ତେଲ ଦର କେବେ କମିବ କହିଲେନି ହରଦୀପ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ଏବେ ହ୍ରାସ ପାଇଛି। ରାଷ୍ଟ୍ରାୟତ୍ତ ତେଲ କମ୍ପାନିମାନଙ୍କ ଆର୍ଥିକ ସ୍ଥିତି ବି ସୁଧୁରିଛି।ଏହା ସତ୍ତ୍ବେ ଦେଶରେ ପେଟ୍ରୋଲ, ଡିଜେଲ ଦର କମୁନାହିଁ। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯେ ଦେଶରେ ତେଲ ଦର କେବେ କମିବ ସରକାର ଏ ନେଇ କିଛି କହିବେ ବୋଲି ଲୋକମାନେ ଆଶା ରଖିଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ତେଲ ଦର କେବେ କମିବ ସେ ନେଇ କୌଣସି ସିଧାସଳଖ ଉତ୍ତର ରଖିନାହାନ୍ତି। ସେ ନିଜେ ଏ ସଂପର୍କରେ କିଛି ଘୋଷଣା କରିବା ସ୍ଥିତିରେ ନାହାନ୍ତି। ଏକଥାକୁ ସେ ତେଲ କମ୍ପାନିଙ୍କ ଉପରେ ଛାଡ଼ି ଦେଇଛନ୍ତି। ଗତ ତ୍ରୈମାସରେ ତେଲକମ୍ପାନିମାନେ ଠିକଠାକ୍ ପ୍ରଦର୍ଶନ କରିଥିଲେ ଓ ନିଜର କିଛି କ୍ଷତିର ଭରଣା କରିଥିଲେ। ଆଗକୁ କ’ଣ କରାଯାଇପାରିବ ସେ ସମ୍ପର୍କରେ ଦେଖାଯାଉଛି ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ ଅନ୍ତର୍ଜାତୀୟ ବଜାରରେ ତେଲଦର ସ୍ଥିର ରହିଲେ ଦେଶରେ ତେଲଦର କମାଇବା ସମ୍ପର୍କରେ ତେଲ କମ୍ପାନିମାନେ ନିଷ୍ପତ୍ତି ନେଇପାରିବେ। ପୁଣି ତେଲ କମ୍ପାନିମାନେ ଯଦି ପରବର୍ତ୍ତୀ ତ୍ରୈମାସରେ ଭଲ ପ୍ରଦର୍ଶନ କରନ୍ତି ତେବେ ସେମାନେ ନିଜେ ଦର ହ୍ରାସ କରିବା ସ୍ଥିତିରେ ରହିପାରିବେ।

ଭାରତରେ ପେଟ୍ରୋଲ ଏବଂ ଡିଜେଲର ଦର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ସହ ଯୋଡ଼ାଯାଇଛି। ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦରକୁ ବିଚାରକୁ ନେଇ ତେଲ କମ୍ପାନିଗୁଡ଼ିକ ଦୈନିକ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସଂ‌ଶୋଧନ କ୍ଷମତା ପାଇଛନ୍ତି। କିନ୍ତୁ ୨୦୨୨ ଏପ୍ରିଲରୁ କମ୍ପାନିଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦରରେ ସଂଶୋଧନ ଆଣିନାହାନ୍ତି।

ତେବେ ମନ୍ତ୍ରୀ କହିଛନ୍ତି, ତେଲ ଦର ଯେଭଳି ନବଢ଼ିବ ତାହାକୁ ମୋଦୀ ସରକାର ଗତବର୍ଷ ଏପ୍ରିଲରୁ ନିଶ୍ଚିତ କରିଛନ୍ତି। ଗ୍ରାହକମାନେ ଯେଭଳି କୌଣସି କଷ୍ଟର ସାମ୍ନା ନକରନ୍ତି ତାଆକୁ ସରକାର ନିଶ୍ଚିତ କରିବେ ବୋଲି ସେ କହିଛନ୍ତି। ‌କିନ୍ତୁ ବିରୋଧୀ ଦଳ ଗୁଡ଼ିକ ମାଗଣାରେ ଲୋକଙ୍କୁ ସାମଗ୍ରୀ ପ୍ରଦାନ କରୁଥିବାରୁ ସେ ଏହାକୁ ସମାଲୋଚନା କରିଛନ୍ତି। ଲୋକଙ୍କୁ ସହାୟତା କରିବା ପାଇଁ ଗତ ୯ ବର୍ଷ ମଧ୍ୟରେ ମୋଦୀ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ହରଦୀପ କହିଛନ୍ତି। ଅଣ ବିଜେପି ରାଜ୍ୟ ସରକାରଗୁଡ଼ିକ ପେଟ୍ରୋଲ ଓ ଡିଜେଲ ମୂଲ୍ୟକୁ ନେଇ ଅଧିକ ହୋ ହଲ୍ଲା କରୁଛନ୍ତି। କିନ୍ତୁ ସେମାନେ ଭାଟ୍ ହ୍ରାସ ନକରି ଅଧିକ ମୂଲ୍ୟରେ ତେଲ ବିକ୍ରି କରୁଛନ୍ତି। ଦେଶରେ ବର୍ତ୍ତମାନ ତେଲ ବିଶୋଧନ କ୍ଷମତା ୨୫୨ ଏମଏମଟି ଥିବାବେଳେ ଏହାକୁ ୪୦୦ରୁ ୪୫୦ ଏମଏମଟିକୁ ବୃଦ୍ଧି କରିବା ପାଇଁ ଯୋଜନା ଚାଲିଛି।

ଭାରତର ଅଭିବୃଦ୍ଧି ସଂପର୍କରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କରିଥିବା ପୂର୍ବାନୁମାନ ସଂପର୍କରେ ପୁରୀ ଉଲ୍ଲେଖ କରିଥିଲେ। ଭାରତ ୫ କିମ୍ବା ୫.୫ ପ୍ରତିଶତରୁ ଅଧିକ ହାରରେ ଆଗକୁ ବଢ଼ିବ ନାହିଁ ବୋଲି ରାଜନ ଆକଳନ କରିଥିଲେ। କିନ୍ତୁ ଭାରତ ଗତ ଆର୍ଥିକ ବର୍ଷରେ ୭.୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବାରୁ ରାଜନ ତାଙ୍କର ଭୁଲକୁ ସ୍ବୀକାର କରିବା ଆବଶ୍ୟକ ବୋଲି ପୁରୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର