ଲଟେରି ଉପରେ ୨୮% ଜିଏସ୍‌ଟି, ପ୍ରଥମ ଥର ହେଲା ମତଦାନ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୩୮ତମ ବୈଠକରେ ଆଜି କୌଣସି ଏକ ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବା ଲାଗି ପ୍ରଥମ ଥର ମତଦାନର ସହାୟତା ନିଆଯାଇଥିଲା। ୨୦୧୭ ଜୁଲାଇରେ ଜିଏସ୍‌ଟି ଲାଗୁ ହେବା ପରଠାରୁ କେବେବି ମତଦାନ କରିବାକୁ ପଡ଼ିନଥିଲା। ଲଟେରି ଉପରେ କେଉଁ ସ୍ଲାବ୍‌ର ଜିଏସ୍‌ଟି ଲାଗିବ ତାହାକୁ ନେଇ ନିଷ୍ପତ୍ତି ହୋଇନପାରିବାରୁ ଏହି ମତଦାନ କରାଯାଇଥିଲା। ମତଦାନ ପରେ ଲଟେରି ଉପରେ ୨୮% ଜିଏସ୍‌ଟି ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ୨୦୨୦ ମାର୍ଚ ୧ ଠାରୁ ଏହି ଟିକସ ଲାଗୁ କରାଯିବ। ଏବେ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଲଟେରି ଉପରେ ୧୨% ଓ ସେମାନଙ୍କ ଦ୍ବାରା ସ୍ବୀକୃକ୍ତିପ୍ରାପ୍ତ ଲଟେରି ଯାହା‌ ବାହାର ରାଜ୍ୟରେ ମଧ୍ୟ ବିକ୍ରି ହେଉଛି ତାହା ଉପରେ ୨୮% ଜିଏସ୍‌ଟି ଲାଗୁ କରାଯାଇଛି।

ଜିଏସ୍‌ଟିଆର୍‌ ୯ ଓ ଜିଏସ୍‌ଟିଆର୍‌ ୯ସି ରିଟର୍ଣ୍ଣ ଫାଇଲ୍‌ ଦାଖଲ କରିବାର ଅବଧିକୁ ୨୦୨୦ ଜାନୁଆରି ୩୧ ପର୍ଯ୍ୟନ୍ତ ବଢ଼ାଇଦିଆଯାଇଛି। ୨୦୨୦ ଜାନୁଆରି ୧ରୁ ଜମି ଲିଜ୍‌ ଜିଏସ୍‌ଟି ହାର ଲାଗୁ ହେବ। ୨୦୧୭ ଜୁଲାଇ ପରଠାରୁ ଜିଏସ୍‌ଟିଆର୍‌-୧ ଦାଖଲ କରିନଥିବା କ୍ଷେତ୍ରରେ ଜରିମାନାକୁ କୋହଳ କରାଯାଇଛି। ଓଭେନ୍ ଓ ନନ୍-ଓଭେନ୍ ବ୍ୟାଗ୍ ଉପରେ ୧୮% ଜିଏସ୍‌ଟି ଲାଗୁ କରାଯାଇଛି। ଜିଏସ୍‌ଟି ପରିଷଦର ଏହି ବୈଠକ ଏଭଳି ଏକ ସମୟରେ ଆୟୋଜନ କରାଯାଇଛି ଯେତେବେଳେ ରାଜସ୍ବ ବଢ଼ାଇବାକୁ ନେଇ ସରକାର ଚାପରେ ରହିଛନ୍ତି। ମାସିକ ଜିଏସ୍‌ଟି ଆଦାୟ କମ୍ ରହୁଛି। ଆଜିର ବୈଠକରେ ଜିଏସ୍‌ଟି କ୍ଷତିପୂରଣକୁ ନେଇ ରାଜ୍ୟଗୁଡ଼ିକ ଆପତ୍ତି ଉଠାଇଥିଲେ।

ସମ୍ବନ୍ଧିତ ଖବର