ନିର୍ବାଚନ ପୂର୍ବରୁ ପ୍ରତ୍ୟର୍ପଣ ସମ୍ଭାବନା କମ୍

ଲଣ୍ଡନ/ନୂଆଦିଲ୍ଲୀ,: ଭାରତରେ ପଳାତକ ଅର୍ଥନୈତିକ ଅପରାଧୀ ଘୋଷିତ ବ୍ୟବସାୟୀ ବିଜୟ ମାଲ୍ୟା ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଦେଶକୁ ଫେରିବା ସମ୍ଭାବନା ଅତ୍ୟନ୍ତ କ୍ଷୀଣ। ଗତ ୩ ତାରିଖରେ ୱେଷ୍ଟମିନିଷ୍ଟର କୋର୍ଟଙ୍କ ପ୍ରତ୍ୟର୍ପଣ ରାୟକୁ ବ୍ରିଟେନର ଗୃହମନ୍ତ୍ରୀ ସାଜିଦ୍ ଜାବିଦ୍ ମଞ୍ଜୁରି ଦେଇଛନ୍ତି। ତେବେ ଏହି ମଞ୍ଜୁରି ବିରୋଧରେ ସେ ଆବେଦନ କରିବେ ବୋଲି କହିଛନ୍ତି। ଏହି ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରିବା ଲାଗି ମାଲ୍ୟାଙ୍କ ହାତରେ ୧୪ଦିନ ସମୟ ରହିଛି। ସୋସିଆଲ ମିଡିଆରେ ମାଲ୍ୟା ଉଚ୍ଚ ଅଦାଲତକୁ ଯିବା ନେଇ ସ୍ପଷ୍ଟ କରିଦେଇଛନ୍ତି। ଗତବର୍ଷ ଡିସେମ୍ବର ୧୦ରେ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ଲାଗି ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ରାୟ ଦେବା ପରେ ମୁଁ ଏହା ବିରୋଧରେ ଆବେଦନ କରିବି ବୋଲି କହିସାରିଛି। ଗୃହମନ୍ତ୍ରୀଙ୍କ ନିକଟରେ ଏହି ଆବେଦନ ପଡ଼ି ରହିଥିବାରୁ ମୁଁ ଉଚ୍ଚ ଅଦାଲତରେ ଆବେଦନ କରି ପାରି ନଥିଲି। କିନ୍ତୁ ଏବେ ମୁଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିବି ବୋଲି ମାଲ୍ୟା ଟ୍ବିଟରରେ କହିଛନ୍ତି।
ମାଲ୍ୟା ଆବେଦନ କରିବା ପରେ ଅଦାଲତ ବିଚାର କରିବେ ଏହି ମାମଲାଙ୍କୁ ଗ୍ରହଣ କରାଯିବ କି ନାହିଁ। ହାଇକୋର୍ଟରେ ବହୁସଂଖ୍ୟାରେ ମାମଲା ପଡ଼ି ରହିଥିବାରୁ ଏହାକୁ ଶୁଣାଣି ପାଇଁ କିଛିମାସ ସମୟ ଲାଗିଯାଇ ପାରେ ଏବଂ ସମସ୍ତ ପ୍ରକ୍ରିୟା ଶେଷ ହେବା ଲାଗି ୫ରୁ ୬ ମାସ ଲାଗିଯାଇପାରେ ବୋଲି ବ୍ରିଟେନର ଆଇନ ଫାର୍ମ ଜୈୱାଲା ଆଣ୍ଡ କୋର ପ୍ରତିଷ୍ଠାତା ତଥା ବରିଷ୍ଠ ପାର୍ଟନର ସରୋସ ଜୈୱାଲା କହିଛନ୍ତି। ତେବେ ଭାରତ ପକ୍ଷରୁ ତ୍ବରିତ ଶୁଣାଣି ପାଇଁ ଆବଦେନ କରାଯାଇ ପାରେ। କିନ୍ତୁ ଅଦାଲତ ଏହାକୁ ଅନୁମତି ଦେବେ ବୋଲି କୁହାଯାଇ ପାରିବ ନାହିଁ। ତ୍ବରିତ ଶୁଣାଣିର କାରଣ ସରକାର କ’ଣ ଦେଖାଉଛନ୍ତି ତାହାକୁ ଦେଖିବାକୁ ପଡ଼ିବ ବୋଲି ସେ କହିଛନ୍ତି। ହାଇକୋର୍ଟର ରାୟ ଆସିବା ପରେ ଉଭୟ ପକ୍ଷ ପୁଣି ସୁପ୍ରିମକୋର୍ଟକୁ ଯାଇପାରନ୍ତି। ସୁପ୍ରିମକୋର୍ଟରେ ଆବେଦନର ଶୁଣାଣି ପାଇଁ ମଧ୍ୟ ଅତିକମ୍‌ରେ ୬ ସପ୍ତାହ ଲାଗିଯାଇପାରେ।

ସମ୍ବନ୍ଧିତ ଖବର