ଜିଏସ୍‌ଟି କ୍ଷତିପୂରଣ: ଋଣ ପ୍ରସ୍ତାବରେ ୨୧ ରାଜ୍ୟ ରାଜି, ୯୭ ହଜାର କୋଟି ପ୍ରସ୍ତାବକୁ ଗ୍ରହଣ କଲେ

ନୂଆଦିଲ୍ଲୀ: ଋଣ ଜରିଆରେ ଜିଏସ୍‌ଟି କ୍ଷତିପୂରଣ ରାଶି ଯୋଗାଡ଼ କରିବା ଲାଗି କେନ୍ଦ୍ର ସରକାର ଯେଉଁ ଦୁଇଟି ପ୍ରସ୍ତାବ ଦେଇଥିଲେ ସେଥି ମଧ୍ୟରୁ ପ୍ରଥମ ପ୍ରସ୍ତାବଟିକୁ ୨୧ଟି ରାଜ୍ୟ ଗ୍ରହଣ କରିଥିବା ଜଣାପଡ଼ିଛି। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାନା, ହିମାଚଳପ୍ରଦେଶ, ଜାମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡ୍, ପୁଡୁଚେରି, ସିକିମ୍, ତ୍ରିପୁରା, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ପ୍ରଥମ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।

କରୋନା ମହାମାରୀ ପ୍ରଭାବରେ ରାଜସ୍ବ ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ଜିଏସ୍‌ଟି କ୍ଷତିପୂରଣ ରାଶି ଦେବା ନେଇ କେନ୍ଦ୍ର ସରକାର ଅକ୍ଷମତା ପ୍ରକାଶ କରିଥିଲେ। ଏବିଷୟରେ କିଛି ସପ୍ତାହ ତଳେ ଅନୁଷ୍ଠିତ ହୋଇଥିବା ଜିଏସ୍‌ଟି ପରିଷଦର ୪୧ତମ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେବା ସହ ବର୍ତ୍ତମାନର ସ୍ଥିତିକୁ ଭଗବାନଙ୍କ ଦ୍ବାରା ସୃଷ୍ଟି ହୋଇଥିବା ବିପର୍ଯ୍ୟୟ ବା ଆକ୍ଟ୍ ଅଫ୍ ଗଡ୍‌ ଭାବେ ବର୍ଣ୍ଣନା କରିଥିଲେ। କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ରାଜ୍ୟଗୁଡ଼ିକ ଚିନ୍ତା ପ୍ରକଟ କରିଥିଲେ। ୨୦୧୭ ଜୁଲାଇରେ ଜିଏସ୍‌ଟି ନିୟମ ଲାଗୁ ହେବା ସମୟରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ରାଶି ଦେବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ। ଏହା ସାମ୍ବିଧାନିକ ନିୟମ‌ରେ ମଧ୍ୟ ପରିଣତ ହୋଇଥିଲା। ତେବେ ବିରଳ ପରିସ୍ଥିତିରେ କ୍ଷତିପୂରଣ ଦେବାକୁ କେନ୍ଦ୍ର ମନା କରିପାରିବ ବୋଲି ମଧ୍ୟ ନିୟମରେ ଉଲ୍ଲେଖ ରହିଥିଲା ଯାହାକୁ କେନ୍ଦ୍ର ଏବେ ବ୍ୟବହାର କରିବାକୁ ଚାହୁଛି। ତେବେ ରାଜ୍ୟଗୁଡ଼ିକୁ ନିରାଶ ନକରି ସେମାନଙ୍କ ପାଇଁ ରିଜର୍ଭ ବ୍ୟାଙ୍କ ଜରିଆରେ ଋଣ ଆକାରରେ କ୍ଷତିପୂରଣ ବାବଦ ଟଙ୍କା ଯୋଗାଡ଼ କରାଇବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏନେଇ ରାଜ୍ୟଗୁଡ଼ିକୁ ଦୁଇଟି ପ୍ରସ୍ତାବ ଦିଆଯାଇଛି। ପ୍ରଥମ ପ୍ରସ୍ତାବଟି ହେଉଛି ରାଜ୍ୟଗୁଡ଼ିକ ପାଇବାକୁ ଥିବା ୯୭ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ରାଶିକୁ ସେମାନେ ଋଣ ‌ଆକାରରେ ‌ରିଜର୍ଭ ବ୍ୟାଙ୍କରେ କରାଯିବାକୁ ଥିବା ସ୍ବତନ୍ତ୍ର ବ୍ୟବସ୍ଥାରୁ ହାସଲ କରିପାରିବେ। ସେହି ଟଙ୍କା ରାଜ୍ୟଗୁଡ଼ିକର ହିସାବ ଖାତାରେ ଋଣ ଭାବେ ପ୍ରଦର୍ଶିତ ହେବ ନାହିଁ। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସେସ୍‌ ବାବଦ ରାଶି ଦେବା ପ‌େର ସେମାନେ ସେହି ଟଙ୍କାକୁ ଋଣ ଶୁଝିବାରେ ବ୍ୟବହାର କରିପାରିବେ। ଦ୍ବିତୀୟ ପ୍ରସ୍ତାବଟି ଥିଲା ଟିକସକୁ ନେଇ ଦେଖାଦେବାକୁ ଥିବା ୨.୩୫ ଲକ୍ଷ କୋଟି ଟଙ୍କାର ଅଭାବକୁ ସମ୍ପୂର୍ଣ୍ଣ ରୂପେ ଋଣ ଆକାରରେ ରାଜ୍ୟଗୁଡ଼ିକ ନେଇପାରିବେ। ମାତ୍ର ତାହା ସେମାନଙ୍କ ହିସାବ ଖାତାରେ ଋଣ ଭାବେ ପ୍ରଦର୍ଶିତ ହେବ। ନିଜ ଟଙ୍କାରୁ ସେମାନେ ‌ସେହି ଋଣ ପରିଶୋଧ କରିବେ।

ଅକ୍ଟୋବର ୫ରେ ଜିଏସ୍‌ଟି ପରିଷଦର ଆଗାମୀ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଚଳିତ ମାସ ୧୯ରେ ଏହି ବୈଠକ ହେବାର ଥିଲା। ମାତ୍ର ତାହାକୁ କେନ୍ଦ୍ର ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲା। ବର୍ତ୍ତମାନ ସୁଦ୍ଧା ୨୧ଟି ରାଜ୍ୟ ପ୍ରଥମ ବିକଳ୍ପକୁ ଗ୍ରହଣ କରିଥିବାରୁ ଏବେ ଅନ୍ୟ ରାଜ୍ୟଗୁଡ଼ିକ ଉତ୍ତରକୁ ଅପେକ୍ଷା କରିବାକୁ ପଡ଼ିବ। ଅକ୍ଟୋବର ୫ ପୂର୍ବରୁ ଯଦି ସେମାନେ ନିଜର ପକ୍ଷ ନରଖିବେ ତେବେ ଆଗାମୀ କାର୍ଯ୍ୟପନ୍ଥା କ’ଣ ହେବ ତାହା ଜିଏସ୍‌ଟି ପରିଷଦ ହିଁ ଧାର୍ଯ୍ୟ କରିବ। ଜିଏସ୍‌ଟି କ୍ଷତିପୂରଣକୁ ନେଇ ଯେଉଁ ସବୁ ସମସ୍ୟା ରହିଛି ତାହାର ସମାଧାନ କେବଳ ଜିଏସ୍‌ଟି ପରିଷଦ ହିଁ କରିପାରିବ।

ସମ୍ବନ୍ଧିତ ଖବର