ବ୍ୟାଙ୍କ କର୍ମଚାରୀଙ୍କ ବେତନ ୧୫% ବୃଦ୍ଧି ନେଇ ସହମତି, ପିଛିଲା ଭାବେ ୨୦୧୭ ନଭେମ୍ବରରୁ ଲାଗୁ ହେବ

ଆଇବିଏ-ବ୍ୟାଙ୍କ କର୍ମଚାରୀ/ଅଫିସର ସଂଘ ମଧ୍ୟରେ ଏମ୍‌ଓୟୁ
୯୦ ଦିନ ଭିତରେ ଦ୍ବିପାକ୍ଷିକ ସମାଧାନ ପାଇଁ ପ୍ରୟାସ ହେବ

ଭୁବନେଶ୍ବର : ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନଙ୍କ ବେତନ ଓ ଭତ୍ତାରେ ୧୫% ବୃଦ୍ଧି କରାଯିବା ନେଇ ସହମତି ହୋଇଛି। ଆଜି ସର୍ବଭାରତୀୟ ସ୍ତରରେ ଏନେଇ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଓ କର୍ମଚାରୀ/ଅଧିକାରୀମାନଙ୍କ ସଂଘ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଆସନ୍ତା ୯୦ ଦିନ ଭିତରେ ବୁଝାମଣାକୁ କାର୍ଯ୍ୟକାରୀ କରିବା ଲାଗି ଉଦ୍ୟମ କରିବାକୁ ନିଷ୍ପତ୍ତି ହୋଇଛି। ଆଇବିଏ ହେଉଛି ବ୍ୟାଙ୍କ ପରିଚାଳନା କରୁଥିବା କର୍ତ୍ତୃପକ୍ଷଙ୍କ ସଂଘ। ଏହା କର୍ମଚାରୀ ଓ ଅଫିସର ସଂଘଗୁଡ଼ିକ ସହ ନିୟମିତ ବ୍ୟବଧାନରେ ଆଲୋଚନା କରି ସମସ୍ୟାଗୁଡ଼ିକର ସମାଧାନ କରିଥାଏ। ବ୍ୟାଙ୍କ କର୍ମଚାରୀଙ୍କ ବେତନକୁ ନେଇ ଦୀର୍ଘଦିନରୁ ଆଲୋଚନା ହେଉଥିଲେ ମଧ୍ୟ ସମାଧାନର ବାଟ ବାହାରୁନଥିଲା। ତେବେ ଆଜି ସ୍ବାକ୍ଷରିତ ହୋଇଥିବା ବୁଝାମଣା ଅନୁଯାୟୀ, କର୍ମଚାରୀଙ୍କ ବେତନରେ ୧୫% ବୃଦ୍ଧି କରିବା ନେଇ ସହମତି ହୋଇଛି। ଏହି ନିଷ୍ପତ୍ତିକୁ ୨୦୧୭ ନଭେମ୍ବରରୁ ପିଛିଲା ଭାବେ ଲାଗୁ କରାଯିବ। ବେତନ ବୃଦ୍ଧି ହେଲେ ବ୍ୟାଙ୍କଗୁଡ଼ିକୁ ୭୮୯୮ କୋଟି ଟଙ୍କାର ଆର୍ଥିକ ବୋଝ ମୁଣ୍ଡାଇବାକୁ ପଡ଼ିବ। କିଛିଦିନ ଭିତରେ କର୍ମଚାରୀମାନଙ୍କ ନୂଆ ପେ’ ସ୍କେଲ୍‌ ନିର୍ଧାରଣ କରାଯିବ। ଅଫିସରଙ୍କ ଦରମା କେତେ ଓ କର୍ମଚାରୀଙ୍କ ଦରମା କେତେ ବଢ଼ିବ ତାହା ଆଲୋଚନା ମାଧ୍ୟମରେ ଧାର୍ଯ୍ୟ କରାଯିବ। ସରକାରୀ ବ୍ୟାଙ୍କଗୁଡ଼ିକରେ ପ୍ରଦର୍ଶନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଲାଗୁ କରିବାକୁ ଆଇବିଏସ ଓ କର୍ମଚାରୀ ସଂଘଗୁଡ଼ିକ ମଧ୍ୟରେ ସହମତି ପ୍ରକାଶ ପାଇଛି। ବେତନ ବାହାରେ ପିଏଲ୍‌ଆଇ ପ୍ରଦାନ କରାଯିବ। ଏହି ବ୍ୟବସ୍ଥା ୨୦୨୦-୨୧ ଆର୍ଥିକ ବର୍ଷରୁ ଲାଗୁ କରାଯିବ। ଏନ୍‌ପିଏସ୍‌ ଫଣ୍ଡ୍‌ରେ କର୍ମଚାରୀଙ୍କ ଯୋଗଦାନକୁ ୧୦%ରୁ ବଢ଼ାଇ ୧୪% କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର