ପୁଣି ବଢ଼ିଲା ସୁନାଦର; ୧୦ ଗ୍ରାମ୍ ପିଛା ୫୦ ହଜାର

ଭୁବନେଶ୍ବର:  ହୁ ହୁ ହୋଇ ବଢ଼ୁଛି  ସୁନାଦର । ପେଟ୍ରୋଲ ପରେ ଏବେ ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି । ଦେଶର ରାଜଧାନୀ ଦିଲ୍ଲୀରେ ସୁନା ଦର ୧୦ ଗ୍ରାମ ପ୍ରତି ୫୦ ହଜାର ଟଙ୍କା ଅତିକ୍ରମ କରିଥିବାବେଳେ ଓଡିଶାରେ ବି ୨୪ କ୍ୟାରେଟ ସୁନାଦର ଛୁଇଁଛି ୫୦ ହଜାର । କରୋନା ପରିସ୍ଥିତି ସହ ବିଶ୍ୱ ବଜାରରେ ସୁନା ଚାହିଦା ବୃଦ୍ଧି ପାଉଥିବାରୁ ଏପରି ଦର ବୃଦ୍ଧି ହୋଇଛି । ଆଉ ସେୟାର ମାର୍କେଟ କୋଭିଡ ଯୋଗୁଁ ପ୍ରଭାବିତ ହୋଇଥିବାରୁ ନିବେଶକ  ସୁନାକୁ ଭରସାଯୋଗ୍ୟ ନିବେଶ ବୋଲି ମନେକରୁଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି, ଯେ ଡଲାର ମୂଲ୍ୟରେ ଅସ୍ଥିରତା ଆସିଲେ ଏଭଳି ସମସ୍ୟା ସୃଷ୍ଟି ହୁଏ । କରୋନା ଯୋଗୁ ବାହାର ଦେଶରୁ ଆମଦାନୀ ବନ୍ଦ ରହିଛି । ତେଣୁ ଦର ବଢିଛି । ଆମଦାନୀ ଠିକ ଭାବେ ହେଲେ ଦର କମିବ ।

ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ୍‌ରେ ଜୁନ୍ ମାସ ପାଇଁ ୧୦ ଗ୍ରାମ ସୁନାର ମୂଲ୍ୟ ୪୭,୧୦୫ ଟଙ୍କା ଥିଲା । ସେହିପରି, ରୁପାର କେଜି ପ୍ରତି ଦର  ୪୮,୯୨୭ ଟଙ୍କା ଥିଲା । ହଂକଂକୁ ନେଇ ଆମେରିକା ଓ ଚୀନ୍ ଭିତରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ନିବେଶକମାନେ ସୁନାରେ ଅଧିକ ମାତ୍ରାରେ ନିବେଶ କରୁଛନ୍ତି। ସେଥିପାଇଁ ଏହି ମୂଲ୍ୟବାନ ଧାତୁର ଚାହିଦା ବଢ଼ିବା ସହ ଦାମ୍ ମଧ୍ୟ ବଢ଼ୁଛି। ବର୍ତ୍ତମାନ ସାରା ବିଶ୍ବର ଇକ୍ବିଟି ବଜାର ମାନ୍ଦା ରହିଛି, ତେଣୁ ସେଠାରୁ ଭଲ ରିଟର୍ଣ୍ଣ ମିଳିବାର ବହୁତ କମ୍ ସମ୍ଭାବନା ରହିଛି। ତେଣୁ ନିବେଶକମାନେ ଅନ୍ୟ କୌଣସି ଉପାୟ ନପାଇ ସୁନାରେ ନିବେଶ କରିବାକୁ ଚାହୁଛନ୍ତି।

ସମ୍ବନ୍ଧିତ ଖବର