ଟ୍ରାଇର ସଂଶୋଧିତ ତାରିଫ ବିରୁଦ୍ଧରେ ଟେଲିଭିଜନ ପ୍ରସାରଣକାରୀଙ୍କ ଆବେଦନ ବମ୍ବେ ହାଇକୋର୍ଟରେ ଖାରଜ

ମୁମ୍ବାଇ : ଟେଲିଭିଜନ ପ୍ରସାରଣକାରୀମାନଙ୍କୁ ବମ୍ବେ ହାଇକୋର୍ଟ ଝଟକା ଦେଇଛନ୍ତି । ଭାରତୀୟ ଟେଲିକମ ନିୟାମକ ଟ୍ରାଇର ସଂଶୋଧିତ ତାରିଫ ନିର୍ଦ୍ଦେଶାବଳୀ ବିରୁଦ୍ଧରେ ଟେଲିଭିଜନ ପ୍ରସାରଣକାରୀମାନେ କୋର୍ଟ ଯାଇଥିଲେ । କିନ୍ତୁ କୋର୍ଟରୁ ବିଫଳ ହେବା ପରେ ସେମାନଙ୍କୁ ଆସନ୍ତା କାଲି ସୁଦ୍ଧା ନିଜର ଚ୍ୟାନେଲ ଗୁଡ଼ିକର ସଂଶୋଧିତ ଦରତାଲିକା ଟ୍ରାଇକୁ ପ୍ରଦାନ କରିବାକୁ ହେବ । ଫିଲ୍ମ ଏଣ୍ଡ ଟେଲିଭିଜିନ ପ୍ରଡ୍ୟୁସର୍ସ ଗିଲଡ , ଇଣ୍ଡିଆନ ବ୍ରଡକାଷ୍ଟିଂ ଫାଉଣ୍ଡେସନ ନେତୃତ୍ୱରେ ପ୍ରସାରଣକାରୀମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଟ୍ରାଇ ଦ୍ୱାରା ପ୍ରସ୍ତାବିତ ସଂଶୋଧିତ ନିୟମ ଅନୁସାରେ ୨୦୦ ଟି ଚ୍ୟାନେଲ ପର୍ଯ୍ୟନ୍ତ ନେଟଓ୍ଵର୍କ କାପାସିଟି ଫି (ଏନସିଏଫ)କୁ ୧୩୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଆହୁରି ମଧ୍ୟ ଫି୍ର-ଟୁ-ଏୟାର ଚ୍ୟାନେଲ ଗୁଡ଼ିକୁ ମଧ୍ୟ ଏହି ଚ୍ୟାନେଲ ତାଲିକାରୁ ବାଦ ଦିଆଯାଇଛି । ପୂର୍ବରୁ ଫ୍ରି ଚ୍ୟାନେଲଗୁଡ଼ିକ ଉପରେ ମଧ୍ୟ ଏନସିଏଫ ଆଦାୟ କରାଯାଉଥିଲା । ଏବେ କିନ୍ତୁ ତାହା ସମ୍ଭବ ହେବ ନାହିଁ । ଫଳରେ ଦର୍ଶକଙ୍କ ମାସିକ ଦେୟ ହ୍ରାସ ପାଇବ । ଅନ୍ୟପକ୍ଷରେ ଯେଉଁ ଚ୍ୟାନେଲ ଗୁଡ଼ିକର ଦର ୧୨ ଟଙ୍କାରୁ ଅଧିକ ହେବ ସେଗୁଡ଼ିକୁ ହିଁ କେବଳ ବୁକେ ଗୁଡ଼ିକରେ ସାମିଲ କରିହେବ ।
ଟ୍ରାଇ ପକ୍ଷରୁ ଗତ ବର୍ଷ ମାର୍ଚ୍ଚମାସରେ ନୂଆ ବ୍ରଡକାଷ୍ଟିଂ ଓ କେବୁଲ ଟିଭି ସର୍ଭିସ ବ୍ୟବସ୍ଥା ଲାଗୁ କରିଥିଲା । କିନ୍ତୁ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । କାରଣ ଡିଟିଏଚ୍‌ କମ୍ପାନିମାନେ ଏପରି ପ୍ୟାକେଜ ତିଆରି କଲେ ଯେ ଗ୍ରାହକମାନେ ଅଳ୍ପ ଚ୍ୟାନେଲ ଦେଖିଲେ ମଧ୍ୟ ତାଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ୁଥିଲା । ଆହୁରି ମଧ୍ୟ ଚ୍ୟାନେଲର ମୂଲ୍ୟ ସହ ନେଟଓ୍ଵାର୍କ କାପାସିଟି ଫି ଏବଂ ଜିଏସଟି ଆଦାୟ କରାଯାଉଥିଲା । ଏସବୁକୁ ମିଶାଇଲେ ମାସିକ ବ୍ୟୟ ପୂର୍ବାପେକ୍ଷା ଅଧିକ ବଢିଯାଇଥିଲା ।

ସମ୍ବନ୍ଧିତ ଖବର