ମୁମ୍ବାଇ: ଅବସର ପରବର୍ତୀ ସମୟ ପାଇଁ ଭାରତୀୟମାନେ ଅଧିକ ଚିନ୍ତା କରୁନାହାନ୍ତି। ମାତ୍ର ୩୩% ଭାରତୀୟ ଅବସର ପରବର୍ତୀ ସମୟ ଆବଶ୍ୟକତା ମେଣ୍ଟାଇବା ପାଇଁ ସଞ୍ଚୟ କରୁଛନ୍ତି। ଏଚ୍ଏସ୍ବିସି ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହା କୁହାଯାଇଛି। କାହିଁକି ଲୋକମାନେ ଅବସର ପରବର୍ତୀ ସମୟ ପାଇଁ ସଞ୍ଚୟ କରୁନାହାନ୍ତି ତାହାର କାରଣଗୁଡ଼ିକ ମଧ୍ୟ ରିପୋର୍ଟରେ କୁହାଯାଇଛି। ଅବସର ପରେ କେତେ ଟଙ୍କା ଦରକାର ତାହା ଲୋକମାନେ ଜାଣିପାରୁନାହାନ୍ତି କିମ୍ବା ହିସାବ କରିବା ପାଇଁ ସେମାନଙ୍କର ଆବଶ୍ୟକ ଜ୍ଞାନ ନାହିଁ। ଲୋକମାନେ ନିଜର ବର୍ତ୍ତମାନର ଆର୍ଥିକ ଆବଶ୍ୟକତାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ସେମାନେ ଭବିଷ୍ୟତର ଆର୍ଥିକ ଆବଶ୍ୟକତା ବିଷୟରେ ବେଶି ଚିନ୍ତା କରୁନାହାନ୍ତି। ଏଚ୍ଏସ୍ବିସି ପକ୍ଷରୁ ୧୬,୦୦୦ ପ୍ରାପ୍ତବୟସ୍କଙ୍କୁ ନେଇ ଅନଲାଇନ୍ରେ ଏକ ସର୍ଭେ କରାଯାଇଥିଲା। ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଚୀନ୍ ଓ ଭାରତ ଭଳି ୧୬ଟି ଦେଶରେ ଏହି ସର୍ଭେ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରୁ ଜଣାପଡ଼ିଛି ଯେ, ଏବେ କାମ କରୁଥିବା ମାତ୍ର ୧୯% ଲୋକ ଭବିଷ୍ୟତର ନର୍ସିଂ ଓ କେୟାର ହୋମ୍ ଫି’ ପାଇଁ ଅର୍ଥ ସଞ୍ଚୟ କରୁଛନ୍ତି। ୫୩% ଲୋକ ଏଥିପାଇଁ ଚିନ୍ତିତ ଥିଲେ ମଧ୍ୟ ସଞ୍ଚୟ କରିପାରୁନାହାନ୍ତି। ୪୫% ଲୋକ କହିଛନ୍ତି ଯେ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଅପେକ୍ଷା ବର୍ତ୍ତମାନର ସମୟକୁ ଉପଭୋଗ କରିବା ପାଇଁ ସେମାନେ ଅଧିକ ଖର୍ଚ କରୁଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ୬୯% ଲୋକ ବୃଦ୍ଧାବସ୍ଥାକୁ ଅବସର ସମୟ ବୋଲି ଭାବୁନାହାନ୍ତି। ଅଧିକାଂଶ ଲୋକ ଅବସର ସମୟରେ କାମ ଜାରି ରଖିବେ ବୋଲି ଉତ୍ତର ଦେଇଛନ୍ତି। ୪୫% ଲୋକ ଅବସର ପରେ ନୂତନ ବ୍ୟବସାୟ ଆରମ୍ଭ କରିବା ଉପରେ ବିଚାର କରୁଛନ୍ତି। ୬୬% ଲୋକ ଜାଣିନାହାନ୍ତି ଅବସର ସମୟ ପାଇଁ କେତେ ଟଙ୍କା ଦରକାର? ୭୬% ଲୋକ ସକାଳ ୯ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାକିରିରୁ ସ୍ୱାଧୀନତା ଚାହୁଁଛନ୍ତି। ୭୨% ଲୋକ ନିଜ ପସନ୍ଦର କାମ କରିବାକୁ ଚାହୁଁଥିବା ବେଳେ ୬୮% ଲୋକ ଫିଟ୍ ରହିବାକୁ ଚାହୁଁଛନ୍ତି।