ଅଭିବୃଦ୍ଧିକୁ ନେଇ ମୁହାଁମୁହିଁ

ମନମୋହନ ନାଁ ମୋଦୀଙ୍କ ଅମଳରେ ଅଧିକ?

ନୂଆଦିଲ୍ଲୀ: ଭାରତର ଅର୍ଥନୈତିକ ଅଭିବୃଦ୍ଧି କେଉଁ ସରକାରଙ୍କ ସମୟରେ ଅଧିକ ହୋଇଛି। ନରେନ୍ଦ୍ର ମୋଦୀ ନାଁ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରେ ଜିଡିପି ଅଭିବୃଦ୍ଧି ଅଧିକ ରହିଛି। ଏହାକୁ ନେଇ ସରକାରୀ କଳ ଓ ବିରୋଧୀ ଦଳ ମୁହାଁମୁହିଁ ହେବା ଆରମ୍ଭ ହୋଇଯାଇଛି। କଂଗ୍ରେସ ଦଳ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ମତ ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଅଧିକ ରହିଥିଲା ବୋଲି ଜାତୀୟ ପରିସଂଖ୍ୟାନ କମିସନ୍‌ ପକ୍ଷରୁ ଗଠିତ ସୁଦୀପ୍ତ ମୁଣ୍ଡଲେ କମିଟିର ଆକଳନରେ ତଥ୍ୟ ଉପସ୍ଥାପନ କରାଯାଇଛି। କମିଟିର ରିପୋର୍ଟ ଅନୁଯାୟୀ, ଫାକ୍ଟର କଷ୍ଟ୍‍ ଅନୁଯାୟୀ ୨୦୦୬-୦୭ ଆର୍ଥିକ ବର୍ଷରେ ଦେଶର ବାସ୍ତବ ଜିଡିପି ଅଭିବୃଦ୍ଧି ୧୦.୦୮ ପ୍ରତିଶତ ରହିଥିଲା। ଦେଶରେ ୧୯୯୧ ମସିହାରେ ଆର୍ଥିକ ସଂସ୍କାର ଆରମ୍ଭ ହେବା ପରଠାରୁ ଏହା ଥିଲା ସର୍ବାଧିକ ଅଭିବୃଦ୍ଧି । କିନ୍ତୁ ରେିପୋର୍ଟରେ ଦର୍ଶାଯାଇଛି, ରାଜୀବ ଗାନ୍ଧୀଙ୍କ ଅମଳରେ ୧୯୮୮-୮୯ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ସର୍ବାଧିକ ଅର୍ଥାତ୍‌ ୧୦.୨ ପ୍ରତିଶତ ରହିଥିଲା। ତେବେ ମାର୍କେଟ ପ୍ରାଇସ୍‌ ଅନୁସାରେ ଦେଶର ଜିଡିପି ଅଭିବୃଦ୍ଧି ୨୦୧୦-୧୧ ଆର୍ଥିକ ବର୍ଷରେ ୧୦.୭୮ ପ୍ରତିଶତ ରହିଥିଲା, ଯାହାକି ଏପର୍ଯ୍ୟନ୍ତ ଦେଶ ହାସଲ କରିଥିବା ଜିଡିପି ଅଭିବୃଦ୍ଧି ମଧ୍ୟରେ ସର୍ବାଧିକ। କମିଟି ପକ୍ଷରୁ ୧୯୯୪ରୁ ୨୦୦୪ ପର୍ଯ୍ୟନ୍ତ ସଂଶୋଧିତ ଜିଡିପି ସଂଖ୍ୟା ପ୍ରକାଶ କରାଯାଇଛି। ଜିଡିପି ଆକଳନ ପାଇଁ ମୂଳବର୍ଷକୁ ପରିବର୍ତନ ସହିତ ଅନ୍ତର୍ଜାତୀୟ ମାନ ଅନୁଯାୟୀ ମ୍ୟାନୁଫାକ୍‌ଚରିଂ ଉତ୍ପାଦନ ଆକଳନ ପାଇଁ କର୍ପୋରେଟ୍‌ କ୍ଷେତ୍ରର ହିସାବକୁ ବିଚାରକୁ ନିଆଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ଉପା-୧ ସରକାରଙ୍କ ୫ ବର୍ଷର ଶାସନ ସମୟରେ ହାରାହାରି ଜିଡିପି ଅଭିବୃଦ୍ଧି ମାର୍କେଟ ପ୍ରାଇସ୍‌ରେ ନୂଆ ସିରିଜ୍‌ ଅନୁଯାୟୀ ୮.୩୭ ପ୍ରତିଶତ ରହିଛି। ସେହିଭଳି ଉପା-୨ ସରକାରଙ୍କ ପ୍ରଥମ ୩ ବର୍ଷ (୨୦୧୦ରୁ ୨୦୧୨)ମଧ୍ୟରେ ଦେଶର ହାରାହାରି ଜିଡିପି ଅଭିବୃଦ୍ଧି ୮.୮୬ ପ୍ରତିଶତ ରହିଛି।

ପଞ୍ଚମ ବର୍ଷରେ ମୋଦୀ ସରକାର କରି ଦେଖାନ୍ତୁ: ଚିଦମ୍ବରମ୍‌
ଏହି ରିପୋର୍ଟ ପ୍ରକାଶ ପାଇବା ପରେ କଂଗ୍ରେସ ଦଳ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। କଂଗ୍ରେସ ଏହାର ଟ୍ଵିଟର ହ୍ୟାଣ୍ଡ୍‌ଲରେ କହିଛି, ଉପା ସରକାରଙ୍କର ୧୦ ବର୍ଷର ଅବଧିରେ ଜିଡିପିର ହାରାହାରି ଅଭିବୃଦ୍ଧି ୮.୧ ପ୍ରତିଶତ ଥିବା ବେଳେ ମୋଦୀ ସରକାରଙ୍କ ଅମଳରେ ହାରାହାରି ଅଭିବୃଦ୍ଧି ୭.୩ ପ୍ରତିଶତ ରହିଛି। ଫଳରେ ମୋଦି ସରକାରଙ୍କ ତୁଳନାରେ ଉପା ସରକାର ଅମଳରେ ଅର୍ଥନୀତିର ଅଭିବୃଦ୍ଧି ହାର ଅଧିକ ରହିଛି। ଆଧୁନିକ ଭାରତର ଇତିହାସରେ ଉପା ଅମଳରେ ଦେଶ କେବଳ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିଛି ବୋଲି ଦଳ କହିଛି। ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍‌ ମଧ୍ୟ ଏ ନେଇ ମୋଦୀ ସରକାରଙ୍କୁ ଚାଲେଞ୍ଜ ଦେଇଛନ୍ତି। ଉପା ସରକାରଙ୍କ ଅମଳରେ ହାସଲ ହୋଇଥିବା ଜିଡିପି ଅଭିବୃଦ୍ଧିକୁ ମୋଦୀ ସରକାର ତାଙ୍କର ପଞ୍ଚମ ବର୍ଷରେ କରି ଦେଖାନ୍ତୁ ବୋଲି ଚିଦମ୍ବରମ୍‌ ଚାଲେଞ୍ଜ ଦେଇଛନ୍ତି।

ମୋଦୀ ସରକାରଙ୍କ ଅମଳରେ ଜିଡିପି ଅଧିକ ରହିଛିି: ରାଜୀବ କୁମାର
ଅନ୍ୟପକ୍ଷରେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଆଜି ମୁଣ୍ଡଲେ କମିଟିର ରିପୋର୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଉପା ସରକାରଙ୍କ ଶେଷ ୪ ବର୍ଷ ତୁଳନାରେ ମୋଦି ସରକାରଙ୍କ ପ୍ରଥମ ୪ ବର୍ଷରେ ଭାରତର ଅଭିବୃଦ୍ଧି ଅଧିକ ରହିଛି। ଉପା ସରକାରଙ୍କ ଅମଳରେ ଦେଶର ବ୍ୟାଙ୍କ ଗୁଡ଼ିକର ଏନ୍‌ପିଏ ରାଶି ମାତ୍ରାଧିକ ରହିଥିଲା। ବ୍ୟାଙ୍କ ଗୁଡ଼ିକର ଋଣ ପ୍ରଦାନ ଏଥିଯୋଗୁଁ ବାଧାପ୍ରାପ୍ତ ହୋଇଥିଲା। ଏହାସତ୍ତ୍ୱେ ମୋଦୀ ସରକାର ଉଚ୍ଚ ଅଭିବୃଦ୍ଧି ହାସଲ କରିପାରିଛନ୍ତି। ତେବେ ଭବିଷ୍ୟତରେ ଉଚ୍ଚ ଅଭିବୃଦ୍ଧି ହାସଲ ପାଇଁ ମୋଦୀ ସରକାର ଗତ ୪ ବର୍ଷରେ ଅର୍ଥନୀତିର ମୂଳଦୁଆକୁ ସୁଦୃଢ଼ କରିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର