ଏଫଏଲଓ ୱେବିନାରରେ ବିଶେଷଜ୍ଞଙ୍କ ମତ: ରାଜ୍ୟକୁ ଫେରିଥିବା ଲକ୍ଷ ଲକ୍ଷ ପ୍ରବାସୀ ଯୁବକଯୁବତୀଙ୍କ ଦକ୍ଷତା ବିକାଶ କରିବାକୁ ହେବ
ଭୁବନେଶ୍ୱର: କରୋନା ମହାମାରୀ ଦେଶର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇଛି ଏବଂ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି । ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବୁଝିପାରୁନାହାନ୍ତି ଯେ ମାସ ମାସ ଧରି ଚାଲିଥିିବା ଲକଡାଉନରେ କ’ଣ କରିବେ ବା ସ୍ୱାଭାବିକତା ଫେରିବାକୁ ଅପେକ୍ଷା କରି ବର୍ଷଟିଏ ନଷ୍ଟ କରିଦେବେ । ସେହିପରି ରାଜ୍ୟକୁ ଫେରିଥିବା ଲକ୍ଷ ଲକ୍ଷ ଅଣକୁଶଳୀ ଓ ଅର୍ଦ୍ଧ କୁଶଳୀ ଯୁବକଯୁବତୀଙ୍କୁ ଭବିଷ୍ୟତର ନିଯୁକ୍ତି ବଜାର ପାଇଁ ପ୍ରସ୍ତୁତ କରିବାକୁ ହେଲେ ସେମାନଙ୍କୁ ପୁଣି ଦକ୍ଷତା ତାଲିମ ଦେବାକୁ ହେବ ବା ନୂଆ କୌଶଳ ଶିଖାଇବାକୁ ହେବ ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ପରିପ୍ରେକ୍ଷୀରେ କୋଭିଡ-୧୯ ପରବର୍ତ୍ତୀ କ୍ୟାରିୟର ସୁଯୋଗ ଓ ସମ୍ଭାବନା ସଂପର୍କରେ ଯୁବପିଢିଙ୍କୁ ସଚେତନ କରିବାକୁ ଫିକ୍କି ମହିଳା ସଂଗଠନ(ଏଫଏଲଓ),ଭୁବନେଶ୍ୱର ପକ୍ଷରୁ ଗ୍ରାମ ତରଙ୍ଗ ସହଯୋଗରେ ଏକ ଓ୍ଵିବିନାର ସିରିଜ ଆରମ୍ଭ ହୋଇଛି ।
ଦଶମ ଓ ଦ୍ବାଦଶ ପାଶ କରିଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଲକ୍ଷ୍ୟ ରଖି ଆୟୋଜନ କରାଯାଉଥିବା ଏସବୁ ଇଣ୍ଟରାକ୍ଟିଭ ୱେବିନାରଗୁଡ଼ିକରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗ ଦେଇ କ୍ୟାରିୟର ସଂପର୍କିତ ପରାମର୍ଶ ଦେଉଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଏହି ସିରିଜର ପ୍ରଥମ ୱେବିନାରଟି ଗୁରୁବାରଦିନ ଅନୁଷ୍ଠିତ ହୋଇଯାଇଛି । ୟୁଟ୍ୟୁବ ମାଧ୍ୟମରେ ପ୍ରାୟ ୧୨୦୦ରୁ ଅଧିକ ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିଥିଲେ ।
ପ୍ରାରମ୍ଭରେ ଗ୍ରାମତରଙ୍ଗ ପକ୍ଷରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ବିଭିନ୍ନ କାର୍ଯ୍ୟ ଓ ନିଯୁକ୍ତି ସୁଯୋଗ ସଂପର୍କରେ ଏକ ଶିକ୍ଷଣୀୟ ଆଲୋଚନା ଉପସ୍ଥାପନ କରାଯାଇଥିଲା ।
ଏହି ଅବସରରେ ଏଫଏଲଓ, ଭୁବନେଶ୍ୱରର ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ କରୋନା ପରିସ୍ଥିତି ପରେ ଉପଲବ୍ଧ ହେବାକୁ ଥିବା ବିଭିନ୍ନ କ୍ୟାରିୟର ବିକଳ୍ପକୁ ଅନୁସଂଧାନ କରି ତାହା ଅନୁଯାୟୀ ନିଜର ଦକ୍ଷତା ବିକାଶ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ୱେବିନାରରେ ଅତିଥି ବକ୍ତା ଭାବେ ଯୋଗ ଦେଇଥିବା ଶିଳ୍ପ ବିଶେଷଜ୍ଞ ତଥା ଆମେରିକାସ୍ଥିତ କ୍ଲେଭେଲାଣ୍ଡ କ୍ଲିନିକର ମୁଖ୍ୟ ସପ୍ଲାଇଚେନ ଓ ସପୋର୍ଟ ସର୍ଭିସ ଅଫିସର ସିମ୍ରିତ ସାନ୍ଧୁ ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଏକ ଉପଯୋଗୀ ଅଭିଭାଷଣ ରଖିଥିଲେ । ସେ କହିଥିଲେ ଯେ ଆଜିକାଲି ହସପିଟାଲ କହିଲେ କେବଳ ଡାକ୍ତର କିମ୍ବା ନର୍ସଙ୍କୁ ବୁଝାଏ ନାହିଁ, ବରଂ ଏହା ସହିତ ଜଡ଼ିତ ଆହୁରି ଅନେକ ବିଭାଗକୁ ବୁଝାଏ । ଏକ ହସପିଟାଲର ସପ୍ଲାଇ ଚେନ ବିଭାଗ ଅଧିନରେ ବିଭିନ୍ନ ସାମଗ୍ରୀର ଯୋଗାଣ, ଲାବରୋଟୋରୀ, ଔଷଧ, ଉପକରଣ, ବିଭିନ୍ନ ପ୍ରକାରର ସେବା ଏପରିକି ହସପିଟାଲର ସାଜସଜ୍ଜା କାର୍ଯ୍ୟ ଆଦି ଆସିଥାଏ । ହସପିଟାଲ ପାଇଁ ବିଭିନ୍ନ ସାମଗ୍ରୀର ଖରିଦ, ଆବଣ୍ଟନ ଓ ପରିଚାଳନା ଆଦି କାର୍ଯ୍ୟ ସପ୍ଲାଇଚେନ ଓ ସପୋର୍ଟ ସର୍ଭିସ ଅଧିନରେ ଆସିଥାଏ । ଏଣୁ ଛାତ୍ରଛାତ୍ରୀମାନେ ଏସବୁ ବିଷୟରେ ଜ୍ଞାନ ଆହରଣ କରିବା ଆବଶ୍ୟକ । କେଉଁ କ୍ଷେତ୍ରରେ ଦକ୍ଷ ଲୋକଙ୍କ ଅଭାବ ରହିଛି ସେହି କ୍ଷେତ୍ରରେ ତାଲିମ ନେବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ଏପରି ଏକ ଉଦ୍ୟୋଗ ବାଛିବା ଉଚିତ ଯେଉଁଥିରେ ଚାକିରି ସୁରକ୍ଷିତ ରହିବ ଓ ଆତ୍ମସନ୍ତୁଷ୍ଟି ମଧ୍ୟ ମିଳିବ । ନାରୀ ସଶକ୍ତିକରଣ ଉପରେ ମତ ରଖି ସେ କହିଥିଳେ ଯେ ଆମକୁ ଝିଅମାନଙ୍କୁ ଶିକ୍ଷିତ କରି ସେମାନଙ୍କୁ ସମାଜର ଅଭିବୃଦ୍ଧି ପଥରେ ସାମିଲ କରିବାକୁ ହେବ । ବ୍ୟକ୍ତିଗତ ଓ ପେସାଦାର ଜୀବନ ମଧ୍ୟରେ ଆମକୁ ଭାରସାମ୍ୟ ରଖିବାକୁ ହେବ। କ୍ୟାରିୟରରେ ପ୍ରଗତି କରିବାକୁ ହେଲେ ଆମକୁ ଆରାମ ଦାୟକ ଜୀବନ ପରିତ୍ୟାଗ କରିବାକୁ ହେବ ବୋଲି ସିମ୍ରିତ ସାନ୍ଧୁ କହିଛନ୍ତି।
ଏହି ୱେବିନାରରେ ଯୋଗଦେଇଥବା ଆକାଂକ୍ଷା ମିଶ୍ର ନାମ୍ନୀ ଦ୍ବାଦଶ ଶ୍ରେଣୀ ଛାତ୍ରୀ କହିଛନ୍ତି ଯେ ଏହି ଆଲୋଚନାଚକ୍ରରୁ ଅନେକ କିଛି ଶିଖିବାକୁ ମିଳିଲା । ତାଙ୍କ ବୟସର ଛାତ୍ରଛାତ୍ରୀମାନେ ଅନେକ ସମୟରେ ଜାଣିପାରନ୍ତି ନାହିଁ ଯେ କ୍ୟାରିୟର ଭାବେ କ’ଣ ବାଛିବାକୁ ହେବ ଓ ଆଗକୁ କ’ଣ ପଢିବାକୁ ହେବ । ୱେବିନାର ଜରିଆରେ କ୍ୟାରିୟର ପରାମର୍ଶ ଏକ ଅଭିନବ ଉଦ୍ୟମ।
ଏଫଏଲଓ ଶିକ୍ଷା ସିରିଜର ପରବର୍ତ୍ତୀ ୱେବିନାରଟି ୨୩ ଜୁନ ସକାଳ ୧୧ଟାରେ ଜିଟିଇଟିର ୟୁଟ୍ୟୁବ ଓ ଫେସବୁକ ଚ୍ୟାନେଲରେ ହେବ । ଆଲୋଚନା ଶେଷରେ ଏଫଏଲଓ ଭୁବନେଶ୍ୱରର ବରିଷ୍ଠ ଉପାଧ୍ୟକ୍ଷା ସୁନୀତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।