କେନ୍ଦ୍ରର ଜିଏସ୍‌ଟି କାରସାଦି ଧରିଲେ ସିଏଜି

୪୭,୨୭୨ କୋଟି ଟଙ୍କା ଅନ୍ୟତ୍ର ପଠାଇଛି, କ୍ଷତିପୂରଣ ରାଶିର ଅପବ୍ୟବହାର କରିଛି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପାଣ୍ଠିର ଅପବ୍ୟବହାର କରିଛନ୍ତି। ୨୦୧୭-୧୮ ଓ ୨୦୧୮-୧୯ରେ ୪୭,୨୭୨ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ପାଣ୍ଠିକୁ କେନ୍ଦ୍ର ବେଆଇନ ଭାବେ ଦେଶର ସଂଗଠିତ ପାଣ୍ଠିରେ (କନସୋଲିଡେଟେଡ୍ ଫଣ୍ଡ୍‌) ରଖିଥିଲେ। ସେହି ପାଣ୍ଠିକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଇଛି ବୋଲି ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଜଣାଇଛନ୍ତି।

ସିଏଜି କହିଛନ୍ତି, କେନ୍ଦ୍ର ସରକାରଙ୍କୁ ସେହି ପାଣ୍ଠିକୁ ଜିଏସ୍‌ଟି କ୍ଷତିପୂରଣ ସେସ୍‌ ସଂଗ୍ରହ ପାଣ୍ଠିରେ ରଖିବାର ଥିଲା। ସେହି ପାଣ୍ଠିରୁ ଟଙ୍କା ବାହାର କରି ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ରାଶି ଦିଆଯାଏ। ମାତ୍ର ସରକାର ତାହା ନକରି ସେହି ଟଙ୍କାକୁ ସଂଗଠିତ ପାଣ୍ଠିରେ ରଖିଥିଲେ। ଏହା ଦ୍ବାରା କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ସେସ୍‌ ନିୟମ ୨୦୧୭ର ଉଲ୍ଲଂଘନ କରିଛନ୍ତି। ସେସ୍‌ ସଂଗ୍ରହକୁ ନେଇ ଷ୍ଟେଟ୍‌ମେଣ୍ଟ୍‌ ୮,୯ ଓ ୧୩ରେ ଅଡିଟ୍ କରିବା ପରେ ୪୭,୨୭୨ କୋଟି ଟଙ୍କାର ପାଣ୍ଠି ଜିଏସ୍‌ଟି‌ ସେସ୍‌ ସଂଗ୍ରହ ପାଣ୍ଠିକୁ ପଠାଯାଇନଥିଲା ବୋଲି ଜଣାପଡ଼ିଛି। ଏଦିଗରେ ଅର୍ଥ ମନ୍ତ୍ରଣାଳୟ ତୁରନ୍ତ ତ୍ରୁଟି ସୁଧାରିବା ପଦକ୍ଷେପ ଗ୍ରହଣ କରିବାକୁ ସିଏଜି କହିଛନ୍ତି। ୨୦୧୮-୧୯ରେ ଜିଏସ୍‌ଟି କ୍ଷତିପୂରଣ ସେସ୍‌ ବାବଦରେ ୯୫,୦୮୧ କୋଟି ଟଙ୍କା ଆଦାୟ ହୋଇଥିଲା। କିନ୍ତୁ କ୍ଷତିପୂରଣ ପାଣ୍ଠିକୁ ମାତ୍ର ୫୪,୨୭୫ କୋଟି ଟଙ୍କା ହସ୍ତାନ୍ତର କରାଯାଇଥିଲା।

ଜିଏସ୍‌ଟି କ୍ଷତିପୂରଣ ରାଶି ଯେଉଁ ପାଣ୍ଠିରେ ଜମା ହେବା କଥା ସେଠାକୁ ନଯାଇ ଅନ୍ୟତ୍ର ଜମା ହେବାରୁ ରାଜସ୍ବ ଆୟ ଅଧିକ ଓ ବିତ୍ତୀୟ ନିଅଣ୍ଟ୍‌ କମ୍ ଥିବା ଦର୍ଶାଯାଇଥିଲା। ଆକାଉଣ୍ଟିଂ ପ୍ରକ୍ରିୟାରେ ଥିବା ତ୍ରୁଟିକୁ ମଧ୍ୟ ସିଏଜି ଧରିଛନ୍ତି। ପବ୍ଲିକ୍ ଆକାଉଣ୍ଟ୍‌କୁ ଟଙ୍କା ପଠାଇବା ବେଳେ ‘ଅନ୍ୟାନ୍ୟ ଆର୍ଥିକ ସେବା’ ବୋଲି ପ୍ରଦର୍ଶିତ ହେବା ବଦଳରେ ତାହା ‘ରାଜ୍ୟମାନଙ୍କୁ ଅନୁଦାନ ହସ୍ତାନ୍ତର’ ଭାବେ ଦର୍ଶାଯାଇଥିଲା। ସେଥିପାଇଁ ରାଜ୍ୟଗୁଡ଼ିକୁ ଦିଆଯାଉଥିବା ଅନୁଦାନ ମଧ୍ୟ ଅଧିକ ପ୍ରଦର୍ଶନ କରାଯାଇଥିଲା। ଜିଏସ୍‌ଟି କ୍ଷତିପୂରଣ ରାଜ୍ୟଗୁଡ଼ିକର ଅଧିକାର, ଅନୁଦାନ ନୁହେଁ ବୋଲି ସିଏଜି ସ୍ପଷ୍ଟ କରିଛନ୍ତି। ଅବଶ୍ୟ ସିଏଜି ଏହା ମଧ୍ୟ ଜଣାଇଛନ୍ତି ଯେ ୨୦୨୦ ଫେବ୍ରୁଆରିରେ ଅର୍ଥ ମନ୍ତ୍ରଣାଳୟ କହିଥିଲା ଯେ ସେସ୍‌ ଆକାରରେ ଆଦାୟ ହୋଇଥିବା ଯେଉଁ ଟଙ୍କା ପବ୍ଲିକ୍ ଆକାଉଣ୍ଟ୍‌ରେ ଜମା ହୋଇନଥିବ ତାହାକୁ ପରବର୍ତୀ ବର୍ଷ ସ୍ଥାନାନ୍ତର କରାଯିବ। ଏଥି ସହିତ ଆକାଉଣ୍ଟିଂ ପ୍ରକ୍ରିୟାରେ ହୋଇଥିବା ତ୍ରୁଟିକୁ ଅର୍ଥ ମନ୍ତ୍ରଣାଳୟ ମାନିଥିଲା। ତେବେ ଏହି କାର୍ଯ୍ୟ କରିବା ଲାଗି ସଂସଦର ଅନୁମୋଦନ ଦରକାର ପଡ଼ିବ।

ଭାରତର ସଂଗଠିତ ପାଣ୍ଠିରୁ ଟଙ୍କା ଆଣି ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ରାଶି ଦିଆଯାଇପାରିବ ନାହିଁ ବୋଲି ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କହିଥିଲେ। ଆଟର୍ଣ୍ଣି ଜେନେ‌ରାଲ୍ ମଧ୍ୟ କହିଥିଲେ ଯେ ଆଇନରେ ସେଭଳି କୌଣସି ବ୍ୟବସ୍ଥା ନାହିଁ। ମାତ୍ର ଜିଏସ୍‌ଟି କ୍ଷତିପୂରଣ ରାଶି ସଂଗଠିତ ପାଣ୍ଠିରେ ଜମା ହୋଇଥିବା ସିଏଜି ଧରିବା ପରେ ସରକାରଙ୍କ ଆଗାମୀ କାର୍ଯ୍ୟପନ୍ଥା କ’ଣ ହେବ ତାହା ଦେଖିବାକୁ ପଡ଼ିବ। ଜିଏସ୍‌ଟି କ୍ଷତିପୂରଣକୁ ନେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ମତଭେଦ ରହିିଛି। କରୋନା ମହାମାରୀ ପ୍ରଭାବରେ ଜିଏସ୍‌ଟି ଓ ସେସ୍‌ ଆୟ ହ୍ରାସ ପାଇଥିବାରୁ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ରାଶି ଦେବା ନେଇ କେନ୍ଦ୍ର ସରକାର ଅକ୍ଷମତା ପ୍ରକାଶ କରିଛନ୍ତି। ତେବେ ରାଜ୍ୟଗୁଡ଼ିକୁ ଋଣ ଜରିଆରେ ସେହି ଟଙ୍କା ଯୋଗାଇ ଦେବା ଲାଗି ରିଜର୍ଭ ବ୍ୟାଙ୍କରେ ସ୍ବତନ୍ତ୍ର ବ୍ୟବସ୍ଥା କରାଇବେ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଋଣ ପାଇଁ ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଛି। ପ୍ରଥମଟି ହେଉଛି ୯୭ ହଜାର କୋଟି ଟଙ୍କାର ଋଣ ନେଲେ ତାହା ରାଜ୍ୟର ହିସାବ ଖାତାରେ ଋଣ ଭାବେ ପ୍ରଦର୍ଶିତ ହେବ ନାହିଁ। ମାତ୍ର ୨.୩୫ ଲକ୍ଷ କୋଟି ଟଙ୍କାର ଋଣ ନେଲେ ସେମାନଙ୍କୁ ତାହା ସୁଧ ସହ ନିଜ ହାତରୁ ଶୁଝିବାକୁ ପଡ଼ିବ। ଦେଶର ୨୧ଟି ରାଜ୍ୟ ପ୍ରଥମ ବିକଳ୍ପକୁ ଗ୍ରହଣ କରିଛନ୍ତି।।

ସମ୍ବନ୍ଧିତ ଖବର