ସିଏମ୍‌ଆଇଇ ରିପୋର୍ଟ: ନଭେମ୍ବରରେ ୩୫ ଲକ୍ଷ ଲୋକ ବେକାର

ନୂଆଦିଲ୍ଲୀ: ଦେଶର ନିଯୁକ୍ତି ସ୍ଥିତି ପୁଣି ଖରାପ ଆଡ଼କୁ ଗତି କରିଛି। ଲକ୍‌ଡାଉନ୍ ଘୋଷଣା ହେବା ପରେ ଅତ୍ୟନ୍ତ ଖରାପ ଅବସ୍ଥାକୁ ଚାଲିଯାଇଥିବା ନିଯୁକ୍ତି କ୍ଷେତ୍ରରେ ଧୀରେ ଧୀରେ ସୁଧାର ହେଉଥିଲା। କିନ୍ତୁ ନଭେମ୍ବରରେ ପୁଣି ସ୍ଥିତି ବିଗିଡ଼ିଯାଇଛି। ଏହି ମାସରେ ପ୍ରାୟ ୩୫ ଲକ୍ଷ ଲୋକ ବେକାର ହୋଇଛନ୍ତି ବୋଲି ଘରୋଇ କ୍ଷେତ୍ରର ସଂସ୍ଥା‌ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ପକ୍ଷରୁ ଆକଳନ କରାଯାଇଛି। ଗତ ଅକ୍ଟୋବରରେ ୫୦ ହଜାର ଲୋକ ଚାକିରି ହରାଇଥିଲେ। ସିଏମ୍‌ଆଇର କଞ୍ଜ୍ୟୁମର୍ସ ପିରାମିଡସ୍‌ ହାଉସ୍‌ହୋଲ୍‌ଡ ସର୍ଭେ ଅନୁଯାୟୀ ନଭେମ୍ବରରେ ନିଯୁକ୍ତିରେ ସକ୍ରିୟ ଥିବା ଲୋକଙ୍କ ସଂଖ୍ୟା ହେଉଛି ୩୯.୯୬ କୋଟି। ଚଳିତ ବର୍ଷ ମାର୍ଚ୍ଚରେ ଏହା ଠାରୁ ଅଧିକ ଏକ କୋଟି ଲୋକ ନିଯୁକ୍ତି କ୍ଷେତ୍ରରେ ସକ୍ରିୟ ଥିଲେ। ଚଳିତ ବର୍ଷ ଲକ୍‌ଡାଉନ୍ ଘୋଷଣା ‌ହେବା ପରେ ପ୍ରାୟ ୧୨ କୋଟି ଲୋକ ଚାକିରି ହରାଇଥିଲେ। କିନ୍ତୁ ଜୁଲାଇ ପରଠାରୁ ସ୍ଥିତିରେ ସୁଧାର ହୋଇଥିଲା ଓ ସେହି ଧାରା ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିଥିଲା। ଅକ୍ଟୋବର ପରଠାରୁ ସ୍ଥିତି ପୁଣି ଖରାପ ହୋଇଛି। ଉଭୟ ଅକ୍ଟୋବର ଓ ନଭେମ୍ବରରେ ଲୋକମାନେ ଚାକିରି ହରାଇଛନ୍ତି। ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ନିଯୁକ୍ତି ହାର ୩୭.୫% ଥିବା ବେଳେ ବେକାରି ହାର ୯.୫% ରହିଛି। ଗତବର୍ଷ ଡିସେମ୍ବର ବେଳକୁ ୪୦.୫ କୋଟି ଲୋକ ନିଯୁକ୍ତି କ୍ଷେତ୍ରରେ ସକ୍ରିୟ ଥିଲେ। ଚଳିତ ବର୍ଷ ସେମାନଙ୍କ ସଂଖ୍ୟା ଅତିବେଶିରେ ୩୯.୫ କୋଟି ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।

ସିଏମ୍‌ଆଇଇର ପରିଚାଳନା ନିର୍ଦେଶକ ଓ ସିଇଓ ମହେଶ ବ୍ୟାସ କହିଛନ୍ତି ଯେ ଶ୍ରମ ବଜାରରେ ଘଟୁଥିବା ହ୍ରାସ ଯେତିକି ଚିନ୍ତାର ବିଷୟ ନୁହେଁ ତା’ଠାରୁ ବଡ଼ ସମସ୍ୟା ହେଉଛି ଭଲ ନିଯୁକ୍ତି ଉଭାନ ହୋଇଯାଉଛି। ୨୦୨୦ରେ ମହିଳାଙ୍କ ‌ନିଯୁକ୍ତିରେ ଦ୍ରୁତ ହ୍ରାସ ଘଟିଛି। ଦେଶର ‌ଶ୍ରମ ଶକ୍ତିରେ ମହିଳାଙ୍କ ଅବଦାନ ୧୧% ରହିଥିବା ବେଳେ ପୁରୁଷଙ୍କ ଅବଦାନ ୭୧% ଭଳି ଉଚ୍ଚ ସ୍ତରରେ ରହିଛି। ଲକ୍‌ଡାଉନ୍ ପରଠାରୁ ମହିଳାଙ୍କ କ୍ଷେତ୍ରରେ ବେକାରି ହାର ୧୭% ଭଳି ଉଚ୍ଚ ସ୍ତରରେ ଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ତାହା ୬ ପ୍ରତିଶତ ରହିଛି। ୨୦୨୦ ଏପ୍ରିଲ୍‌ରେ ୧୩.୯% ମହିଳା ଚାକିରି ହରାଇଥିଲେ। ନଭେମ୍ବର ସୁଦ୍ଧା ଚାକିରି ହରାଇଥିବା ପୁରୁଷଙ୍କ ସଂଖ୍ୟାରେ ସୁଧାର ହୋଇଥିବା ବେଳେ ମହିଳାମାନଙ୍କୁ କିନ୍ତୁ ସେହି ସୌଭାଗ୍ୟ ମିଳିନାହିଁ ବୋଲି ସିଏମ୍‌ଆଇ ଏହାର ରିପୋର୍ଟରେ ଜଣାଇଛି।

ସମ୍ବନ୍ଧିତ ଖବର