ବିକ୍ରି ପରବର୍ତ୍ତୀ ସେବା ଗୁଣବତ୍ତା ପାଇଁ ହେବ ନିୟମ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ବିକ୍ରି କରିଦେବା ପରେ ଅନେକ କମ୍ପାନି ଭାବନ୍ତି ସେମାନଙ୍କ କାମ ସରିଗଲା। କିନ୍ତୁ ବିକ୍ରି ପରବର୍ତ୍ତୀ ସେବା ଯେ ବ୍ୟବସାୟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ତାହାକୁ ଅନେକ କମ୍ପାନି ଭୁଲିଯାଆନ୍ତି। ସାମଗ୍ରୀ ଓ ସେବାର ବିକ୍ରି ପରେ ଗ୍ରାହକମାନେ ଯେଭଳି ଉତ୍ତମମାନର ସେବା ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ସରକାର ଏକ ନୂଆ ନିୟମ ଆଣିପାରନ୍ତି। ଅର୍ଥାତ୍ ଗ୍ରାହକଙ୍କ ପାଇଁ ଆଫ୍ଟର ସେଲ୍ସ ସର୍ଭିସେସ୍ କ୍ବାଲିଟି ବା ବିକ୍ରି ପରେ ସେବାର ଗୁଣବତ୍ତା ନେଇ ନୂଆ ନିୟମ ଆଣିବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ଏହାର ପରିସରରେ ଟିଭି, ଫ୍ରିଜ୍, ୱାସିଂ ମେସିନ୍, ମୋବାଇଲ ହ୍ୟାଣ୍ଡସେଟ୍, ଅଟୋମୋବାଇଲ ସମେତ ଅନ୍ୟାନ୍ୟ ବର୍ଗର ସାମଗ୍ରୀ ଓ ସେବାକୁ ରଖାଯିବା ‌ଯୋଜନା ରହିଛି। ସେହିଭଳି ଏହି ନିୟମ ପରିସରରେ ଆମାଜନ୍ ଓ ଫ୍ଲିପକାର୍ଟ ଭଳି ଇ-କମର୍ସ କମ୍ପାନି, ଓଲା ଏବଂ ଉବର ଭଳି ଟ୍ୟାକ୍ସି ଏଗ୍ରିଗେଟର୍, ଜୋମାଟୋ, ସ୍ବିଗି, ବିଗ୍‌ବାସ୍କେଟ, ଗ୍ରୋଫର୍ସ ଭଳି ଖାଦ୍ୟ ଓ ଗ୍ରୋସରି ଡେଲିଭରି କମ୍ପାନି, ପେଟିଏମ ଭଳି ପେମେଣ୍ଟ ସେବା ପ୍ରଦାନକାରୀ କମ୍ପାନି, ଆଇଟି ଓ ଆଇଟି ସମର୍ଥିତ ସେବା ଯୋଗାଉଥିବା କମ୍ପାନି, ଟେଲିଫୋନ ସେବା ପ୍ରଦାନକାରୀ କମ୍ପାନି, ବ୍ୟାଙ୍କ, ପର୍ଯ୍ୟଟନ ସେବା ଯୋଗାଉଥିବା କମ୍ପାନି ଆଦି ରହିବେ।

ସମ୍ବନ୍ଧିତ ଖବର