ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା: ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ ୨୦୧୯

ଅର୍ଥନୀତିକୁ ଆଗକୁ ନେବା ଲାଗି ପ୍ରେରଣା ଯୋଗାଇବ

ସମ୍ବାଦ ପକ୍ଷରୁ ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା: ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ ୨୦୧୯ ପାଇଁ ଅଭିଯାନ ଗତ କିଛିଦିନ ହେଲା ଆରମ୍ଭ ହୋଇସାରିଛି। ସମ୍ବାଦର ଏହି ପ୍ରୟାସକୁ ରାଜ୍ୟର ପ୍ରତିଷ୍ଠିତ ଉଦ୍ୟୋଗୀ ଓ ବିଶେଷଜ୍ଞମାନେ ଖୁବ୍ ପ୍ରଶଂସା କରୁଛନ୍ତି। ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ(ନାଲ୍‌କୋ) ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଡ. ତପନ କୁମାର ଚାନ୍ଦ ଏହି ପୁରସ୍କାର ସମ୍ପର୍କରେ ଯାହା କୁହନ୍ତି…

ପ୍ରଶ୍ନ: ପୁରସ୍କାରକୁ ନେଇ ଆପଣଙ୍କ ମତ କ’ଣ?
ଉତ୍ତର: ବ୍ୟବସାୟର ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ସଂସ୍ଥା ଗୁଡ଼ିକୁ ସ୍ବୀକୃତି ଦେବା ପାଇଁ ବ୍ରାଣ୍ଡ୍‌ସ୍‌ ଅଫ୍ ଓଡ଼ିଶା ଆୱାର୍ଡ ଏକ ବିଶ୍ବସନୀୟ ପ୍ଲାଟଫର୍ମ ହୋଇପାରିଛି। ବ୍ୟବସାୟରେ ଅଭୂଲା ଛାପ ଛାଡ଼ିଥିବା ଏବଂ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିଥିବା ବ୍ୟକ୍ତିମାନଙ୍କୁ ଏହି ପୁରସ୍କାରରେ ସାମିଲ କରିବା ଲାଗି ପଦକ୍ଷେପ ନିଆଯାଇଛି। ଓଡ଼ିଶା ଓ ଭାରତର ଏକ ଅତ୍ୟନ୍ତ ପ୍ରଭାବଶାଳୀ ବ୍ରାଣ୍ଡ୍ ଭାବେ ନାଲ୍‌କୋ ବାରମ୍ବାର ପୁରସ୍କୃତ ହେବା ନିଶ୍ଚିତଭାବେ ସବୁ ନାଲକୋନିଆନ୍‌ଙ୍କ ପାଇଁ ଗର୍ବର ବିଷୟ।
ପ୍ରଶ୍ନ: ଉଦ୍ୟୋଗୀମାନଙ୍କୁ ସଫଳତାର ଶୀର୍ଷକୁ ଯିବା ଲାଗି ଏହି ପୁରସ୍କାର ସହା‌ୟକ ହେବ କି?
ଉତ୍ତର: ଉଦ୍ୟୋଗୀମାନେ ଅର୍ଥନୀତିକୁ ଆଗକୁ ନେବା ସହିତ ଭାରତର ଭବିଷ୍ୟତକୁ ଉଜ୍ଜ୍ବଳ କରିବାକୁ ଯାଉଛନ୍ତି। ତେଣୁ ଯେଉଁ ଉଦ୍ୟୋଗୀମାନେ ଭଲ ଏବଂ ଅଭିନବ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସ୍ବୀକୃତି ଦେବାର ଆବଶ୍ୟକତା ନିଃସନ୍ଦେହରେ ରହିଛି। ବ୍ରାଣ୍ଡ୍‌ସ୍‌ ଅଫ୍ ଓଡ଼ିଶା ଭଳି ସମ୍ମାନଜନକ ପୁରସ୍କାର ଉଦ୍ୟୋଗୀମାନଙ୍କୁ ସେମାନଙ୍କ ସ୍ବପ୍ନ ସାକାର କରିବାରେ ଏବଂ ଭବିଷ୍ୟତରେ ଦେଶର ଅର୍ଥନୀତିକୁ ଆଗକୁ ନେବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବା ଦିଗରେ ପ୍ରେରଣା ଯୋଗାଇବ।
ପ୍ରଶ୍ନ: କେଉଁଠାରେ କେଉଁ କ୍ଷେତ୍ରର ଶିଳ୍ପକୁ ଆଗକୁ ବଢ଼ିବା ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି?
ଉତ୍ତର: ସାମୁଦ୍ରିକ ଖାଦ୍ୟ, ଆଲୁମିନିୟମ, ଇସ୍ପାତ, କୋଇଲା, କ୍ରୋମାଇଟ୍ ବ୍ୟତୀତ ଓଡ଼ିଶାରେ ଆଇଟି ଏବଂ ଇଲେକ୍ଟ୍ରିକାଲ ସିଷ୍ଟମ ଡିଜାଇନ, ପର୍ଯ୍ୟଟନ, ଶିକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବାର ଯଥେଷ୍ଟ ସୁଯୋଗ ରହିଛି।
ପ୍ରଶ୍ନ: କେଉଁ ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ସରକାର ତୁରନ୍ତ ଧ୍ୟା‌ନ ଦେବାର ଆବଶ୍ୟକତା ରହିଛି ବୋଲି ଆପଣ ଅନୁଭବ କରୁଛନ୍ତି?
ଉତ୍ତର: ଓଡ଼ିଶାରେ ଆଲୁମିନିୟମ, ସାମୁଦ୍ରିକ ଖାଦ୍ୟ, କ୍ରୀଡ଼ା ଏବଂ ପର୍ଯ୍ୟଟନ ଭଳି ଅନେକ କ୍ଷେତ୍ର ଆଗକୁ ବଢ଼ୁଛି। ବିକାଶ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ଶିଳ୍ପାୟନକୁ ବ୍ୟାପକ କରିବା ପାଇଁ ରାଜ୍ୟରେ ଅଧିକରୁ ଅଧିକ ଶିଳ୍ପପୁଞ୍ଜ ଏବଂ ପାର୍କ, ଉତ୍ପାଦନ ଓ ଶିଳ୍ପ କେନ୍ଦ୍ର ଆଦିର ବିକାଶ କରାଯିବା ଉଚିତ। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ କରି ଖଣିଜ ଭିତ୍ତିକ ଶିଳ୍ପରୁ ଉତ୍ପାଦିତ ସାମଗ୍ରୀର ମୂଲ୍ୟଯୋଗ କରାଯିବାର ଆବଶ୍ୟକତା ରହିଛି।
ପ୍ରଶ୍ନ: ନୂଆ ଉଦ୍ୟୋଗୀଙ୍କ ପାଇଁ ଆପଣଙ୍କ ବାର୍ତ୍ତା କ’ଣ ରହିବ?
ଉତ୍ତର: ଗୋଟିଏ କାର୍ଯ୍ୟ କରିବା ସମୟରେ ଜଣେ ଯେତେବେଳେ ତାହାକୁ ଉପଭୋଗ କରିଥାଏ ସେତେବେଳେ ଉତ୍କର୍ଷ ଆସିଥାଏ। ନୂଆ ପୀଢ଼ିର ଉଦ୍ୟୋଗୀଙ୍କ ନିକଟରେ ଅଭିନବ କାର୍ଯ୍ୟ କରିବାର ସାମର୍ଥ୍ୟ ରହିଛି। ସେମାନେ ପରିବର୍ତ୍ତନର ଇଞ୍ଜିନ ହୋଇଥାନ୍ତି। ସୃଜନଶୀଳ ଚିନ୍ତା କରିବା ପାଇଁ ସମୟର ଉପଯୋଗ କରିବା, ନିର୍ଭୟ ଭାବରେ ନୂଆ ଚିନ୍ତାଧାରାର ବିକାଶ କରିବା ଏବଂ ଉଚ୍ଚାଭିଳାଷୀ ହେବା ଉଦ୍ୟୋଗୀମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଭାରତରେ ପରିବର୍ତ୍ତନ ପାଇଁ ଯେଉଁ ନୂଆ ପ୍ରବାହ ଆସିବାକୁ ଯାଉଛି ତା’ର ସୁଯୋଗ ନିଆଯିବା ଉଚିତ।

ସମ୍ବନ୍ଧିତ ଖବର