ଡିସେମ୍ବରରୁ ଦିଆଶିଲି ମହଙ୍ଗା: ଦାମ୍‌ ୨ ଟଙ୍କା ହେବ

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ଏଲ୍‌ପିଜି ପରେ ଏବେ ଦିଆଶିଲିର ଦରବୃଦ୍ଧି ପାଳି ପଡ଼ିଛି। ଦିଆଶିଲି ନିର୍ମାଣରେ ବ୍ୟବହୃତ କଞ୍ଚାମାଲ ଦାମ୍‌ ବହୁମାତ୍ରରେ ବଢ଼ିଯାଇଛି। ଏଥିପାଇଁ ଆସନ୍ତା ଡିସେମ୍ବରରୁ ଦିଆଶିଲି ଦାମ ୧ ଟଙ୍କା ପରିବର୍ତ୍ତେ ୨ ଟଙ୍କା କରାଯିବ ବୋଲି ଦିଆଶିଲି ନିର୍ମାତା ସଂଘଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି।
ଦିଆଶିଲି ନିର୍ମାତାଙ୍କ କହିବାନୁଯାୟୀ, ଏଥିରେ ପ୍ରାୟ ୧୪ ପ୍ରକାର କଞ୍ଚାମାଲ ବ୍ୟବହୃତ ହୋଇଥାଏ। ସେହି କଞ୍ଚାମାଲଗୁଡ଼ିକ ମଧ୍ୟରୁ ରେଡ୍ ଫସଫରସ୍ ଦାମ୍‌ ୪୨୫ ଟଙ୍କା ପରିବର୍ତ୍ତେ ୮୧୦ ଟଙ୍କାରେ ପହଞ୍ଚିଛି। ୱାକ୍ସର ଦାମ ୫୮ ଟଙ୍କା ବଦଳରେ ୮୦ ଟଙ୍କା ହୋଇଛି।

ଏଥିସହିତ ଦିଆଶିଲି ଖୋଳ ବୋର୍ଡ କାଗଜ, ପୋଟାସିୟମ କ୍ଲୋରେଟ୍ ଏବଂ ସଲଫର ଆଦିର ଦାମ ଚଳିତମାସ ୧୦ ତାରିଖରୁ ବୃଦ୍ଧି ପାଇଛି। ତେଣୁ ୫ଟି ପ୍ରମୁଖ ଦିଆଶିଲି ନିର୍ମାତା ସଂଘ ପକ୍ଷରୁ ଶିବକାଶୀରେ ଅନୁଷ୍ଠିତ ବୈଠକରେ ଏହାର ଦାମ ବଢ଼ାଇବା ଲାଗି ସ୍ଥିର କରାଯାଇଛି। ୧୪ ବର୍ଷ ପରେ ଦିଆଶିଲି ଦାମ ବଢ଼ିଛି। ଶେଷଥର ପାଇଁ ୨୦୦୭ ମସିହାରେ ଦିଆଶିଲି ଦାମ ୫୦ ପଇସାରୁ ୧ ଟଙ୍କାକୁ ବୃଦ୍ଧି ପାଇଥିଲା। ବିଭିନ୍ନ କଞ୍ଚାମାଲ ବ୍ୟତୀତ ‌ପେଟ୍ରୋଲ, ଡିଜେଲ ଦାମ୍‌ ବୃଦ୍ଧି ଦ୍ବାରା ପରିବହନ ଖର୍ଚ୍ଚ ବଢ଼ିଯାଇଛି। ଫଳରେ ସେମାନେ ଦିଆଶିଲି ଦାମ୍‌ ବଢ଼ାଇବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି। ନ୍ୟାସନାଲ ସ୍ମଲ ମ୍ୟାଚବକ୍ସ ମ୍ୟାନୁଫାକଚର୍ସ ଆସୋସିଏସନର ସଂପାଦକ ଭି ଏସ ସେତୁରଥିନମ କହିଛନ୍ତି ଯେ ୬୦୦ ଦିଆଶିଲି ଥିବା ବଣ୍ଡଲକୁକୁ ଏବେ ୨୭୦ ଟଙ୍କାରୁ ୩୦୦ ଟଙ୍କାରେ ବିକ୍ରି କରାଯାଉଛି। ତେବେ ଏହାର ମୂଲ୍ୟରେ ୬୦ ପ୍ରତିଶତ ବୃଦ୍ଧି କରାଯାଇ ୪୩୦ ଟଙ୍କାରୁ ୪୮୦ ଟଙ୍କା ରଖାଯିବାକୁ ନିଷ୍ପତ୍ତି ହୋଇଛି। ୧୨ ପ୍ରତିଶତ ଜିଏସଟି ଏବଂ ପରିବହନ ଖର୍ଚ୍ଚକୁ ଏଥିରେ ସାମିଲ କରାଯାଇ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର