ସପ୍ତାହେ ହେଲା ବଢ଼ୁଛି ତେଲ ଦର, ପେଟ୍ରୋଲଠାରୁ ଅଧିକ ବଢ଼ୁଛି ଡିଜେଲ

ପେଟ୍ରୋଲ ୭୭ ଟଙ୍କା ୪୦ ପଇସା, ଡିଜେଲ ୭୫ ଟଙ୍କା ୩୨ ପଇସା

ଭୁବନେଶ୍ୱର: ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ଭାବେ ୭ ଦିନ ହେଲା ବୃୃଦ୍ଧି ପାଉଛି। ଗତ ୨୫ ତାରିଖରୁ ଏହି ବୃଦ୍ଧି ଘଟୁଛି। ଚଳିତ ମାସ ୨୫ ତାରିଖରେ ଭୁବନେଶ୍ୱରରେ ଡିଜେଲର ଲିଟର ପିଛା ଦର ୭୪ ଟଙ୍କା ୨୧ ପଇସା ଥିବା ବେଳେ ୩୧ ତାରିଖରେ ଏହା ୭୫ ଟଙ୍କା ୩୨ ପଇସାରେ ପହଞ୍ଚି ଯାଇଛି। ଭୁବନେଶ୍ୱରରେ ଭାରତୀୟ ତୈଳ ନିଗମର ପେଟ୍ରୋଲ ଟାଙ୍କିରେ ୨୫ ତାରିଖରୁ ୩୧ ତାରିଖ ମଧ୍ରରେ ଡିଜେଲ ଦର ୧ ଟଙ୍କା ୧୧ ପଇସା ମହଙ୍ଗା ହୋଇଗଲାଣି। ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଡିଜେଲ ଦର ଗୁରୁବାର ୭୫ ଟଙ୍କା ଅତିକ୍ରମ କରି ୭୫ ଟଙ୍କା ୦୨ ପଇସା ଛୁଇଁଥିବା ବେଳେ ୩୧ ତାରିଖରେ ଏଥିରେ ୩୦ ପଇସା ବୃଦ୍ଧି ଘଟିଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ୭୫ ଟଙ୍କା ୩୨ ପଇସାରେ ପହଞ୍ଚି ଯାଇଛି। ପୂର୍ବରୁ ଚଳିତବର୍ଷ ମେ ୨୯ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଥିଲା। ପେଟ୍ରୋଲ ଦର ୭୭ ଟଙ୍କା ୨୩ ପଇସା ଏବଂ ଡିଜେଲ ଦର ୭୪ ଟଙ୍କା ୩୦ ପଇସାରେ ପହଞ୍ଚିଥିଲା। କିନ୍ତୁ ପେଟ୍ରୋଲ ଏବଂ ଡିଜେଲ ଦର ଏବେ ପୂର୍ବର ସେହି ରେକର୍ଡ ଭାଙ୍ଗିବା ସହ ପ୍ରତିଦିନ ନୂଆ ନୂଆ ରେକର୍ଡ କରି ଚାଲିଛି। ଡିଜେଲ ଦର ଗତ ୨୬ ତାରିଖରୁ ପୂର୍ବ ରେକର୍ଡ ଭାଙ୍ଗିବା ସହିତ ପ୍ରତିଦିନ ନୂଆ ରେକର୍ଡ କରିଚାଲିଛି। ସେହିଭଳି ପେଟ୍ରୋଲ ଦର ଗତ ମେ ମାସ ୨୯ ତାରିଖରେ ରେକର୍ଡ ୭୭ ଟଙ୍କା ୨୩ ପଇସାରେ ଥିବାବେଳେ ଶୁକ୍ରବାର ପୂର୍ବର ସେହି ରେକର୍ଡକୁ ଭାଙ୍ଗିଛି। ଭୁବନେଶ୍ୱରରେ ଗୁରୁବାର ପେଟ୍ରୋଲର ଲିଟର ପିଛା ଦର ୭୭ ଟଙ୍କା ୧୮ ପଇସା ଥିବାବେଳେ ଶୁକ୍ରବାର ଏଥିରେ ୨୨ ପଇସା ବୃଦ୍ଧି ଘଟି ୭୭ ଟଙ୍କା ୪୦ ପଇସାରେ ପହଞ୍ଚିଛି। ଗତ ୨୫ ତାରିଖରୁ ୩୧ ତାରିଖ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୮୫ ପଇସା ମହଙ୍ଗା ହୋଇଯାଇଛି। ଅନ୍ୟପକ୍ଷରେ ଭୁବନେଶ୍ୱରରେ ପ୍ରିମିୟମ ପେଟ୍ରୋଲ ଦର ଗୁରୁବାର ପ୍ରଥମ ଥର ପାଇଁ ୮୦ ଟଙ୍କା ଅତିକ୍ରମ କରି ୮୦ ଟଙ୍କା ୧୦ ପଇସାରେ ପହଞ୍ଚିଥିବା ବେଳେ ଶୁକ୍ରବାର ଏହା ୨୦ ପଇସା ବୃଦ୍ଧି ଘଟି ୮୦ ଟଙ୍କା ୩୨ ପଇସାରେ ପହଞ୍ଚିଛି।

ସମ୍ବନ୍ଧିତ ଖବର