ଗ୍ରୁପ୍‌ଏମ୍‌ ଇଣ୍ଡିଆ ଟିୱାଇଏନ୍‌ୱାଇ ୨୦୨୨ ରିପୋର୍ଟ: ବିଜ୍ଞାପନ ବ୍ୟୟ ପାଇଁ ଡିଜିଟାଲ୍ ହେବ ବଡ଼ ମାଧ୍ୟମ

ଡିଜିଟାଲ୍‌ର ବଜାର ଭାଗ ୪୫%କୁ ବୃଦ୍ଧି ପାଇବ, ଭାରତ ବିଶ୍ବର ନବମ ବୃହତ ବଜାର

ମୁମ୍ବାଇ : ବିଶ୍ବର ଅଗ୍ରଣୀ ଗଣମାଧ୍ୟମ ନିବେଶ କଂପାନି ଗ୍ରୁପ୍‌ଏମ୍‌ ଇଣ୍ଡିଆ ପକ୍ଷରୁ ୨୦୨୨ ବର୍ଷ ଲାଗି ବିଜ୍ଞାପନ ବ୍ୟୟର ଆକଳନ ରିପୋର୍ଟ ଜାରି କରାଯାଇଛି। ‘ଦିସ୍ ଇୟର, ନେକ୍ସଟ୍ ଇୟର’ (ଟିୱାଇଏନ୍‌ୱାଇ) ନାମକ ଏହି ରିପୋର୍ଟରେ ଆକଳନ କରାଯାଇଛି ଯେ ୨୦୨୨ରେ ବିଜ୍ଞାପନ ବ୍ୟୟରେ ୨୨% ବୃଦ୍ଧି ହେବ। ମୋଟ ବିଜ୍ଞାପନ ବ୍ୟୟ ଏହି ସମୟରେ ୧,୦୭,୯୮୭ କୋଟି ଟଙ୍କା ରହିବ। ବିଶ୍ବର ଶ୍ରେଷ୍ଠ ୧୦ଟି ବଜାର ମଧ୍ୟରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ହୋଇରହିବ। ଏହା ନବମ ବୃହତ ବଜାରର ମାନ୍ୟତା ମଧ୍ୟ ନିଜ ପାଖରେ ରଖିବ ବୋଲି ଏହି ରିପୋର୍ଟରେ ଆକଳନ କରାଯାଇଛି।

ଏହି ‌ରିପୋର୍ଟ ଉପରେ ମତ ରଖି ଗ୍ରୁପ୍‌ଏମ୍‌ ସାଉଥ୍‌ ଏସିଆର ସିଇଓ ପ୍ରଶାନ୍ତ କୁମାର କହିଛନ୍ତି ଯେ ମହାମାରୀ ଯୋଗୁଁ ଡିଜିଟାଲ୍‌ ପ୍ରତି ବିଜ୍ଞାପନଦାତାମାନଙ୍କ ଆଗ୍ରହ ବଢ଼ିଛି। ଇ-କମର୍ସ ଓ ଟେଲିକମ୍ କଂପାନିଗୁଡ଼ିକ ଅର୍ଥନୀତିକୁ ଆଗକୁ ବଢ଼ାଇବେ। ଏହି ଅଭିବୃଦ୍ଧିରେ ଏଫ୍ଏମ୍‌ସିଜି ଓ ଅଟୋମୋବାଇଲ୍ କଂପାନିଗୁଡ଼ିକର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ ବୋଲି ସେ କହିଛନ୍ତି। କଂପାନିର ସଭାପତି (ଗ୍ରୋଥ୍‌ ଆଣ୍ଡ୍‌ ଟ୍ରାନ୍ସଫର୍ମେସନ୍) ତୁଷାର ବ୍ୟାସ କହିଛନ୍ତି ଯେ ୨୦୨୨ରେ ବିଜ୍ଞାପନ ପାଇଁ ଡିଜିଟାଲ୍ ସବୁଠୁ ବଡ଼ ମାଧ୍ୟମ ଭାବେ ଉଭା ହେବ। ଏହା ଭାଗରେ ୪୫% ବଜାର ରହିବ। ୨୦୨୨ରେ ଡିଜିଟାଲ୍‌ରେ ୩୩% ବୃଦ୍ଧି ହେବ ବୋଲି ଆକଳନ କରାଯାଇଥିବା ସେ କହିଛନ୍ତି। ସେହିପରି, ସଂସ୍ଥାର ଚିଫ୍ ଷ୍ଟ୍ରାଟେଜି ଅଫିସର ପାର୍ଥସାରଥୀ ମଣ୍ଡାୟାମ କହିଛନ୍ତି ଯେ ନିରନ୍ତରତା ଓ ସମ୍ବେଦନଶୀଳତା ପ୍ରତି ଗ୍ରାହକମାନେ ଆଗ୍ରହ ଦେଖାଉଥିବାରୁ ବ୍ରାଣ୍ଡ୍‌ଗୁଡ଼ିକ ମଧ୍ୟ ସେହି ଅନୁସାରେ ପରିବର୍ତନ ଆଣୁଛନ୍ତି। ସେହି ପରିବର୍ତନ ଧାରାକୁ ଆଗକୁ ବଢ଼ାଇବାର ଶକ୍ତି ଗଣମାଧ୍ୟମ ପାଖରେ ରହିଥିବା ସେ କହିଛନ୍ତି।

ଗ୍ରୁପ୍ଏମ୍‌ ଇଣ୍ଡିଆର ସଭାପତି (ଡାଟା, ପରଫରମାନ୍ସ ଓ ଡିଜିଟାଲ୍‌ ପ୍ରଡକ୍ଟସ୍‌) ଆତିକ୍ୟୁ କାଜି କହିଛନ୍ତି ଯେ ଡିଜିଟାଲ୍ କ୍ଷେତ୍ରରେ ଆଗରେ ରହିବା ଲାଗି ସଂସ୍ଥାଗୁଡ଼ିକୁ ନିଜ ରଣନୀତିରେ ନବସୃଜନ, ବୁଦ୍ଧିମତା ଓ ସମନ୍ବୟର ମିଶ୍ରଣ ରଖିବାକୁ ହେବ। ଟିଭି ଓ କନେକ୍ଟେଡ୍‌ ଟିଭି କ୍ଷେତ୍ରରେ ବୃଦ୍ଧି ଘଟିବ। ଇ-କମର୍ସ, ପ୍ରଦର୍ଶନ ମାର୍କେଟିଂ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। କଂପାନିର ସଭାପତି (ଇନଭେଷ୍ଟମେଣ୍ଟ୍‌ ଆଣ୍ଡ୍‌ ପ୍ରାଇସିଂ) ସିଦ୍ଧାର୍ଥ ପରାସର କହିଛନ୍ତି ଯେ ଯଦିଓ ବିଜ୍ଞାପନର ବଡ଼ ଭାଗ ଡିଜିଟାଲ୍ ହାସଲ କରିବ, ତଥାପି ଓଓଏଚ୍‌ ଓ ସିନେମାରେ ମଧ୍ୟ ଉନ୍ନତି ଦେଖିବାକୁ ମିଳିବ। ଓଟିଟିରେ ମଧ୍ୟ ବୃଦ୍ଧି ହେବ। ଅନ୍ୟତମ ସଭାପତି ( ପାର୍ଟନରସିପ୍ ଆଣ୍ଡ୍‌ ଟ୍ରେଡିଂ) ଅଶ୍ବିନୀ ପଦ୍ମନାଭନ କହିଛନ୍ତି ଯେ ୨୦୨୨ରେ ବିଶ୍ବ ବିଜ୍ଞାପନ ବ୍ୟୟର ପ୍ରତିଫଳନ ଭାରତୀୟ ବଜାରରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର