ନୂଆଦିଲ୍ଲୀ: ସଂସଦୀୟ କମିଟି ପକ୍ଷରୁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍ ରାଜନ୍ଙ୍କୁ ଡକାଯାଇଛି। ଦେଶରେ ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ (ଏନ୍ପିଏ) ବୃଦ୍ଧିକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେ ସମ୍ପର୍କରେ ସଂସଦୀୟ କମିଟିକୁ ରାଜନ୍ ପରାମର୍ଶ ଦେବେ। ବିଜେପି ନେତା ମୁରଲୀ ମନୋହର ଯୋଶୀଙ୍କ ଅଧ୍ୟକ୍ଷତାରେ ଗଠିତ ଏଷ୍ଟିମେଟ୍ କମିଟିରେ ରାଜନ୍ ହାଜର ହେବେ। ଏନ୍ପିଏ ସଙ୍କଟକୁ ଚିହ୍ନଟ କରିିବା ଏବଂ ଏହାର ସମାଧାନ ପାଇଁ ଉଦ୍ୟମ କରିବାରେ ରାଜନ୍ଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ସଂସଦୀୟ କମିଟିରେ ହାଜର ହେବାବେଳେ ପୂର୍ବତନ ମୁଖ୍ୟ ଆର୍ଥିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍ ଉପରୋକ୍ତ ତଥ୍ୟ ଦେବା ସହିତ ରାଜନ୍ଙ୍କର ଢେର୍ ପ୍ରଶଂସା କରିଛନ୍ତି। ଯାହାଫଳରେ କମିଟି ଅଧ୍ୟକ୍ଷ ଶ୍ରୀ ଯୋଶୀ ରାଜନ୍ଙ୍କୁ ଆସିବା ପାଇଁ ଚିଠି ଲେଖିଛନ୍ତି। ଦେଶରେ ବର୍ଦ୍ଧିତ ଏନ୍ପିଏ ସମ୍ପର୍କରେ ଶ୍ରୀ ରାଜନ୍ କମିଟିର ସଦସ୍ୟମାନଙ୍କୁ ଅବଗତ କରାଇବେ। ଏନ୍ପିଏ ପ୍ରସଙ୍ଗରେ ପୂର୍ବରୁ ଶ୍ରୀ ସୁବ୍ରମଣ୍ୟନ୍ଙ୍କ ସମେତ ଅର୍ଥ ସଚିବ ହସମୁଖ ଅଧିଆ ଓ କେତେକ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନଙ୍କୁ ପଚରାଉଚରା କରିସାରିଛନ୍ତି। ଏହି ଅବସରରେ ବଡ଼ ଶିଳ୍ପପତିମାନଙ୍କୁ ମୋଟା ଅଙ୍କର ଋଣ ରାଶି କିଭଳି ମଞ୍ଜୁର ହୋଇଛି ସେ ନେଇ ବ୍ୟାଙ୍କ ବୋର୍ଡ ବୈଠକର ତଥ୍ୟର ଖୋଳତାଡ଼ କମିଟିର ସଦସ୍ୟମାନେ କରିଥିଲେ। ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ପାଇଁ ଏବେ ଏନ୍ପିଏ ମୁଣ୍ଡବିନ୍ଧାର କାରଣ ପାଲଟିଛି। ୨୦୧୭ ଡିସେମ୍ବର ସୁଦ୍ଧା ବ୍ୟାଙ୍କ ଗୁଡ଼ିକର ମୋଟ ଏନ୍ପିଏ ୮.୯୯ ଲକ୍ଷ କୋଟି ଟଙ୍କା ଛୁଇଁଛି।