ଅନ୍ତର୍ଜାତୀୟ ବଜାରରେ ହ୍ରାସ ସତ୍ତ୍ୱେ ଭାରତରେ ସୁନା ଦର ୧୮୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଯୋଗୁଁ ଭାରତରେ ସୁନାଦର ବଢିଚାଲିଛି । ଆଜି ସୁନା ୧୦ ଗ୍ରାମ ପିଛା ୧୮୦ ଟଙ୍କା ବୃଦ୍ଧି ପାଇ ୩୪,୩୫୦ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଜି ସାମାନ୍ୟ ହ୍ରାସ ପାଇବା ସତ୍ତ୍ୱେ ଘରୋଇ ବଜାରରେ ଜୁଏଲର୍ସମାନଙ୍କ ଦ୍ୱାରା ଅଧିକ କ୍ରୟ ଯୋଗୁଁ ଦର ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ରୁପା କିଲୋଗ୍ରାମ ପିଛା ୫୦ ଟଙ୍କା ବୃଦ୍ଧି ପାଇ ୩୮,୭୫୦ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ଆଜି ସୁନା ଆଉନ୍ସ (୨୮ ଗ୍ରାମ) ପିଛା ୧୪୦୩ ଡଲାରକୁ ହ୍ରାସ ପାଇଛି । ସେହିପରି ରୁପା ଆଉନ୍ସ ପିଛା ୧୫ ଡଲାରରେ ବିକ୍ରି ହେଉଛି । ନିବେଶକମାନେ ଓସାକାରେ ଅନୁଷ୍ଠିତ ଜି-୨୦ ସମ୍ମଳନୀରେ ବାଣିଜ୍ୟ ଯୁଦ୍ଧ ବାବଦରେ କେତେକ ସମାଧାନ ବାହାରିବ ବୋଲି ଆଶା କରୁଛନ୍ତି । ଏହା ଯୋଗୁଁ ଡଲାର ସାମାନ୍ୟ ସୁଦୃଢ ହୋଇଛି ।

ତେବେ ଆଗକୁ ସୁନା ଦର ଆହୁରି ବଢିବାର ଆଶଙ୍କା ରହିଛି । ଏହାର କାରଣ ହେଉଛି ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ । ସେହିପରି ଇରାନକୁ ନେଇ ଉପସାଗରୀୟ ଅଞ୍ଚଳରେ ଯୁଦ୍ଧର ବାତାବରଣ ମଧ୍ୟ ସୁନାରେ ନିବେଶ କରିବାକୁ ନିବେଶକମାନଙ୍କୁ ପ୍ରେତ୍ସାହିତ କରୁଛି ।

ସମ୍ବନ୍ଧିତ ଖବର