ଟିଭି ବଜାରରେ ପତିଆରା ଲଢ଼େଇ

୭୦ କଂପାନି ମଧ୍ୟରେ ପ୍ରତିଦ୍ୱନ୍ଦିତା:କମୁଛି ଦାମ୍‌, ଗ୍ରାହକ ଲାଭବାନ

କୋଲକାତା: ଦେଶର ଟିଭି ବଜାରରେ ପୁଣି ଥରେ ବଡ଼ ଧରଣର ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଯାଇଛି। କିଛି ନୂତନ କଂପାନି ବଜାରରେ ପ୍ରବେଶ କରିବା ପରେ ଏହି ଲଢ଼େଇ ଜୋରଦାର ହୋଇଛି। ଏବେ ଦେଶରେ ପାଖାପାଖି ୭୦ଟି କଂପାନି ଟିଭି ବିକ୍ରି କରୁଛନ୍ତି। ଦୁଇ ବର୍ଷ ପୂର୍ବରୁ ଏଭଳି କଂପାନି ସଂଖ୍ୟା ୩୦ ପାଖାପାଖି ଥିଲା। ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଆଗାମୀ ଦିନରେ ଆହୁରି ଅଧିକ ସଂଖ୍ୟାରେ ଟିଭି କଂପାନି ଏହି ଲଢ଼େଇରେ ସାମିଲ ହେବେ। ଏହାର ଫାଇଦା ଗ୍ରାହକଙ୍କୁ ମିଳିବ। ସେମାନେ ଉନ୍ନତ ପ୍ରଯୁକ୍ତି ଥିବା ଟିଭିକୁ କମ୍‌ ମୂଲ୍ୟରେ ପାଇପାରିବେ।
ଦେଶରେ ଟିଭି କଂପାନି ସଂଖ୍ୟା ବଢ଼ିଥିବାରୁ କିଛି ମାସ ଭିତରେ ଟିଭି ମୂଲ୍ୟରେ ୪୦% ପର୍ଯ୍ୟନ୍ତ ହ୍ରାସ ଦେଖାଦେଇଛି। ୨୦୧୬ରେ ଏଚ୍‌ଡି ରେଡି ୩୨ ଇଞ୍ଚ୍‌ ଟିଭିର ମୂଲ୍ୟ ୧୩,୫୦୦ ଟଙ୍କା ସ୍ତରରେ ରହୁଥିଲା। ବର୍ତ୍ତମାନ ଏହି ଦାମ୍‌ରେ ଗ୍ରାହକମାନେ ଫୁଲ୍‌ ଏଚ୍‌ଡି ଓ ସ୍ମାର୍ଟ ଟିଭି କିଣିପାରୁଛନ୍ତି। ଦୁଇ ବର୍ଷ ପୂର୍ବେ ସ୍ମାର୍ଟ ଟିଭି କିଣିବା ପାଇଁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡ଼ୁଥିଲା। ଏବେ ୪୩ ଇଞ୍ଚ୍‌ର ୪କେ ସ୍ମାର୍ଟ ଟିଭି ୩୦ ହଜାର ଟଙ୍କାରେ ମିଳିଯାଉଛି। ଦୁଇ ବର୍ଷ ପୂର୍ବେ ୪କେ ସ୍ମାର୍ଟ ଟିଭିର ମୂଲ୍ୟ ୫୦ ହଜାର ଟଙ୍କା ପାଖାପାଖି ରହୁଥିଲା। ପୂର୍ବରୁ ସାମସଙ୍ଗ୍‌, ଏଲ୍‌ଜି ଓ ସୋନି ଭଳି କଂପାନି ଟିଭି ବଜାରରେ ରାଜୁତି କରୁଥିଲେ। ଶାଓମି, ଥମ୍‌ସନ୍‌ ଓ ଟିସିଏଲ୍‌ ଭଳି ନୂଆ କଂପାନି ବଜାରରେ ପ୍ରବେଶ କରିବା ପରେ ଟିଭି ମୂଲ୍ୟକୁ ନେଇ କଂପାନିଗୁଡ଼ିକ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ନୂଆ କଂପାନିଗୁଡ଼ିକ ଉନ୍ନତ ମାନର ପ୍ରଯୁକ୍ତି ବିଶିଷ୍ଟ ଟିଭିକୁ କମ୍‌ ମୂଲ୍ୟରେ ଉପଲବ୍ଧ କରାଇ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। ଏହାର ପ୍ରଭାବରେ ପ୍ରତିଷ୍ଠିତ କଂପାନିଗୁଡ଼ିକ ନିଜ ଟିଭିର ଦାମ୍‌ କମ୍‌ କରିବାକୁ ବାଧ୍ୟ ହେଉଛନ୍ତି।
ଦେଶରେ ଅନଲାଇନ୍‌ରେ ଟିଭି ବିକ୍ରି ପରିମାଣ ବଢ଼ୁଛି। ଗ୍ରାହକମାନେ ୨୪, ୩୨ ଓ ୪୩ ଇଞ୍ଚ୍‌ର ଟିଭିକୁ ଅନଲାଇନ୍‌ରେ କିଣୁଥିବାରୁ ଏହି ବର୍ଗରେ ଦାମ୍‌କୁ ନେଇ ତୀବ୍ର ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳୁଛି। କିଛି ବର୍ଷ ପୂର୍ବେ ମୋବାଇଲ୍‌ ହ୍ୟାଣ୍ଡ୍‌ସେଟ୍‌ ବିକ୍ରିକୁ ନେଇ ପ୍ରତିଷ୍ଠିତ ଓ ନୂଆ କଂପାନି ମଧ୍ୟରେ ଯେଉଁଭଳି ଲଢ଼େଇ ଦେଖିବାକୁ ମିଳିଥିଲା, ଏବେ ଟିଭି ବଜାରରେ ସେହି ସମାନ ଧରଣର ଲଢ଼େଇ ଜାରି ରହିଛି।

ସମ୍ବନ୍ଧିତ ଖବର