ଏଟିଏମ୍‌ରୁ ଟଙ୍କା ଉଠାଣ କୋହଳ ଅବଧି ୩୦ରେ ସରିବ

ନୂଆଦିଲ୍ଲୀ: କରୋନା ମହାମାରୀ ଓ ଲକଡାଉନ୍ ପରିପ୍ରେକ୍ଷୀରେ ସରକାର ବିଭିନ୍ନ ବ୍ୟାଙ୍କିଂ ନିୟମକୁ କୋହଳ କରିଥିଲେ। ଏଟିଏମରୁ ଟଙ୍କା ଉଠାଣ ଓ ବ୍ୟାଙ୍କ ଖାତାରେ ସର୍ବନିମ୍ନ ଟଙ୍କା ଜମା ନିୟମକୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ କୋହଳ କରାଯାଇଥିଲା। ଜୁନ୍ ୩୦ ପର୍ଯ୍ୟନ୍ତ ଏଟିଏମରୁ ଟଙ୍କା ଉଠାଣ ଉପରେ ବ୍ୟାଙ୍କ ପକ୍ଷରୁ ଆଦାୟ କରାଯାଉଥିବା ଟ୍ରାଞ୍ଜାକସନ ଚାର୍ଜକୁ ପ୍ରତ୍ୟାହାର କରି ନିଆଯାଇଥିଲା। ଯଦି ୩୦ ତାରିଖ ସୁଦ୍ଧା ନିୟମ କୋହଳ ଅବଧିକୁ ବୃଦ୍ଧି ପାଇଁ ଅର୍ଥ ମନ୍ତ୍ରାଳୟ ଘୋଷଣା ନକରେ ତାହେଲେ ଜୁଲାଇ ପହିଲାରୁ ପୁଣି ପୁରୁଣା ନିୟମ କାର୍ଯ୍ୟକାରୀ ହେବ।

ଅର୍ଥାତ୍ ଗ୍ରାହକଙ୍କୁ ବିଭିନ୍ନ ବ୍ୟାଙ୍କର ପୂର୍ବ ନିମୟ ଅନୁସାରେ ବିଭିନ୍ନ ଚାର୍ଜ ଦେବାକୁ ପଡ଼ିବ। ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏଟିଏମରୁ ଟଙ୍କା ଉଠାଣ ଓ ସର୍ବନିମ୍ନ ବ୍ୟାଙ୍କ ଜମାରାଶି ରଖିବା ନେଇ ଭିନ୍ନ ଭିନ୍ନ ନିୟମ ରହିଛି। ଅଧିକାଂଶ ବ୍ୟାଙ୍କ ସେମାନଙ୍କ ଜମାକାରୀଙ୍କୁ ଖାତାରେ ସର୍ବନିମ୍ନ ଜମା ରଖିବାକୁ କହିଥାନ୍ତି। ତାହା ଉଲ୍ଲଂଘନ ହେଲେ ସେ ବାବଦରେ ଜରିମାନା ଆଦାୟ କରିଥାନ୍ତି। ଅନେକ ବ୍ୟାଙ୍କ ସର୍ବନିମ୍ନ ଜମାରାଶି ସୀମାକୁ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ମଧ୍ୟରେ ଧାର୍ଯ୍ୟ କରିଛନ୍ତି। ତେବେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସର୍ବନିମ୍ନ ଜମା ଚାର୍ଜକୁ ଏହାର ୪୪.୫୧କୋଟି ଗ୍ରାହକଙ୍କ ପାଇଁ ଛାଡ଼ କରାଯାଇଛି। ବ୍ୟାଙ୍କଗୁଡ଼ିକ ସାଧାରଣତଃ ସେମାନଙ୍କ ଗ୍ରାହକଙ୍କୁ ନିଜ ବ୍ୟାଙ୍କରୁ ମାସିକ ୫ ଥର ଓ ଅନ୍ୟବ୍ୟାଙ୍କରୁ ୩ ଥର ମାଗଣା ଟଙ୍କା ଉଠାଇବା ସୁଯୋଗ ଦେଇଥାନ୍ତି। ଏହି ସୀମା ଟପିଲେ ଚାର୍ଜ ଦେବାକୁ ପଡ଼ିଥାଏ। ଗ୍ରାହକ କି ପ୍ରକାର କାରବାର କରୁଛନ୍ତି ତାହା ଉପରେ ଚାର୍ଜ ରାଶି ନିର୍ଭର କରିଥାଏ।

ସମ୍ବନ୍ଧିତ ଖବର