ହାପିଏଷ୍ଟ୍‌ ମାଇଣ୍ଡ୍‌ସ ଖୋଲିଲା ଡେଭେଲପ୍‌ମେଣ୍ଟ୍‌ ସେଣ୍ଟର୍‌

ଭୁବନେଶ୍ବର: ଅଶୋକ ସୋଟ୍ଟାଙ୍କ ଆଇଟି କଂପାନି ହାପିଏଷ୍ଟ୍‌ ମାଇଣ୍ଡ୍‌ସ ଟେକ୍ନୋଲୋଜିସ୍‌ ପକ୍ଷରୁ ଫର୍ଚୁନ୍ ଟାୱାରରେ ଗ୍ଲୋବାଲ୍‌ ଆଇଟି ଡେଭେଲପ୍‌ମେଣ୍ଟ୍ ସେଣ୍ଟର ସ୍ଥାପନ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍‌ଘାଟନ କରିଛନ୍ତି। ଏହି କେନ୍ଦ୍ର ୧୦୦୦ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି କେନ୍ଦ୍ର କଂପାନିର ଗ୍ରାହକ ଅଭିଜ୍ଞତା, ବ୍ୟବସାୟ ଦକ୍ଷତା ଆଦିକୁ ସୁଦୃଢ଼ କରିବାରେ ସହାୟକ ହେବ। କଂପାନି ଏଆଇ, ବ୍ଲକ୍‌ଚେନ୍‌, କ୍ଲାଉଡ୍‌, ଡିଜିଟାଲ ଅଟୋମେସନ, ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍‌ସ, ରୋବୋଟିକ୍ସ, ଡ୍ରୋନ୍ ଏବଂ ଏଆର୍‌ ଓ ଭିଆର୍‌ କ୍ଷେତ୍ରରେ ନିଜକୁ ଆହୁରି ଦୃଢ଼ କରିପାରିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ ହେବା ସହିତ ଆଇଟି କ୍ଷେତ୍ରରେ ରାଜ୍ୟ ଅଭିବୃଦ୍ଧିର ହାର ତ୍ୱରାନ୍ୱିତ ହୋଇପାରିଛି।ବର୍ତ୍ତମାନ ଓଡ଼ିଶା ଦ୍ରୁତଗତିରେ ଭାରତର ପ୍ରଯୁକ୍ତି ବିଜ୍ଞାନ ଉତ୍ସ କେନ୍ଦ୍ର ଭାବରେ ପରିଗଣିତ ହୋଇଛି ଏବଂ ଆମ ଯୁବପିଢ଼ିଙ୍କ ପାଇଁ ଅନେକ ନିଯୁକ୍ତି ସୃଷ୍ଟି କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ଓଡ଼ିଶାର ଅନୁକୂଳ ପରିବେଶ, ସରକାରୀ ସହାୟତା ଏବଂ ବିପୁଳ ମେଧା ନିବେଶକଙ୍କୁ ଅଧିକ ଆକୃଷ୍ଟ କରିଛି ବୋଲି ସେ କହିଛନ୍ତି। ଆଇଟି ସଚିବ ମନୋଜ ମିଶ୍ର କହିଛନ୍ତି ହାପିଏଷ୍ଟ୍‌ ମାଇଣ୍ଡ୍‌ସର ଏହି ସେଣ୍ଟର ରାଜ୍ୟର ଆଇଟି ଶିଳ୍ପକୁ ଆହୁରି ସୁଦୃଢ଼ କରିବ ଏବଂ ରାଜ୍ୟର ଯୁବକଯୁବତୀମାନଙ୍କ ଲାଗି ନିଯୁକ୍ତି ସୃଷ୍ଟି କରିବ। ଏହି ଅବସରରେ କଂପାନିର ଅଧ୍ୟକ୍ଷ ଶ୍ରୀ ସୋଟ୍ଟା ରାଜ୍ୟର ଆଇଟି ନୀତିକୁ ପ୍ରଶଂସା‌ କରିଛନ୍ତି। ଭୁବନେଶ୍ବରରେ ଏକ ସ୍ଥାୟୀ ଡେଭେଲପ୍‌ମେଣ୍ଟ୍ ସେଣ୍ଟର ସ୍ଥାପନ କରିବା ଲାଗି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର