ସେନ୍‌ସେକ୍ସ ହ୍ରାସରେ ଲାଗିଲା ବ୍ରେକ୍

ମୁମ୍ବାଇ: କ୍ରମାଗତ ୯ ଦିନ ପର୍ଯ୍ୟନ୍ତ ତଳକୁ ଖସିବା ପରେ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍‌ସରେ ଆଜି ଜବରଦସ୍ତ ୪୦୪ ପଏଣ୍ଟ୍‌ର ବୃଦ୍ଧି ହୋଇଛି। ନିବେଶମାନେ ଖଣିଜ ସାମଗ୍ରୀ, ଆଇଟି ଏବଂ ବ୍ୟାଙ୍କର ସେୟାରଗୁଡ଼ିକୁ ଅଧିକ ମାତ୍ରାରେ କିଣିବାରୁ ସେନ୍‌ସେକ୍ସ ବଢ଼ିଛି। କାରବାର ଶେଷ ବେଳକୁ ୪୦୪ ପଏଣ୍ଟ୍‌ର ବୃଦ୍ଧି ସହ ୩୫,୭୫୬ ପଏଣ୍ଟ୍‌ରେ ସେନ୍‌ସେକ୍ସ ବନ୍ଦ ହୋଇଛି। ଜାତୀୟ ଷ୍ଟକ୍ ବଜାରର ନିଫ୍ଟି ମଧ୍ୟ ୧୩୧ ପଏଣ୍ଟ୍‌ ବୃଦ୍ଧି ପାଇ ୧୦,୭୩୫ ପଏଣ୍ଟ୍‌ରେ ବନ୍ଦ ହୋଇଛି। ବିଗତ ୯ ଦିନ ଭିତରେ ସେନ୍‌ସେକ୍ସ ୧୬୨୨ ପଏଣ୍ଟ୍‌ ହରାଇଥିଲା ଏବଂ ନିବେଶକମାନେ ପାଖାପାଖି ୬ ଲକ୍ଷ କୋଟି ଟଙ୍କାର କ୍ଷତି ସହିଥିଲେ। ଆଜି ସେନ୍‌ସେକ୍ସ ୪୦୪ ପଏଣ୍ଟ୍‌ ବୃଦ୍ଧି ହେବା ଯୋଗୁଁ ପାଖାପାଖି ଦେଢ଼ ଲକ୍ଷ କୋଟି ଟଙ୍କାର କ୍ଷତି ଭରଣା ହୋଇଛି। କିଛି ଦିନ ହେଲାଣି ସେନ୍‌ସେକ୍ସରେ ଯେଉଁ ହ୍ରାସର ଧାରା ଲାଗି ରହିଥିଲା ତାହା ନିବେଶକମାନଙ୍କ ନିଦ ହଜାଇ ଦେଇଥିଲେ। ଅଶୋଧିତ ତେଲ ଦରରେ ବୃଦ୍ଧି ଓ ଭାରତ ଓ ପାକିସ୍ତାନ ସମ୍ପର୍କରେ ତିକ୍ତତା ଯୋଗୁଁ ନିବେଶକମାନେ ଛାନିଆ ହୋଇପଡ଼ିଥିଲେ। ସେମା‌ନେ ନିଜ ପାଖରେ ଥିବା ସେୟ‌ାର ବିକ୍ରି କରିଦେଉଥିଲେ। ବିଗତ ୮ ବର୍ଷ ଭିତରେ ସେନ୍‌ସେକ୍ସରେ ଏଭଳି ଲଗାତାର ହ୍ରା‌ସ କେବେବି ଦେଖିବାକୁ ମିଳିନଥିଲା।

ସମ୍ବନ୍ଧିତ ଖବର