୨୪ଘଣ୍ଟା ମଧ୍ୟରେ ଶହଶହ କୋଟି ହରାଇଲେ ଏଲନ୍ ମସ୍କ, ଶ୍ରେଷ୍ଠ ୫ ଧନୀରୁ ଷଷ୍ଠ ସ୍ଥାନକୁ ଖସିଲେ ଗୌତମ ଅଦାନୀ

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ଓ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଆମେରିକା ସମେତ ବିଶ୍ବର ଷ୍ଟକ୍ ମାର୍କେଟଗୁଡିକରେ ବିଗତ କିଛି ଦିନ ହେବ ହ୍ରାସ ପରିଲକ୍ଷିତ ହେଉଛି । ସେୟାର ମୂଲ୍ୟ ହ୍ରାସ ଯୋଗୁଁ ବିଶ୍ବର ପ୍ରମୁଖ ଧନୀବ୍ୟକ୍ତିଙ୍କ ସଂପତ୍ତି ପରିମାଣ ହ୍ରାସ ପାଇଚାଲିଛି।  ଗତ ୨୪ ଘଣ୍ଟା ମଧ୍ୟରେ ଶ୍ରେଷ୍ଠ ୧୦ ଜଣ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ୫୫ ବିଲିୟନ ଡଲାରରୁ ଅଧିକ ହ୍ରାସ ପାଇଛି। ପୃଥିବୀର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏବଂ ଭାରତ ତଥା ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ଗୌତମ ଅଦାନୀ ସବୁଠୁ ଅଧିକ କ୍ଷତି ସହିଥିବା ଜଣାପଡ଼ିଛି।

ଫୋର୍ବସର ରିଅଲ୍ ଟାଇମ୍ ବିଲିୟନାୟାର ତାଲିକା ଅନୁଯାୟୀ, ବିଶ୍ବର ୧୦ ଜଣ ଧନୀ ବ୍ୟକ୍ତି ଗତ ୨୪ ଘଣ୍ଟା ମଧ୍ୟରେ ୫୫ ବିଲିୟନ ଡଲାରରୁ ଅଧିକ ଟଙ୍କା ହରାଇଛନ୍ତି। ଏହି ସମୟ ମଧ୍ୟରେ ଶ୍ରେଷ୍ଠ ୧୦ ଜଣ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ହ୍ରାସ ପାଇଛି। ଟେସଲାର ମାଲିକ ଏଲନ୍ ମସ୍କ ସର୍ବାଧିକ ୧୮.୭ ବିଲିୟନ ଡଲାରର କ୍ଷତି ସହିଥିବା ବେଳେ ତାଙ୍କର ନେଟ୍ ସଂପତ୍ତିର ମୂଲ୍ୟ ୨୩୭.୧ ବିଲିୟନ ଡଲାରକୁ ଖସି ଆସିଛି। ଏହା ପୂର୍ବରୁ ତାଙ୍କର ସମ୍ପତ୍ତି ୩୦୦ ବିଲିୟନ ଡଲାର ଅତିକ୍ରମ କରିଥିଲା ​। ସମ୍ପତ୍ତି କମ ହୋଇଥିଲେ ବି ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି।

ମସ୍କଙ୍କ ପରେ ଭାରତୀୟ ବ୍ୟବସାୟୀ ଗୌତମ ଅଦାନୀ ସର୍ବାଧିକ କ୍ଷତି ସହିଛନ୍ତି। ଅଦାନୀ ଗ୍ରୀନ୍ ଏନର୍ଜି ଏବଂ ଅଦାନୀ ଟ୍ରାନ୍ସମିସନର ସମ୍ପତ୍ତି ୮-୮ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଏହା ଗୌତମ ଆଦାନୀଙ୍କ ନିଟ୍ ମୂଲ୍ୟ ଉପରେ ପ୍ରଭାବ ପକାଇଛି। ତାଲିକା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଅଦାନୀଙ୍କ ସମ୍ପତ୍ତି ୧୧.୬ ବିଲିୟନ ଡଲାର ହ୍ରାସ ପାଇଛି। ଏହି ହ୍ରାସ ହେତୁ ଗୌତମ ଅଦାନୀ ଧନୀ ତାଲିକାର ଶ୍ରେଷ୍ଠ ୫ସ୍ଥାନରୁ ତଳକୁ ଖସିଯାଇଛନ୍ତି। ବର୍ତ୍ତମାନ ସେ ୧୧୨.୨ ବିଲିୟନ ଡଲାର ସମ୍ପତ୍ତି ସହିତ ଷଷ୍ଠ ସ୍ଥାନରେ ଅଛନ୍ତି।

ସମ୍ବନ୍ଧିତ ଖବର