ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା: ଆଉ ୩ ମାସ ମାଗଣାରେ ମିଳିବ ରାସନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେୱାଇ)ର ଅବଧିକୁ ଆଉ ତିନି ମାସ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଦ୍ବାରା ଦେଶର ୮୦ କୋଟି ଲୋକ ଆଉ ତିନି ମାସ ପର୍ଯ୍ୟନ୍ତ ମାଗଣାରେ ମାସକୁ ୫ କେଜି ଚାଉଳ ଓ ଗହମ ପାଇପାରିବେ। ଆଗାମୀ ଦିନରେ ଗୁଜରାଟ ଓ ହିମାଚଳପ୍ରଦେଶରେ ହେବାକୁ ଥିବା ନିର୍ବାଚନକୁ ନଜରରେ ରଖି ଏହି ଯୋଜନାର ଅବଧି ବୃଦ୍ଧି କରାଯାଇଥିବା କୁହାଯାଉଛି। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ୨୦୨୨ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଦେଶରେ କରୋନା ମହାମାରୀ ବ୍ୟାପିବା ପରେ ଘୋଷଣା ହୋଇଥିବା ଲକ୍‌ଡାଉନ ଯୋଗୁଁ କାମଧନ୍ଦା ହରାଇଥିବା ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି ୨୦୨୦ ଏପ୍ରିଲ୍‌ରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏହା ପରଠାରୁ ଏହି ସ୍କିମ୍‌ର ଅବଧିକୁ ଛଅ ଥର ବୃଦ୍ଧି କରାଯାଇଛି। ଦେଶରେ କୋଭିଡ୍‌ ପ୍ରଭାବ ହ୍ରାସ ପାଉଥିବା ସହ ବିଭିନ୍ନ କାରଣକୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ଗରିବ ବର୍ଗର ଲୋକମାନଙ୍କ ଖାଦ୍ୟ ନିରାପତ୍ତାକୁ ନିଶ୍ଚିତ କରିବା ଲାଗି ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବୃଦ୍ଧି କରାଯାଇଛି। ଶ୍ରୀ ଠାକୁର କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ସରକାର ୩.୪୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ପୁଣି ଥରେ ଏହାର ଅବଧି ବୃଦ୍ଧି ହୋଇଥିବାରୁ ଆଉ ୪୪,୭୬୨ କୋଟି ଟଙ୍କା ଖର୍ଚ୍ଚ ହେବ।

 

ସମ୍ବନ୍ଧିତ ଖବର