ।

ଚେକ୍‌ ବହି ପରିବର୍ତ୍ତେ ସରକାର ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ କାରବାରକୁ ପ୍ରୋତ୍ସାହିତ କରିବା ଉଚିତ ବୋଲି ସରକାରୀ ଅଧିକାରୀମାନେ ଚିନ୍ତା କରୁଛନ୍ତି। ସରକାର ନୋଟ ଛାପିବା ଲାଗି ୨୫ ହଜାର କୋଟି ଖର୍ଚ କରୁଛନ୍ତି। ଏହାର ନିରାପତ୍ତା ଏବଂ ପରିବହନ ଲା୦ଗି ଆଉ ୬ ହଜାର କୋଟି ଟଙ୍କା ଖର୍ଚ କରୁଛନ୍ତି। ଅନ୍ୟପକ୍ଷରେ ଡେବିଟ୍‌ କାର୍ଡ ଓ କ୍ରେଡିଟ୍‌ କାର୍ଡରେ ପେମେଣ୍ଟ ସମୟରେ ବ୍ୟାଙ୍କଗୁଡ଼ିକ ଚାର୍ଜ ଆଦାୟ କରୁଛନ୍ତି। ସରକାର ଏ କ୍ଷେତ୍ରରେ ରିହାତି ଦେବା ଆବଶ୍ୟକ। ସରକାର ବ୍ୟାଙ୍କଗୁଡ଼ିକୁ ସିଧାସଳଖ ରିହାତି ପ୍ରଦାନ କରିଲେ ଏହି ଚାର୍ଜକୁ ଗ୍ରାହକଙ୍କଠାରୁ ବ୍ୟାଙ୍କ ଗୁଡ଼ିକ ଆଦାୟ କରିବେ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସରକାରୀ ଚେକ୍‌ରେ ଆର୍ଥିକ କାରବାରକୁ କମାଇ ଦେଲେ ଦେଶରେ ଡିଜିଟାଲ କାରବାର ବୃଦ୍ଧି ନେଇ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ହାସଲ କରିବା ସହଜ ବୋଲି ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର