ବାଣିଜ୍ୟ ବିବାଦ : ଆମେରିକାଠାରୁ ଧୋକା ଖାଇବା ପରେ ନିକଟତର ହେଉଛନ୍ତି ଭାରତ ଓ ଚୀନ

ନୂଆଦିଲ୍ଲୀ : ସାମରିକ ଓ କୂଟନୈତିକ କ୍ଷେତ୍ରରେ ଭାରତ ଓ ଚୀନ ମଧ୍ୟରେ ସଂପର୍କ ଦିନକୁ ଦିନ ଖରାପ ହେଉଛି । ଅନ୍ୟପକ୍ଷରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ନିବିଡ଼ ହେଉଛି । କିନ୍ତୁ ବାଣିଜ୍ୟ କଥା କହିଲେ ଠିକ ଏହାର ବିପରୀତ ଘଟୁଛି । ବାଣିଜ୍ୟ କ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ଏବେ ସମ୍ପର୍କ ଭଲ ନାହିଁ । ବାଣିଜ୍ୟ କାରବାର କ୍ଷେତ୍ରରେ ଉଭୟ ଚୀନ ଓ ଭାରତ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବିଷଦୃଷ୍ଟିରେ ପଡିଛନ୍ତି । କିନ୍ତୁ ଏହି ମୌକାରେ ଭାରତ ଓ ଚୀନ ପରସ୍ପରର ନିକଟତର ହେଉଛନ୍ତି । ଗତକାଲି ଭାରତ ଗସ୍ତରେ ଆସିଥିବା ଚୀନ ବାଣିଜ୍ୟ ମନ୍ତ୍ରୀ ଝଙ୍ଗ ସାନ କହିଛନ୍ତି ଯେ ଭାରତ ସହ ଚୀନର ବୃହତ ବାଣିଜ୍ୟ ନିଅଣ୍ଟକୁ କମାଇବାକୁ ହେବ ।
ଶାନ ଚୀନରେ ଭାରତୀୟ ନିବେଶକୁ ସ୍ୱାଗତ କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ କ୍ଷତି ସମସ୍ୟାର ସମାଧାନ ବାହାର କରିବା ପାଇଁ ସହମତି ଦେଇଥିଲେ । ସେ ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ବନ୍ଧ, କାର୍ଯ୍ୟ ଯୋଜନା ପ୍ରସ୍ତୁତି, ବ୍ୟାପକ ଆର୍ଥିକ ସହଯୋଗ (RCEP) ଉପରେ ଆହୁରି ଅଧିକ ଫୋକସ ତଥା ଇ-ଡାଇଲଗ ଭଳି ବିଷୟ ଉପରେ ହୋଇଥିବା ବିଚାର ବିମର୍ଶ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ । ମି. ଝଙ୍ଗ ଶାନ କହିଥିଲେ ଯେ ଭାରତ ସହିତ ବ୍ୟବସାୟିକ ସମ୍ବନ୍ଧ ଉପରେ ସ୍ପଷ୍ଟ ଏବଂ ଆବଶ୍ୟକୀୟ ବିଚାର-ବିମର୍ଶ କରାଯିବା ଫଳରେ କେବଳ ଦୁଇ ଦେଶର ନୁହେଁ ବରଂ ସମଗ୍ର କ୍ଷେତ୍ରରେ ବିକାଶକୁ ଗତି ମିଳିବ ।

ଏହି ଅବସରରେ ଭାରତର ବାଣିଜ ମନ୍ତ୍ରୀ ସୁରେଶ ପ୍ରଭୁ କହିଥିଲେ ଯେ ଭାରତ ଏବଂ ଚୀନ ମଧ୍ୟରେ ସବୁଠାରୁ ପୁରୁଣା ଓ ସର୍ବାଧିକ ମହତ୍ୱପୂର୍ଣ୍ଣ ଯୋଗାଯୋଗ ବ୍ୟବସ୍ଥା ରହିଛି । ବୈଠକରେ ସର୍ବାଧିକ ମହତ୍ୱପୂର୍ଣ୍ଣ ବିଷୟ ଚୀନ ସହିତ ଭାରତର ବ୍ୟବସାୟିକ ଅସନ୍ତୁଳନ ସମ୍ବନ୍ଧରେ ବିଚାର କରାଯିବ । ଶ୍ରୀ ସୁରେଶ ପ୍ରଭୁ ଚୀନର ବାଣିଜ୍ୟ ମନ୍ତ୍ରୀଙ୍କୁ ରେପସିଡ, ସୋୟାବିନ, ବାସୁମତି ତଥା ଅଣ ବାସୁବତି ଚାଉଳ, ଫଳ, ପନି ପରିବା ଓ ଆଖୁ ଭଳି କୃଷି ଉତ୍ପାଦ ପାଇଁ ବ୍ୟାପକ ବଜାର ପହଞ୍ଚ ବ୍ୟବସ୍ଥା କରିବା ପାଇଁ ନିବେଦନ କରିଥିଲେ । ଭାରତରୁ ଚୀନକୁ ରପ୍ତାନୀ କରାଯାଉଥିବା ଆଉ ଏକ ଉତ୍ପାଦ ହେଉଛି ଗୁଣବତ୍ତା ସମ୍ପନ୍ନ ଫାର୍ମାସ୍ୟୁଟିକାଲ ଉତ୍ପାଦ । ଭାରତର ଆଇଟି, ଆଇଟି ସକ୍ଷମ ସେବା ତଥା ପର୍ଯ୍ୟଟନ ଏବଂ ସ୍ୱାସ୍ଥ୍ୟ ସୁବିଧା କ୍ଷେତ୍ରରେ ଫୋକସ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର