ଡାଟା ନିୟମ ମାନିଲେନି ବିଦେଶୀ କମ୍ପାନି

ଭିସା, ମାଷ୍ଟରକାର୍ଡ ବି ପାଳନ କରି ପାରିନାହାନ୍ତି ନିୟମ

ନୂଆଦିଲ୍ଲୀ: ବିଦେଶର ପେମେଣ୍ଟ ସେବା ପ୍ରଦାନକାରୀ କମ୍ପାନି ଗୁଡ଼ିକ ପାଇଁ ଆଜି (ଅକ୍ଟୋବର ୧୫) ଥିଲା ଭାରତରେ ଡାଟା ସାଇତି (ଷ୍ଟୋର୍) ରଖିବାର ଶେଷ ତାରିଖ। ଆଜି ସୁଦ୍ଧା ଭାରତରେ ସେମାନଙ୍କ ଡାଟା ସାଇତି ରଖିବା ଲାଗି ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଥିଲା। ତେବେ‌ ଭିସା, ମାଷ୍ଟରକାର୍ଡ ସମେତ ଅନେକ ବିଦେଶୀ କମ୍ପାନି ଏହି ନିୟମ ପାଳନ କରିବାରେ ବିଫଳ ହୋଇଛନ୍ତି ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି। ତେବେ ଏହା ଉପରେ ଉପରୋକ୍ତ ଦୁଇ କମ୍ପାନି କିମ୍ବା ରିଜର୍ଭ ବ୍ୟାଙ୍କ ଅଧିକାରୀଙ୍କ କୌଣସି ମତାମତ ମିଳିପାରି ନାହିଁ। ତେବେ ଏହି ଦୁଇଟି କ୍ରେଡିଟ କାର୍ଡ କମ୍ପାନି ସମୟ ସୀମା ବୃଦ୍ଧି କରିବା ସହିତ ନିୟମ କୋହଳ କରିବା ପାଇଁ ଅନୁରୋଧ କରିଛନ୍ତି। ଗତ ଏପ୍ରିଲରେ ରିଜର୍ଭ ବ୍ୟାଙ୍କ ଭାରତରେ ପେମେଣ୍ଟ ଡାଟା ଷ୍ଟୋର କରିବା ଲାଗି ବିଦେଶୀ କମ୍ପାନି ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା। ଏହି ନିୟମ ପାଳନ କରିବାକୁ ୬ ମାସ ସମୟ ଦେଇଥିଲା। ରୁଷିଆ ଓ ଚୀନରେ ଏଭଳି ନିୟମ ଥିବାରୁ ଭାରତର ରିଜର୍ଭ ବ୍ୟାଙ୍କ ମଧ୍ୟ ସମାନ ନିୟମ ଆପଣାଇବାକୁ କମ୍ପାନି ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା।
ସୂଚନାଯୋଗ୍ୟ ଯେ, ଭାରତର ଡାଟା ନିୟମ କଡ଼ାକଡ଼ି ହେଲେ ଆମେରିକୀୟ କମ୍ପାନି ଗୁଡ଼ିକ ସର୍ବାଧିକ ପ୍ରଭାବିତ ହେବେ। ସେମାନଙ୍କୁ ଭାରତରେ ସର୍ଭର ରଖିବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ଆମେରିକାର ଦୁଇଜଣ ସଂସଦର ମଧ୍ୟ ନରମ ମନୋଭାବ ପୋଷଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରି ସାରିଛନ୍ତି। ତେବେ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଏହି ସମୟ ସୀମା ବୃଦ୍ଧି କରିବା ସପକ୍ଷରେ ନାହାନ୍ତି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର