ଓଡ଼ିଶାର ୪ କୋଇଲା ଖଣି ନିଲାମ

ନୂଆଦିଲ୍ଲୀ : କୋଇଲା ଖଣିର ବାଣିଜ୍ୟିକ ନିଲାମ ପ୍ରକ୍ରିୟାର ଦ୍ବିତୀୟ ଦିନ ସୁଦ୍ଧା ଓଡ଼ିଶାର ଚାରିଟି ଖଣି ନିଲାମ ହୋଇଛି। ପ୍ରଥମ ଦିନରେ ରାଜ୍ୟର ଦୁଇଟି ଖଣି ନିଲାମ ହୋଇଥିବା ବେଳେ ଦ୍ବିତୀୟ ଦିନରେ ଆଉ ଦୁଇଟି ଖଣିର ନିଲାମ ଶେଷ ହୋଇଛି। ଦ୍ବିତୀୟ ଦିନରେ ନିଲାମ ହୋଇଥିବା ଦୁଇ ଖଣିକୁ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଓ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ହାସଲ କରିଛନ୍ତି। ଉତ୍କଳ-ସି କୋଇଲା ଖଣି ପାଇଁ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ସର୍ବୋଚ୍ଚ ବିଡ୍‌ ଦାଖଲ କରିଥିବା ବେଳେ ମିନାକ୍ଷୀ ଖଣିକୁ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ହାସଲ କରିଛି। ମିନାକ୍ଷୀ ଖଣିରେ ୨୮୫.୨୩ ନିୟୁତ ଟନ୍ ଓ ଉତ୍କଳ-ସିରେ ୧୯୬.୩୪୭ ଟନ୍ କୋଇଲା ଗଚ୍ଛିତ ରହିଛି।

ପ୍ରଥମ ଦିନରେ ପାଞ୍ଚଟି କୋଇଲା ଖଣି ନିଲାମ ହୋଇଥିଲା। ଓଡ଼ିଶାର ବିଜାହନ ଖଣିକୁ ମହାନଦୀ ମାଇନ୍ସ ଆଣ୍ଡ୍ ମିନେରାଲ୍ସ ହାସଲ କରିଥିବା ବେଳେ ବାଙ୍ଖୁଇ ଖଣିକୁ ୟାଜଦାନି ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍‌ ହାସଲ କରିଛି। ନିଲାମର ଦ୍ବିତୀୟ ଦିନରେ ମୋଟ ପାଞ୍ଚଟି କୋଇଲା ଖଣି ନିଲାମ ହୋଇଛି। ସେଥିରେ ଓଡ଼ିଶାର ମିନାକ୍ଷୀ ଓ ଉତ୍କଳ-ସି ଖଣି ଥିବା ବେଳେ ଆସାମର ଗରମପାଣି, ମହାରାଷ୍ଟ୍ରର ମାଜ୍‌ରା ଓ ଅରୁଣାଚଳପ୍ରଦୋର ନାମଚିକ୍ ନାମଫୁକ୍ ଖଣି ରହିଛି।

ସମ୍ବନ୍ଧିତ ଖବର