ବ୍ୟାଙ୍କ ଠକେଇ: ଭିଡିଓକନ୍‌ ମୁଖ୍ୟଙ୍କୁ ନେଇ ଚର୍ଚା

ମୁଁ ଭାରତରେ ଅଛି: କଂପାନି ମୁଖ୍ୟ

ନୂଆଦିଲ୍ଲୀ: ଭିଡିଓକନ୍‌ ଗ୍ରୁପ୍‌ର ମୁଖ୍ୟ ବେଣୁ ଗୋପାଳ ଧୁତ୍‌ ଦେଶ ଛାଡ଼ି ଚାଲିଥିବା ନେଇ ଆଜି ଗୁଜବ ପ୍ରଚାର ହୋଇଛି। ହ୍ଵାଟସ୍‌ଆପ୍‌ରେ ଏହି ମେସେଜ ଭାଇରାଲ୍‌ ହୋଇଥିଲା। ଏହା ଜାଣିବା ପରେ ଶ୍ରୀ ଧୁତ୍‌ ଗଣମାଧ୍ୟମକୁ ଜଣାଇଛନ୍ତି ଯେ ମୁଁ ଦେଶ ଭିତରେ ରହିଛି।ଭିଡିଓକନ୍‌ର ବିଭିନ୍ନ ସଂସ୍ଥା ଉପରେ ୨୦ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି। ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହେବା ପୂର୍ବରୁ ସେ ଦେଶ ଛାଡ଼ି ପଳାଇଛନ୍ତି ବୋଲି ଗୁଜବ ପ୍ରଚାର ହୋଇଥିଲା। ଶ୍ରୀ ଧୁତ୍‌ ଏହାକୁ ଏକ ଗୁଜବ ବୋଲି କହିବା ସହିତ ଜଣାଇଛନ୍ତି ଯେ, ମୁଁ ଭାରତରେ ଅଛି। ଦେଶ ବାହାରକୁ ଯିବାର ମୋର କୌଣସି ଅଭିପ୍ରାୟ ନାହିଁ। ମୁଁ ଏଠାରେ ବହୁତ ଭଲରେ ଅଛି ଏବଂ ମୁଁ ବିଗତ ପାଞ୍ଚ ବର୍ଷ ହେଲାଣି ବିଦେଶ ଯାଇନାହିଁ। ବ୍ୟାଙ୍କଗୁଡ଼ିକର ଯେଉଁ ଋଣ ବକେୟା ରହିଛି ସେ ବିଷୟରେ ଧୁତ୍‌ କହିଛନ୍ତି ଯେ ପ୍ରତିଟି ଟଙ୍କା ମୁଁ ଶୁଝିବାକୁ ପ୍ରୟାସ କରିବି। ନିଜର ବିଭିନ୍ନ ସମ୍ପତ୍ତିକୁ ବିକ୍ରି କରି ବ୍ୟାଙ୍କ ଋଣ ଶୁଝିବା ପାଇଁ ସେ ଆର୍ଥିକ ବିଶେଷଜ୍ଞଙ୍କ ଏକ ଟିମ୍‌ ନିଯୁକ୍ତ କରିଥିବା କହିଛନ୍ତି। ବ୍ରାଜିଲ୍‌ରେ ଥିବା ତୈଳ କାରବାରକୁ ବିକ୍ରି କରି ସେ ଋଣ ଶୁଝିବା ପାଇଁ ଅର୍ଥ ଯୋଗାଡ଼ କରିବାକୁ ଯୋଜନା ରଖିଛନ୍ତି। ଭାରତ ପେଟ୍ରୋଲିୟମ୍‌ ସହିତ ମିଶି ବ୍ରାଜିଲ୍‌ର ଏକ ତୈଳ ସଂସ୍ଥା ସହିତ ଭିଡିଓକନ୍‌ ଯୌଥ ଉଦ୍ୟୋଗ ସ୍ଥାପନ କରିଥିଲା। ସେହି ଉଦ୍ୟୋଗରେ ଭିଡିଓକନ୍‌ ଏବଂ ଭାରତ ପେଟ୍ରୋଲିୟମ୍‌ର ମିଳିତ ଭାବେ ୨୦% ଅଂଶଧନ ରହିଛି। ବିପୁଳ ପରିମାଣର ଋଣ ନେଇ ପରିଶୋଧ କରୁନଥିବା ଖିଲାପୀଙ୍କ ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଯେଉଁ ଦ୍ୱିତୀୟ ତାଲିକା ପ୍ରକାଶ କରିଥିଲା ସେଥିରେ ଭିଡିଓକନ୍‌ର ନାମ ରହିଛି। ଯୋଜନା ଅନୁଯାୟୀ ଋଣ ପରିଶୋଧ ନହେବାରୁ ଚଳିତ ବର୍ଷର ପ୍ରଥମ ସପ୍ତାହରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ଭିଡିଓକନ୍‌ ମାମଲାକୁ ଦେବାଳିଆ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା। ଏବେ ଏହି ମାମଲା ନ୍ୟାସନାଲ୍‌ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି) ପାଖରେ ପହଞ୍ଚିଛି।

ଜବତ ହେଲାଣି ୭୧୦୦ କୋଟିର ସମ୍ପତ୍ତି
ନୂଆଦିଲ୍ଲୀ : ବ୍ୟାଙ୍କ ଠକେଇ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବିଗତ ଦୁଇ ମାସରେ ୭୧୦୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ୨୩୪ ଚଢ଼ଉ ଜରିଆରେ ଏହି ସବୁ ସମ୍ପତ୍ତି ଜବତ କରାଯାଇଛି। ଲୋକସଭାରେ ଉତ୍ତର ରଖି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା କହିଛନ୍ତି ଯେ, ବିଗତ ତିନି ବର୍ଷ ଭିତରେ ଇଡି ପକ୍ଷରୁ ୬୦୫ଟି ମନି ଲଣ୍ଡରିଂ ମାମଲା ଦାୟର କରାଯାଇଛି ଏବଂ ୨୭,୯୮୨ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି।

୬୮ କମ୍ପାନିର ପ୍ରକୃତ ମାଲିକ କିଏ?
ନୂଆଦିଲ୍ଲୀ: ବିମୁଦ୍ରାକରଣ ସମୟରେ ବିପୁଳ ପରିମାଣର ଟଙ୍କା ଜମା ଏବଂ ଉଠାଣ କରିଥିବା ୬୮ଟି କଂପାନିର ପ୍ରକୃତ ମାଲିକ କିଏ ତାହା ସରକାର ଜାଣିବାକୁ ଚାହୁଁଛନ୍ତି। ଏହି ସବୁ କଂପାନିର ମାଲିକଙ୍କୁ ଖୋଜିବା ପାଇଁ ସରକାର ତଦନ୍ତ ନିର୍ଦେଶ ଦେଇଛନ୍ତି ବୋଲି କର୍ପୋରେଟ୍‌ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ପି ପି ଚୌଧୁରୀ କହିଛନ୍ତି। ବିମୁଦ୍ରାକରଣ ପରେ ଜାଲ କଂପାନିଗୁଡ଼ିକ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ନିଷ୍କ୍ରିୟ ଥିବା ୨ ଲକ୍ଷ ୨୬ ହଜାର କଂପାନିର ପଞ୍ଜୀକରଣକୁ ରଦ୍ଦ କରାଯାଇଥିଲା। ଏଥି ସହିତ ୩ ଲକ୍ଷ ନିର୍ଦେଶକଙ୍କ ଉପରେ ମଧ୍ୟ କଟକଣା ଲଗାଯାଇଥିଲା। ସେମାନେ କୌଣସି କଂପାନିର ବୋର୍ଡରେ ସଦସ୍ୟ ଭାବେ ସାମିଲ ହୋଇପାରିବେ ନାହିଁ।

ଜାଣିଶୁଣି ଲକ୍ଷେ ୧୦ ହଜାର କୋଟି ଶୁଝୁନାହାନ୍ତି
ନୂଆଦିଲ୍ଲୀ: ଋଣ ପରିଶୋଧ କରିବାର କ୍ଷମତା ଥିଲେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ ଋଣ ଶୁଝୁନଥିବା ଗ୍ରାହକଙ୍କ ସଂଖ୍ୟା ୧.୭% ବଢ଼ିଛି। ସେମାନେ ସରକାରୀ ବ୍ୟାଙ୍କଠାରୁ ନେଇଥିବା ଏକ ଲକ୍ଷ ୧୦ ହଜାର କୋଟି ଟଙ୍କାର ଋଣ ଜାଣିଶୁଣି ପରିଶୋଧ କରୁନାହାନ୍ତି। ଏଭଳି ଋଣ ଖିଲାପକାରୀଙ୍କ ସଂଖ୍ୟା ହେଉଛି ୯,୦୬୩। ବ୍ୟାଙ୍କଗୁଡ଼ିକ ପକ୍ଷରୁ ଉଦ୍ଦେଶ୍ୟମୂଳକ ଋଣ ଖିଲାପୀଙ୍କ ବିରୋଧରେ ୨୧୦୮ଟି ମାମଲା ଦାୟର କରାଯାଇଛି। ସେମାନଙ୍କଠାରୁ ଋଣ ଅର୍ଥ ଆଦାୟ କରିବା ପାଇଁ ୮୪୬୨ଟି ସୁଟ୍‌ ଦାୟର ହୋଇଛି। ୬୯୬୨ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରାଯାଇଛି ବୋଲି ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ସରକାରୀ ବ୍ୟାଙ୍କଗୁଡ଼ିକ ପକ୍ଷରୁ ବିଗତ ପାଞ୍ଚ ବର୍ଷ ଭିତରେ ୨,୩୦,୨୮୭ କୋଟି ଟଙ୍କାର ଋଣକୁ ବାଲାନ୍‌ସ ସିଟ୍‌ରୁ ବାଦ ଦିଆଯାଇଛି।

ସମ୍ବନ୍ଧିତ ଖବର