ପଞ୍ଜି ସ୍କିମ୍ ବିରୋଧୀ ବିଲ୍‌ ସଂସଦରେ ଗୃହୀତ

ନୂଆଦିଲ୍ଲୀ: ପଞ୍ଜି ସ୍କିମ୍‌ ନାମରେ ହେଉଥିବା ଠକେଇ ଉପରେ ଲଗାମ କଷିବା ଲାଗି ପ୍ରସ୍ତୁତ କରାଯାଇଥିବା ବିଲ୍‌ ଆଜି ରାଜ୍ୟସଭାରେ ଗୃହୀତ ହୋଇଛି। ଗତ ୨୪ରେ ଏହା ଲୋକସଭାରେ ଅନୁମୋଦିତ ହୋଇଥିଲା। ଏହି ବିଲ୍‌କୁ ନେଇ ରାଜ୍ୟସଭାରେ ଚାଲିଥିବା ବିତର୍କର ଉତ୍ତର ଦେଇ ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଗରିବ ଲୋକମାନଙ୍କ କଷ୍ଟୋପାର୍ଜିତ ଟଙ୍କାକୁ ଏହି ବିଲ୍ ସୁରକ୍ଷା ପ୍ରଦାନ କରିବ। ପଞ୍ଜି ସ୍କିମ୍ ବିରୋଧରେ ଆଇନ ପ୍ରଣୟନ କରିବାକୁ ଏହି ବିଲ୍‌ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରିବ। ‌ବେଆଇନ ଉପାୟରେ ଲୋକମାନଙ୍କ ଠାରୁ ଟଙ୍କା ଆଦାୟ କରି ଠକୁଥିବା ଲୋକ ଓ ସଂସ୍ଥା ପାଇଁ ଏହି ବିଲ୍‌ରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କୁ ୧ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଏବଂ ସେମାନଙ୍କଠାରୁ ୨ ଲକ୍ଷ ଟଙ୍କାରୁ ଆରମ୍ଭ କରି ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିବାକୁ ବିଲ୍‌ରେ ବ୍ୟବସ୍ଥା ରହିଛି। ପଞ୍ଜି ସ୍କିମ୍‌ ଜରିଆରେ ବେଆଇନ ଭାବେ ଟଙ୍କା ସଂଗ୍ରହ କରିଥିବା ସଂସ୍ଥାର ସମ୍ପତ୍ତିକୁ ଜବତ କରିବା ଓ ତାହାକୁ ବିକ୍ରି କରି ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ବିଲ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଏହା ପୂର୍ବରୁ ‘ବେଆଇନ ଜମା ସ୍କିମ୍ ଉପରେ କଟକଣା ବିଲ୍‌ ୨୦୧୮’ ପ୍ରସ୍ତୁତ କରି ଗତ ଫେବ୍ରୁଆରିରେ ତାହାକୁ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। ଲୋକସଭାରେ ବିଲ୍ ପାସ୍‌ ହୋଇ ରାଜ୍ୟସଭାକୁ ଯାଇଥିଲା ଏବଂ ଏହା ପରେ ରାଜ୍ୟସଭା ମୁଲତବୀ ହୋଇଯାଇଥିଲା। ସେହି ବିଲ୍ ସ୍ଥାନରେ ସରକାର ଏକ ଅଧ୍ୟାଦେଶ ଆଣିଥିଲେ। ସେହି ଅଧ୍ୟାଦେଶ ଆଧାରରେ ଏକ ନୂତନ ବିଲ୍‌ ‘ବେଆଇନ ଜମା ସ୍କିମ୍ ଉପରେ କଟକଣା ବିଲ୍‌ ୨୦୧୯’ ପ୍ରସ୍ତୁତ କରାଯାଇଥିଲା। ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି)ରେ ହୋଇଥିବା ସଂଶୋଧନକୁ ମଧ୍ୟ ଆଜି ରାଜ୍ୟସଭାରେ ଅନୁମୋଦନ ପ୍ରଦାନ କରାଯାଇଛି। ଏନ୍‌ସିଏଲ୍‌ଟିକୁ ପଠାଯାଉଥିବା ମାମଲାର ସମାଧାନ ୩୩୦ ଦିନ ଭିତରେ ଶେଷ କରିବାକୁ ବିଲ୍‌ରେ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର