ଓଡ଼ିଶା ଆସ, ଆମେ ଜମି ଦେବୁ
ସେଲ୍-ଆର୍ସେଲର୍ ମିତ୍ତଲକୁ ଆମନ୍ତ୍ରଣ
ହାଇଦ୍ରାବାଦ: ଆମ ପାଖରେ ଯଥେଷ୍ଟ ପରିମାଣର ଜମି ରହିଛି। ଏଠାରେ ଆସି କାରଖାନା ସ୍ଥାପନ କର। ଆମେ ଜମି ଯୋଗାଇ ଦେବୁ। ରାଜ୍ୟରେ କାରଖାନା ସ୍ଥାପନ କରିବା ପାଇଁ ସେଲ୍ ଓ ଆର୍ସେଲର ମିତ୍ତଲ୍ର ଯୌଥ ଉଦ୍ୟୋଗକୁ ଓଡ଼ିଶା ସରକାର ଜମି ଲୋଭ ଦେଖାଇ ଆମନ୍ତ୍ରଣ କରଥିବା ଜଣାପଡ଼ିଛି। ସେଲ୍-ଆର୍ସେଲର ମିତ୍ତଲ ପ୍ରକଳ୍ପ କେଉଁଠାରେ ପ୍ରତିଷ୍ଠା କରାଯିବ ସେ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇନାହିଁ। ଯଦି କଂପାନି ଆଗ୍ରହ ପ୍ରକାଶ କରିବ ତେବେ ଆମେ ଜମି ଯୋଗାଇ ଦେବୁ ବୋଲି ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି। ହାଇଦ୍ରାବାଦଠାରେ ଆୟୋଜିତ ଏକ ନିବେଶକ ସମ୍ମିଳନୀରେ ସେ କହିଛନ୍ତି ଯେ, ରାଉରକେଲାରେ ବିପୁଳ ପରିମାଣର ଜମି ରହିଛି। ସେଠାରେ ଜମି ଅଧିଗ୍ରହଣକୁ ନେଇ ମଧ୍ୟ କୌଣସି ସମସ୍ୟା ମଧ୍ୟ ନାହିଁ। କଂପାନି ଚାହିଲେ ତେବେ ଶୀଘ୍ର ସେଠାରେ କାମ କରିପାରିବ ବୋଲି ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
• ରାଉରକେଲାରେ ଅଛି ପର୍ଯ୍ୟାପ୍ତ ଜମି
• ଚଳିତବର୍ଷ ଜେଏସ୍ଡବ୍ଲ୍ୟୁର ଭିତ୍ତିପ୍ରସ୍ତର ସ୍ଥାପନ
ଏହି ପ୍ରସ୍ତାବିତ ପ୍ରକଳ୍ପକୁ ନେଇ କିଛି ଦିନ ପୂର୍ବେ ରାଜ୍ୟ ଶ୍ରୀ ଚୋପ୍ରା ସେଲ୍କୁ ଏକ ଚିଠି ଲେଖିଥିଲେ। ସେଲ୍ ପକ୍ଷରୁ ନିକଟରେ ଏହାର ଉତ୍ତର ଦିଆଯାଇଛି। ପ୍ରସ୍ତାବିତ ପ୍ରକଳ୍ପ ପାଇଁ ସ୍ଥାନ ଚୟନ କରିବା ବେଳେ ପୂୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ନଜରରେ ରଖାଯିବ ବୋଲି ସେଲ୍ କହିଛି। ୨୦୧୫ ମେ’ ମାସରେ ସେଲ୍ ଓ ଆର୍ସେଲର ମିତ୍ତଲ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଭାରତରେ ଏକ ଯୌଥ ଉଦ୍ୟୋଗ ସ୍ଥାପନ କରି ଯାନବାହନ ନିର୍ମାଣରେ ବ୍ୟବହାର ହେଉଥିବା ମାନର ଇସ୍ପାତ ଉତ୍ପାଦନ କରିବା ନିମନ୍ତେ ସୁଯୋଗ ସନ୍ଧାନ କରିବାକୁ ଦୁଇ ସଂସ୍ଥା ସହମତ ହୋଇଥିଲେ। ଭାରତରେ ଏକ କୋଲ୍ଡ ରୋଲିଂ ମିଲ୍ ସ୍ଥାପନ କରିବାକୁ ଦୁଇ ସଂସ୍ଥା ନିଷ୍ପତ୍ତି ନେଇଥିଲେ। ଗତବର୍ଷ ମେ’ ମାସରେ ଆନ୍ତଃ ମନ୍ତ୍ରୀ ଗୋଷ୍ଠୀ ପକ୍ଷରୁ ଏହି ଏମ୍ଓୟୁର ଅଗ୍ରଗତି ବିଷୟରେ ସମୀକ୍ଷା କରାଯାଇଥିଲା। ୫୦୦୦ କୋଟି ଟଙ୍କା ବିନିଯୋଗରେ ଏକ ଅଟୋ-ଗ୍ରେଡ୍ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।
ପ୍ରକାଶଯୋଗ୍ୟ ଯେ, ସେଲ ଓ ଆର୍ସେଲର ମିତ୍ତଲ ମଧ୍ୟରେ ଯୌଥ ଉଦ୍ୟୋଗକୁ ନେଇ ବୁଝାମଣା ସ୍ୱାକ୍ଷରିତ ହୋଇନାହିଁ। କିଛି ସର୍ତ୍ତରେ ଅସହମତି ରହିଥିବାରୁ ଚୁକ୍ତି ସ୍ୱାକ୍ଷର ପ୍ରକ୍ରିୟା ବିଳମ୍ବିତ ହୋଇଛି। ଇସ୍ପାତ ମନ୍ତ୍ରଣାଳୟର ଉଦ୍ୟମ ଯୋଗୁଁ ଏହି ପ୍ରକ୍ରିୟା ଚୂଡ଼ାନ୍ତ ସ୍ତରରେ ପହଞ୍ଚିଥିବା ଜଣାପଡ଼ିଛି। ରାଉରକେଲାରେ ସେଲ୍ର ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ (ଆରଏସ୍ପି) ରହିଛି। ତେଣୁ ଏହା ଏଠାକାର ବଜାରକୁ ବହୁତ ଭଲ ଭାବେ ବୁଝିପାରିଛି। ଅପରପକ୍ଷରେ ଭାରତରେ ପୁଞ୍ଜିନିବେଶ କରିବାକୁ ବହୁ ଦିନ ହେଲାଣି ଆର୍ସେଲର ମିତ୍ତଲ ଉଦ୍ୟମ କରୁଛି। ପୂର୍ବରୁ ଏହା ଓଡ଼ିଶାରେ ଏକ ସମ୍ପୂର୍ଣ୍ଣ ନୂଆ ପ୍ରକଳ୍ପ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ପରବର୍ତୀ ସମୟରେ ସେଥିରୁ ଓହରି ଯାଇଥିଲା। ଏହି ଅବସରରେ ସଜ୍ଜନ ଜିନ୍ଦଲଙ୍କ କଂପାନି ଜେଏସ୍ଡବ୍ଲ୍ୟୁ ଦେଇଥିବା ପ୍ରସ୍ତାବ ବିଷୟରେ ଶ୍ରୀ ଚୋପ୍ରା କହିଛନ୍ତି ଯେ, ପୋସ୍କୋକୁ ଯେଉଁ ଜମି ଦିଆଯାଇଥିଲା ତାହା ପାଇବା ପାଇଁଁ ଜେଏସ୍ଡବ୍ଲ୍ୟୁ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ସେହି ପ୍ରସ୍ତାବର ଅନୁଧ୍ୟାନ କରାଯାଇଛି ଓ ତାହାକୁ ଇଡ୍କୋ ନିକଟକୁ ପଠାଇ ଦିଆଯାଇଛି। ଇଡ୍କୋ ହିଁ ଜମି ଆବଣ୍ଟନ କରିବ। ଏହି ପ୍ରକଳ୍ପ ପାଇଁ ଜଙ୍ଗଲ ମଞ୍ଜୁରି ହାସଲ କରିବା ପୂର୍ବରୁ କିଛିଟା ଔପଚାରିକତା ପୂରଣ କରିବାକୁ ହେବ। ଚଳିତ ବର୍ଷ କଂପାନି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିପାରିବ ବୋଲି ସେ କହିଛନ୍ତି। ଓଡ଼ିଶାରେ ଆସି ନିବେଶ କରିବାକୁ ସେ ହାଇଦ୍ରାବାଦର ସଂସ୍ଥାଗୁଡ଼ିକୁ ଆହ୍ଵାନ ଦେଇଛନ୍ତି। ପ୍ରାୟ ୪୨ଟି କଂପାନିର ପ୍ରତିନିଧିଙ୍କୁ ସେ ଭେଟିଛନ୍ତି।