ହୀରାକୁଦ କାରଖାନାରେ ନିବେଶ କରିବ ହିଣ୍ଡାଲ୍‌କୋ

ନୂଆଦିଲ୍ଲୀ: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସଂସ୍ଥା ହିଣ୍ଡାଲ୍‌କୋ ପକ୍ଷରୁ ଦେଶରେ ଥିବା ତିନିଟି କାରଖାନାରେ ୮-୧୦ ହଜାର କୋଟି ଟଙ୍କା ନିବେଶ କରାଯିବ। କଂପାନି ପକ୍ଷରୁ ହୀରାକୁଦ, ସିଲ୍‌ଭାସା ଓ ମୁନ୍ଦ୍ରା କାରଖାନାରେ ଏହି ନିବେଶ କରାଯିବ। ହୀରାକୁଦ କାରଖାନାରେ କଂପାନି ପୁଞ୍ଜିନିବେଶ କରି ଏହାର ଫ୍ଲାଟ୍‌ ରୋଲିଂ କ୍ଷମତାକୁ ବଢ଼ାଇବ। ଏବିଷୟରେ କଂପାନି ଏହାର ବାର୍ଷିକ ରିପୋର୍ଟ ୨୦୨୦-୨୧ରେ ସୂଚନା ଦେଇଛି। ହିରାକୁଦ କାରଖାନାର ଫ୍ଲାଟ୍‌ ରୋଲ୍‌ଡ ଉତ୍ପାଦ ଉତ୍ପାଦନ କ୍ଷମତା ୩,୪୦,୦୦୦ ଟନ୍ ହେବ ବୋଲି ଆକଳନ କରାଯାଇଛି। ଉତ୍କଳ ଆଲୁମିନା ରିଫାଇନାରିର ମଧ୍ୟ ସମ୍ପ୍ରସାରଣ କରାଯିବ।

କଂପାନି ଏହାର ଆଲୁମିନା ଦକ୍ଷତା ବଢ଼ାଇବା ଲାଗି ଆଧୁନିକୀକରଣରେ ନିବେଶ କରିବ। ଆସନ୍ତା ତିନି ବର୍ଷରେ ହିଣ୍ଡାଲ୍‌କୋ ପକ୍ଷରୁ ମୂଲ୍ୟ ଯୁକ୍ତ ‌ଉତ୍ପାଦ ଉପରେ ଅଧିକ ଗୁରୁତ୍ବ ଦିଆଯିବ। ସେଥିପାଇଁ ଏହା ଆଲୁମିନିୟମ ଆନୁଷଙ୍ଗିକ ବ୍ୟବସାୟ ସମ୍ପ୍ରସାରଣ କରିବାକୁ ଯୋଜନା ରଖିଛି। ବିଭିନ୍ନ ବର୍ଗର ଆବଶ୍ୟକତା ପୂରଣ କରିବା ଲାଗି କଂପାନି ଭିନ୍ନ ଭିନ୍ନ ଧରଣର ଆଲୁମିନିୟମ ଉତ୍ପାଦ ବିକଶିତ କରିବ। ସିଲ୍‌ଭାସା କାରଖାନା ଜରିଆରେ କଂପାନି ନିର୍ମାଣ, ଅଟୋମୋବାଇଲ୍, ପରିବହନ, ଇଲେକ୍ଟ୍ରିକାଲ୍, ଉପଭୋକ୍ତା ଓ ଶିଳ୍ପ ସାମଗ୍ରୀ କ୍ଷେତ୍ରର ଆବଶ୍ୟକତା ପୂରଣ କରିବାକୁ ଚାହୁଛି।

ସମ୍ବନ୍ଧିତ ଖବର