ଆସିବ ଦେଢ଼ ଲକ୍ଷ କୋଟିର ପ୍ୟାକେଜ୍ : ସରକାର ଅଧିକ ଋଣ କରିବେ, ରିଜର୍ଭ ବ୍ୟାଙ୍କ ସରକାରୀ ପ୍ରତିଭୂତି କିଣିବ

ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ଦିଅ: ଗଙ୍ଗୱାର

ନୂଆଦିଲ୍ଲୀ : କରୋନା ଭୂତାଣୁ ପ୍ରଭାବରେ ଦେଶରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଙ୍କଟମୟ ସ୍ଥିତିର ମୁକାବିଲା କରିବା ଲାଗି କେନ୍ଦ୍ର ସରକାର ୧.୫ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ୍ ଘୋଷଣା କରିବାର ସମ୍ଭାବନା ରହିଛି। ଏହି ପ୍ୟାକେଜ୍‌କୁ ଚୂଡ଼ାନ୍ତ ରୂପ ପ୍ରଦାନ କରିବା କାର୍ଯ୍ୟ ଜାରି ରହିଛି। ପ୍ୟ‌ାକେଜ୍‌ର ରୂପରେଖକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ ଆଲୋଚନା ଚାଲିଛି।

ଅର୍ଥନୈତିକ ପ୍ୟା‌କେଜ୍‌ କେତେ ବଡ଼ ହେବ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନଥିଲେ ମଧ୍ୟ ତାହା ବର୍ତ୍ତମାନ ସ୍ଥିତିରେ ୧.୫ ଲକ୍ଷ କୋଟି ଟଙ୍କାର ହୋଇପାରେ ଓ ଦରକାର ପଡ଼ିଲେ ୨.୩ ଲକ୍ଷ କୋଟି ଟଙ୍କା ଭଳି ବଡ଼ ଧରଣର ହୋଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି। ଚଳିତ ସପ୍ତାହ ଶେଷ ସୁଦ୍ଧା ସରକାର ଏହି ପ୍ୟାକେଜ୍ ଘୋଷଣା କରିପାରନ୍ତି। କେନ୍ଦ୍ର ସରକାର ୧୦ କୋଟି ଗରିବ ଲୋକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଅର୍ଥ ଜମା କରିବା ଉପରେ ବିଚାର କରୁଛନ୍ତି। ଏହା ବ୍ୟତୀତ ଲକ୍‌ ଡାଉନ୍ ( ତାଲା ବନ୍ଦ) କାରଣରୁ ପ୍ରଭାବିତ ହୋଇଥିବା ବ୍ୟବସାୟୀଙ୍କୁ ମଧ୍ୟ ସହାୟତା ଦେବାକୁ ଯୋଜନା ପ୍ରସ୍ତୁତ ହେଉଛି।

ତାଲା ବନ୍ଦ କାରଣରୁ ଦେଶରେ ଦରଦାମ୍ ସ୍ଥିତି ବେଲଗାମ ହେବାର ଆଶଙ୍କା ରହିଥିବାରୁ ‌କିଛି ସରକାରୀ ପ୍ରତିଭୁତ୍ତିକୁ କିଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନିର୍ଦେଶ ଦିଆଯାଇଛି। ବିଗତ ଦଶନ୍ଧୀରେ ରିଜର୍ଭ ବ୍ୟାଙ୍କ ପ୍ରଥମ ଥର ଲାଗି ଏହି ପଦକ୍ଷେପ ନେବାକୁ ଯାଉଛି। ଏହା ବ୍ୟତୀତ ଅଧିକ ଋଣ କରିବା ଉପରେ ମଧ୍ୟ ସରକାର ବିଚାର କରୁଥିବା ଜଣାପଡ଼ିଛି। ବିଶ୍ବର ଅନେକ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ବଣ୍ଡ୍‌ କିଣିବା ଆରମ୍ଭ କରିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ମଧ୍ୟ ସେଭଳି ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଆମେରିକା ଭଳି ରାଷ୍ଟ୍ର ପକ୍ଷରୁ ଅର୍ଥନୈତିକ ପ୍ୟାକେଜ୍‌କୁ ସେଠାକାର ସିନେଟ୍ ମଞ୍ଜୁରି ଦେଇଥିବା ବେଳେ ଭାରତ ସରକାର ଖୁବ୍‌ଶୀଘ୍ର ପ୍ୟାକେଜ୍ ଘୋଷଣା କରନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।

ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ଦିଅ: ଗଙ୍ଗୱାର
ନୂଆଦିଲ୍ଲୀ : ଦେଶରେ ଥିବା ସାଢ଼େ ତିନି କୋଟିରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଲାଗି ଶ୍ରମ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ଉପ ରାଜ୍ୟପାଳମାନଙ୍କୁ କହିଛନ୍ତି। କରୋନା ପ୍ରଭାବରେ ସୃଷ୍ଟି ହୋଇଥିବା ସ୍ଥିତିର ମୁକାବିଲା କରିବା ଲାଗି ନିର୍ମାଣ ସେସ୍‌ ଆକାରରେ ଆଦାୟ କରାଯାଇଥିବା ୫୨ ହଜାର କୋଟି ଟଙ୍କାର ପାଣ୍ଠିରୁ ଅର୍ଥ ଆଣି ନିର୍ମାଣ ଶ୍ରମିକମାନଙ୍କୁ ସହାୟତା ରାଶି ଆକାରରେ ବଣ୍ଟନ କରିବାକୁ ସେ କହିଛନ୍ତି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ଏହି ସହାୟତା ରାଶିକୁ ନିର୍ମାଣ ଶ୍ରମିକମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରିବାକୁ ସେ କହିଛନ୍ତି।

ସମ୍ବନ୍ଧିତ ଖବର