ବ୍ୟବସାୟୀ ସଂଘ ଧର୍ମଘଟ, ୧୫୦୦ କୋଟିର ବ୍ୟବସାୟ ବନ୍ଦ

ଭୁବନେଶ୍ୱର: ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ଡାକରାରେ ଆଜି ଦେଶବ୍ୟାପୀ ଦୋକାନ ବଜାର ବନ୍ଦ ରହିଛି। ଭାରତର ଖୁଚୁରା ବଜାରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ୍‌ଡିଆଇ) ଅନୁମତି ଏବଂ ଇ-କମର୍ସ କମ୍ପାନି ଫ୍ଲିପକାର୍ଟକୁ ଆମେରିକୀୟ କମ୍ପାନି ୱାଲମାର୍ଟ ଅଧିଗ୍ରହଣକୁ ଦୃଢ଼ ବିରୋଧ କରି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ଏହି ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଓଡ଼ିଶାର ପ୍ରାୟ ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ଏହି ଧର୍ମଘଟକୁ ସମର୍ଥନ କରିବା ସହିତ ଦୋକାନ ବନ୍ଦ ରଖିଥିଲେ। ଏଥିଯୋଗୁ ଆଜି ଗୋଟିଏ ଦିନରେ ରାଜ୍ୟରେ ପ୍ରାୟ ୧୫୦୦ କୋଟି ଟଙ୍କାର ବ୍ୟବସାୟ ଠପ୍ ହୋଇଯାଇଛି। ସରକାର ମଧ୍ୟ ପାଖାପାଖି ୧୦୦ କୋଟି ଟଙ୍କାର ଟିକସ ପାଇପାରି ନାହାନ୍ତି।ଧର୍ମଘଟକୁ ବ୍ୟବସାୟୀମାନେ ବହୁମାତ୍ରାରେ‌ ସମର୍ଥନ କରିଛନ୍ତି ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି। ରାଜଧାନୀ ଭୁବନେଶ୍ୱର ସମେତ ାଅନ୍ୟାନ୍ୟ ଅଞ୍ଚଳର ବ୍ୟବସାୟୀମାନେ ଧର୍ମଘଟରେ ସାମିଲ ହୋଇଛନ୍ତି। ବିଶେଷକରି ସହରାଞ୍ଚଳ ଅପେକ୍ଷା ରାଜ୍ୟର ଅର୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଦୋକାନ ବଜାର ଅଧିକ ସଂଖ୍ୟାରେ ବନ୍ଦ ରହିଥିଲା ବୋଲି ବ୍ୟବସାୟୀ ମହାସଂଘ କହିଛି।

ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଧର୍ମଘଟ ଯୋଗୁ ଦେଶରେ ପ୍ରାୟ ୬ କୋଟି ୩୫ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ଏବଂ ରାଜ୍ୟରେ ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ବିଶେଷକରି ହାଟ ବଜାର ଗୁଡ଼ିକରେ ଥିବା ଦୋକାନ ବନ୍ଦ ଥିବାବେଳେ ଗଳି କନ୍ଦିରେ କାଁ ଭାଁ ଦୋକାନ ଖୋଲାଥିଲା। କିନ୍ତୁ ରାଜ୍ୟର ଅର୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚର ବ୍ୟବସାୟୀମାନେ ଏହି ବନ୍ଦକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରିଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ତେବେ ପଶ୍ଚିମ ଓଡ଼ିଶାରେ ବନ୍ଦକୁ ଅଭୁତପୂର୍ବ ସମର୍ଥନ ମିଳିଛି। ଚା’ ପାନ ଦୋକାନଠାରୁ ଆରମ୍ଭ କରି ବଡ଼ ବଡ଼ ଦୋକାନ ମଧ୍ୟ ବନ୍ଦ ରହିଥିବା ସେ କହିଛନ୍ତି। ସେହିଭଳି ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାକୁ ବାଦ ଦେଲେ ଦେଶର ଅନ୍ୟ ରାଜ୍ୟରେ ବନ୍ଦ ପୂର୍ଣ୍ଣମାତ୍ରାରେ ସଫଳ ହୋଇଛି। ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ କିଛିଟା କମ୍ ସମର୍ଥନ ମିଳିଥିବା ତାଙ୍କ ନିକଟରେ ଖବର ପହଞ୍ଚିଥିବା ସେ କହିଛନ୍ତି।

ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ୟବସାୟୀମାନେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଭୁବନେଶ୍ବରଠାରେ ତାଙ୍କ ନେତୃତ୍ବରେ ଏଡିଏମ୍‌ଙ୍କୁ ମଧ୍ୟ ସ୍ମାରକପତ୍ର ଦିଆଯାଇଛି। ଆଜି ଧର୍ମଘଟର ପ୍ରଭାବ ସରକାରଙ୍କ ଉପରେ କେତେମାତ୍ରାରେ ପଡ଼ିଛି। ସରକାର କେତେମାତ୍ରାରେ ସଚେତନ ହୋଇଛନ୍ତି ତାହାକୁ ସଂଘ ବିଚାରବିମର୍ଶ କରିବ। ଏଥିପାଇଁ ଆସନ୍ତା କିଛିଦିନ ମଧ୍ୟରେ ଦିଲ୍ଲୀରେ ବିଭିନ୍ନ ରାଜ୍ୟର ସଂଘ ମୁଖ୍ୟମାନଙ୍କୁ ନେଇ ବୈଠକ ହେବ। ସେଠାରେ ଆଜିର ଧର୍ମଘଟ ସମ୍ପର୍କରେ ଆଲୋଚନା କରାଯାଇ ପରବର୍ତୀ କାର୍ଯ୍ୟପନ୍ଥା ନିର୍ଧାରଣ କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ସେହିଭଳି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ଭାରତର ଇ-କମର୍ସ କମ୍ପାନି ଫ୍ଲିପକାର୍ଟକୁ ଆମେରିକୀୟ କମ୍ପାନି ୱାଲ୍‌ମାର୍ଟ କିଣିବାକୁ ଦୃଢ଼ ବିରୋଧ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇ ଉକ୍ତ ବ୍ୟାବସାୟିକ ଚୁକ୍ତିକୁ ବାତିଲ କରିବା ଲାଗି ଦାବି କରାଯାଇଛି। ଏହି ଚୁକ୍ତି ଏଫଡିଆଇ ନୀତି ୨୦୧୬ର ପ୍ରେସ୍ ନୋଟ୍ ନମ୍ବର ୩କୁ ଉଲ୍ଲଂଘନ କରୁଛି ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ଏହି ବିଷୟ ଅନୁଧ୍ୟାନ କରିବା ଲାଗି ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ଲାଗି ଦାବି କରାଯାଇଛି। ଏହି କମିଟିରେ ବରିଷ୍ଠ ସରକାରୀ ଅଧିକାରୀ ଓ ବ୍ୟବସାୟୀ ପ୍ରତିନିଧିମାନଙ୍କୁ ସଦସ୍ୟ ରଖିବା ଲାଗି କୁହାଯାଇଛି। ବ୍ୟବସାୟୀମାନେ ବିକ୍ଷୋଭ, ଧାରଣା ଓ ପ୍ରତିବାଦ ରାଲି ଆଦି କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ସ୍ମାରକପତ୍ର ଦେଇଛନ୍ତି।

ସମ୍ବନ୍ଧିତ ଖବର