ଇଡକୋ ଓ ଆଇଓସିଏଲ ମଧ୍ୟ ସ୍ୱାକ୍ଷରିତ ହେଲା ଏମଓୟୁ : ପାରାଦୀପରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ

ଭୁବନେଶ୍ବର: ପାରାଦୀପଠାରେ ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ ନିର୍ମାଣ ପାଇଁ ଇଣ୍ଡିଆନ ଅଏଲ ଓ ଇଡକୋ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପାରାଦୀପରେ ନିର୍ମାଣ ହେବାକୁ ଥିବା ଏହି ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ ପ୍ରକଳ୍ପର ବ୍ୟୟ ଅଟକଳ ୧୦୬ କୋଟି ଟଙ୍କା ରଖାଯାଇଛି ।

୧୨୦ ଏକର ଜମି ଉପରେ ଏହି ପାର୍କ ନିର୍ମାଣ ହେବ । ଡାଉନଷ୍ଟ୍ରିମ ପ୍ଲାଷ୍ଟିକ ଶିଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ଭାବେ କାର୍ଯ୍ୟକ୍ଷମ ହେବ ଏହି ପ୍ଲାଷ୍ଟିକ ପାର୍କ । ପାରାଦୀପ ବିଶୋଧନାଗାର କମ୍ପ୍ଲେକ୍ସରୁ  ଉତ୍ପାଦିତ ପୋଲିପ୍ରୋପିଲିନ ଓ ଇଥାଇଲିନର ବ୍ୟବହାର କରାଯାଇ ପ୍ଲାଷ୍ଟିକ ପ୍ରସ୍ତୁତ ହେବ । ବିଦେଶରୁ ପ୍ଲାଷ୍ଟିକର ଆମଦାନି ହ୍ରାସ କରିବାରେ ଏହା ସାହାଯ୍ୟ କରିବା ସହ ମେକ୍-ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବ । ସେହିପରି ଓଡ଼ିଶାରେ ସାମାଜିକ ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ପାରାଦୀପ ପ୍ଲାଷ୍ଟିକ ପାର୍କ ପାଇଁ ମିଳିତ ଭାବେ ପ୍ରୟାସ କରିଥିବାରୁ ମୁଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଇଣ୍ଡିଆନ ଅଏଲ ଏବଂ ଇଡକୋକୁ ଅଭିନନ୍ଦନ ଜଣାଉଛି। ଏହାଡାଉନଷ୍ଟ୍ରିମ ପ୍ଲାଷ୍ଟିକ ଶିଳ୍ପର ବିକାଶ ପାଇଁ ଏକ ବାସ୍ତବ ସାଧନ ହୋଇପାରିବ। ଏହା ଓଡ଼ିଶା ତଥା ପୂର୍ବ ଭାରତରେ ପେଟ୍ରୋକେମିକାଲ୍ସ ଏବଂ ପ୍ଲାଷ୍ଟିକ ଭିତ୍ତିଭୂମି ସମେତ ସହାୟକ ଉଦ୍ୟୋଗ ଏବଂ ଏମଏସଏମଇଗୁଡ଼ିକୁ ପ୍ରୋତ୍ସାହନ ଯୋଗାଇଦେବ।

ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ପ୍ଲାଷ୍ଟିକ କ୍ଷେତ୍ରରେ ଉଭୟ ଉଦ୍ୟୋଗ ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନାକୁ ଆଖି ଆଗରେ ରଖି ଭାରତ ସରକାର ପ୍ଲାଷ୍ଟିକ ପାର୍କ ଯୋଜନା ମାଧ୍ୟମରେ ଏହି ଶିଳ୍ପର କ୍ଲଷ୍ଟର ଆଧାରିତ ବିକାଶ ଆରମ୍ଭ କରିଛନ୍ତି। ବର୍ତ୍ତମାନ, ଭାରତ ସରକାରଙ୍କ ଦ୍ୱାରା ଛଅଟି ଏଭଳି ପାର୍କ ବିକଶିତ କରାଯାଇଛି, ପାରାଦୀପ ପ୍ଲାଷ୍ଟିକ ପାର୍କ ସେଥିମଧ୍ୟରୁ ଗୋଟିଏ।” ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ପେଟ୍ରୋକେମିକାଲ, କେମିକାଲ, ପଲିମର, ବୟନ ଏବଂ ଫାଇବର କ୍ଷେତ୍ରର ଦ୍ରୁତ ବିକାଶ ଜରିଆରେ ଓଡ଼ିଶା ଶିଳ୍ପାୟନର ପ୍ରାଣକେନ୍ଦ୍ର ପାଲଟିବ।

ସମ୍ବନ୍ଧିତ ଖବର