ଡିଜାଇନ୍‌ ବ୍ଲାଉଜ୍‌ ଶାଢ଼ିଠାରୁ ବେଶି ଦାମ୍‌

ବଦଳୁଛି ଲୋକଙ୍କ ଜୀବନଶୈଳୀ। ସିନେମା ସହିତ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ଲୋକଙ୍କ ଖାଦ୍ୟ ଠାରୁ ଆରମ୍ଭ କରି ପୋଷାକ ପିନ୍ଧିବା ଉପରେ ପଡ଼ୁଛି। ଲୋକମାନେ ଅଧିକରୁ ଅଧିକ ଅର୍ଥ ଫେସନ୍‌ ବା ଡିଜାଇନ୍‌ ପୋଷାକରେ ଖର୍ଚ୍ଚ କରୁଛନ୍ତି। ମହିଳାମାନେ ଶାଢ଼ି ଏବଂ ଲେହେଙ୍ଗା ସହିତ ନୂଆ ଡିଜାଇନ୍‌ର ବ୍ଲାଉଜ୍‌ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଏବେ ଭୁବନେଶ୍ୱର ତଥା ଓଡ଼ିଶାରେ ସର୍ବାଧିକ ଚାହିଦାରେ ଥିବା ବ୍ଲାଉଜ୍‌କୁ ନେଇ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନା:

ବୋଟ୍‌ ନେକ୍‌ରୁ କର୍ଭି ନେକ୍‌
ବଜାରରେ ଅନେକ ଡିଜାଇନ୍‌ର ବ୍ଲାଉଜ୍‌ ମିଳୁଥିଲେ ମଧ୍ୟ ଗତ କିଛି ମାସ ହେଲା ବୋଟ୍‌ ନେକ୍‌, ଚାଇନିଜ୍‌ ନେକ୍‌, ରାଉଣ୍ଡ୍‌ ନେକ୍‌, ଅଫ୍‌ ସୋଲ୍‌ଡର, ଗ୍ଲାସ୍‌ ନେକ୍‌ ଏବଂ କର୍ଭି ନେକ୍‌ର ବ୍ଲାଉଜ୍‌ ଅଧିକ ପ୍ରସ୍ତୁତ ହେଉଛି। ଏତଦ୍‌ବ୍ୟତୀତ ନେଟ୍‌ ବ୍ଲାଉଜ୍‌, କଣ୍ଟ୍ରାଷ୍ଟ ଡିଜାଇନ ବ୍ଲାଉଜ୍‌, ଏମ୍ବ୍ରୋଡୋରି ଡିଜାଇନ୍‌ ବ୍ଲାଉଜ୍‌, ବର୍ଡର ଡିଜାଇନ୍‌ ବ୍ଲାଉଜ୍‌, ମିରର୍‌ ଓ୍ଵାର୍କ ବ୍ଲାଉଜ୍‌, ପଟ୍‌ ନେକ୍‌ କୁନ୍ଦନ ଏମ୍ବ୍ରୋଡୋରି ବ୍ଲାଉଜ୍‌, ଫୁଲ୍‌ ସ୍ଲିଭ ଡିଜାଇନ୍‌ ଆଦିର ବ୍ଲାଉଜ୍‌ର ଚାହିଦା ମଧ୍ୟ ବଜାରରେ ଏବେ ରହିଛି।

ଷ୍ଟିଚିଂ ଚାର୍ଜ ୧୦୦୦ ଟଙ୍କାରୁ ଆରମ୍ଭ
ଡିଜାଇନ୍‌ ବ୍ଲାଉଜ୍‌ର ଷ୍ଟିଚିଂ ଚାର୍ଜ ସାଧାରଣତଃ ଅଧିକ ରହିଥାଏ। ଜଣେ ଡିଜାଇନରଙ୍କ କହିବାନୁଯାୟୀ, ଚାଇନିଜ୍‌ ଷ୍ଟାଇଲ୍‌ ବ୍ଲାଉଜ୍‌ର ସିଲେଇ ମୂଲ୍ୟ ହଜାରେ ଟଙ୍କା ରହିଛି। ଅଫ୍‌ ସୋଲଡର ଡିଜାଇନ ସମେତ ଅନ୍ୟ ଡିଜାଇନ୍‌ ବ୍ଲାଉଜ୍‌ର ସିଲେଇ ମୂଲ୍ୟ ଦେଢ଼ ହଜାର ଟଙ୍କାରୁ ଅଢେଇ ହଜାର ଟଙ୍କା ପର୍ଯ୍ୟନ୍ତ ରହୁଛି।

ଶାଢ଼ି ଠାରୁ ବ୍ଲାଉଜ୍‌ ଦାମ୍‌ ଅଧିକ
ଷ୍ଟିଚିଂ ଚାର୍ଜକୁ ଦେଖିଲେ ବ୍ଲାଉଜ୍‌ ଦାମ୍‌ ଅନେକ କ୍ଷେତ୍ରରେ ଶାଢ଼ି ଦାମ୍‌ଠାରୁ ଅଧିକ ରହୁଛି। ଏଥିସହିତ ବ୍ଲାଉଜ୍‌ ପାଇଁ ଆବଶ୍ୟକ କପଡ଼ା ସହ ଷ୍ଟିଚିଂ ଚାର୍ଜକୁ ମିଶାଇଲେ ଡିଜାଇନ୍‌ ବ୍ଲାଉଜ୍‌ର ଦର ଯଥେଷ୍ଟ ଅଧିକ ରହୁଛି।

ନୂଆ ଲୁକ୍‌ ଦେଇଥାଏ
ନୂଆ ନୂଆ ଡିଜାଇନ୍‌ର ବ୍ଲାଉଜ୍‌ ମହିଳାମାନଙ୍କୁ ନୂଆ ଲୁକ୍‌ ପ୍ରଦାନ କରିଥାଏ। କେବଳ ସେତିକି ନୁହେଁ ସେମାନଙ୍କ ବିଶ୍ୱାସ ସ୍ତରକୁ ମଧ୍ୟ ଏହା ବୃଦ୍ଧି କରିଥାଏ। ପର୍ବ ପର୍ବାଣୀ, ବିବାହ ଉତ୍ସବରେ ମହିଳାମାନେ ଡିଜାଇନର୍‌ ବ୍ଲାଉଜ୍‌ ପିନ୍ଧିବାକୁ ଅଧିକ ପସନ୍ଦ କରିଥାନ୍ତି।

ଫେସନ୍‌ପ୍ରିୟ ଓ ଧନୀକ ଶ୍ରେଣୀଙ୍କ ପସନ୍ଦ
ମଧ୍ୟବିତ୍ତଙ୍କ ଠାରୁ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ମହିଳାମାନେ ଡିଜାଇନ୍‌ ବ୍ଲ୍‌ାଉଜ୍‌ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଏତଦ୍‌ବ୍ୟତୀତ ନିମ୍ନମଧ୍ୟବିତ୍ତ ଶ୍ରେଣୀର ଫେସନ୍‌ ପ୍ରିୟ ମହିଳାମାନେ ଡିଜାଇନ୍‌ ବ୍ଲାଉଜ୍‌ ପିନ୍ଧୁଛନ୍ତି।

ସମ୍ବନ୍ଧିତ ଖବର