ରାଜଭବନରେ ଆଇସିସି ମହିଳା ଉଦ୍ୟମିତା କମିଟିର ଉତ୍ସବ: ସଦସ୍ୟା ସଂଖ୍ୟା ୧୦୦ ଟପିଲା

ଭୁବନେଶ୍ବର: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ମହିଳା ଉଦ୍ୟମିତା କମିଟିର ସଦସ୍ୟା ସଂଖ୍ୟା ୧୦୦ ଅତିକ୍ରମ କରିଛି। ସେହି ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟକୁ ପାଳନ କରିବା ଲାଗି ଆଜି ରାଜଭବନରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସେଥିରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ, ସକଳ ସୃଷ୍ଟି ଆଦିଶକ୍ତିରୁ ଉତ୍ପନ୍ନ। ମହିଳାମାନେ ହେଉଛନ୍ତି ଆଦିଶକ୍ତିଙ୍କ କ୍ରୀୟାଶୀଳ ରୂପ। ସୃଜନଶୀଳ ସେମାନଙ୍କ ସ୍ବାଭାବିକତା। ସେହି ଶକ୍ତିର ସଫଳ ଉପଯୋଗରେ ଜଗତର ମଙ୍ଗଳ ହେଉ। ଏ ପୃଥିବୀ ସୁନ୍ଦର ଓ ଏହାକୁ ଆହୁରି ସୁନ୍ଦର କରିବାର ପ୍ରୟାସରେ ରହିଛି ଜୀବନର ସାର୍ଥକତା। ସମାଜର ବୃହତ୍ତର କଲ୍ୟାଣ ମହିଳା ଉଦ୍ୟୋଗୀଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉ ବୋଲି ରାଜ୍ୟପାଳ ଆଶା ପ୍ରକଟ କରିଥିଲେ।

ଆଇସିସି ପୃଷ୍ଠପୋଷକତାରେ ଶତାଧିକ ମହିଳା ଉଦ୍ୟୋଗୀ କ୍ରିୟାଶୀଳ ଥିବାରୁ ରାଜ୍ୟପାଳ ସନ୍ତୋଷ ବ୍ୟକ୍ତ କରିବା ସହ ସେମାନଙ୍କୁ ଶୁଭଚ୍ଛୋ ଓ ଅଭିନନ୍ଦନ ଜଣାଇଛନ୍ତି। ଆଇସିସି ଓଡ଼ିଶାର ଅଧ୍ୟକ୍ଷ ଜେ ବି ପାଣି ଓ ସହ ଅଧ୍ୟକ୍ଷ ମହେନ୍ଦ୍ର ଗୁପ୍ତା ଓଡ଼ିଶାର ଔଦ୍ୟୋଗିକ ସ୍ଥିତି ଓ ପ୍ରଗତି ସମ୍ପର୍କରେ ସୂଚନା ଦେଇଥ‌ିଲେ। ଆଇସିସି ମହିଳା ଉଦ୍ୟୋଗ କମିଟିର ଆବାହିକା ସୁକୀର୍ତି ପଟ୍ଟନାୟକ ମହିଳା ଉଦ୍ୟୋଗୀଙ୍କ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ସହ ଆବାହିକା ତନୟା ପଟ୍ଟନାୟକଙ୍କ ସମେତ ୫୦ରୁ ଅଧିକ ମହିଳା ଉଦ୍ୟୋଗୀ ଏହି ଉତ୍ସବରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର