ଚୀନ୍ ବଜାର ଉପରେ ଭାରତ ନଜର

ବାଣିଜ୍ୟ ଲଢ଼େଇରୁ ଲାଭ ଉଠାଇବା ପ୍ରୟାସ : ଚୀନ୍‌କୁ ୨ ନିୟୁତ ଟନ୍ ଚିନି ରପ୍ତାନି ହେବ

ନୂଆଦିଲ୍ଲୀ: ଚୀନ୍ ବଜାରରେ ଭାରତ ଅଧିକ ବ୍ୟବସାୟ କରିବାକୁ ଆଗ୍ରହ ପ୍ରକାଶ କରିଛି। ବିଶେଷକରି କୃଷି ସାମଗ୍ରୀ, ଔଷଧ, ଆଇଟି ସେବା ଓ ପର୍ଯ୍ୟଟନ ଭଳି କ୍ଷେତ୍ରରେ ଅଧିକ ବ୍ୟବସାୟର ସୁଯୋଗ ମାଗୁଛି। ଚୀନ୍ ସହିତ ଭାରତର ବଢ଼ି ଚାଲିଥିବା ବାଣିଜ୍ୟ ନିଅଣ୍ଟକୁ କମାଇବା ପାଇଁ ଭାରତ ଏଭଳି ଆଭିମୁଖ୍ୟ ପୋଷଣ କରିଛି। ଚୀନ୍‌ ସହିତ ଆମେରିକା ଜାରି ରଖିଥିବା ବାଣିଜ୍ୟ ‌ଲଢ଼େଇରୁ ଲାଭ ଉଠାଇବାକୁ ମଧ୍ୟ ଭାରତ ପ୍ରୟାସ କରୁଛି।
ଭାରତର ସରକାରଙ୍କ ବାଣିଜ୍ୟ ସଚିବ ଅନୁପ ୱାଧୱନ ଓ ଚୀନ୍ ସରକାରଙ୍କ ବାଣିଜ୍ୟ ଉପମନ୍ତ୍ରୀ ୱାଙ୍ଗ ସୌ‌ୱେନ୍‌ଙ୍କ ମଧ୍ୟରେ ସାଂଘାଇଠାରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଛି। ଉପରୋକ୍ତ କ୍ଷେତ୍ର ଗୁଡ଼ିକରେ ଭାରତ ଅନ୍ୟାନ୍ୟ ଦେଶରେ ଭଲ ବ୍ୟବସାୟ କରୁଥିବା ବେଳେ ଚୀନ୍‌ରେ ଖୁବ୍ କମ୍ ମାତ୍ରାରେ ବ୍ୟବସାୟ କରୁଛି। ତେଣୁ ଭାରତ ଓ ଚୀନ୍‌ର ଦ୍ବିପାକ୍ଷିକ ବାଣିଜ୍ୟରେ ଭାରତର ଏସବୁ ବ୍ୟବସାୟକୁ ଉତ୍ସାହିତ କରାଯିବା ଉଚିତ ବୋଲି ବାଣିଜ୍ୟ ସଚିବ କହିଛନ୍ତି। ଭାରତର ଉଦ୍ୟୋଗୀମାନେ ଚୀନ୍‌କୁ କିଭଳି ଏସବୁ କ୍ଷେତ୍ରରେ ଅଧିକ ମାତ୍ରାରେ ରପ୍ତାନି କରିପାରିବେ ସେ ନେଇ ସହାୟତା ଓ ଦିଗ ନିର୍ଦ୍ଦେଶ ପାଇଁ ଭାରତ ପକ୍ଷରୁ ଚୀନ୍‌କୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୧୭-୧୮ରେ ଭାରତ ଓ ଚୀନ୍‌ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ୮୯.୭୧ ବିଲିଅନ ଡଲାରରେ ରହିଛି। ତେବେ ଚୀନ୍ ସହିତ ଭାରତର ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଇବାରେ ଲାଗିଛି। ୨୦୧୬-୧୭ରେ ଚୀନ୍ ସହିତ ଭାରତର ବାଣିଜ୍ୟ ନିଅଣ୍ଟ ୫୧.୧୧ ବିଲିଅନ ଡଲାର ଥିବାବେଳେ ୨୦୧୭-୧୮ରେ ଏହା ୬୩.୧୨ ବିଲିଅନ ଡଲାରକୁ ବୃଦ୍ଧି ପାଇଛି। ସାଂଘାଇ ଗସ୍ତ ସମୟରେ ବାଣିଜ୍ୟ ସଚିବ ୱାଧୱନ ଚୀନ୍‌ର ଚିନି ଆମଦାନିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରେ ଚୀନ୍‌ ଚିନି ସଂଘ ମଧ୍ୟ ରହିଛି। ଏହି ଅବସରରେ ସେ ଭାରତର ଚିନି କ୍ଷେତ୍ର ଉପରେ ଚୀନ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ। ଉଭୟ ମାନ ଓ ପରିମାଣ ଦୃଷ୍ଟିରୁ ଭାରତ ଚୀନକୁ ଦୀର୍ଘବର୍ଷ ଲାଗି ନିରନ୍ତର ଭାବେ ଚିନି ରପ୍ତାନି କରିବାକୁ ସମର୍ଥ ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ଟ୍ବିଟ୍‌ରେ କୁହାଯାଇଛି, ଭାରତ ବିଶ୍ବର ଏକ ପ୍ରମୁଖ ଚିନି ଉତ୍ପାଦନକାରୀ ରା‌ଷ୍ଟ୍ର। ତିନୋଟି ଗ୍ରେଡ୍‌ର ଚିନି ଉତ୍ପାଦନ କରିବା କ୍ଷମତା ଭାରତର ରହିଛି ଏବଂ ଚଳିତବର୍ଷଠାରୁ ପ୍ରତିବର୍ଷ ଭାରତ ଚୀନକୁ ବାର୍ଷିକ ପ୍ରାୟ ୨ ନିୟୁତ ଟନ୍ ଚିନି ରପ୍ତାନି କରିବା ଆଶା ରହିଛି।

ସମ୍ବନ୍ଧିତ ଖବର