ଇସଲାମାବାଦ: ପାକିସ୍ତାନ ପକ୍ଷରୁ ଆନୁଷ୍ଠାନିକ ଭାବେ ଭାରତ ସହ ସବୁ ପ୍ରକାର ବ୍ୟବସାୟ ସମ୍ପର୍କକୁ ଛିନ୍ନ କରାଯାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭାରତ ପକ୍ଷରୁ ଜମ୍ମୁ ଓ କଶ୍ମୀରକୁ ନେଇ ରହିଥିବା ଧାରା ୩୭୦କୁ ଉଚ୍ଛେଦ କରାଯିବା ପରେ ଭାରତ ସହ ବ୍ୟବସାୟ ସମ୍ପର୍କକୁ ଛିନ୍ନ କରିବାକୁ ପାକିସ୍ତାନ ଘୋଷଣା କରିଥିଲା। ଆଜି ସେହି ନିଷ୍ପତ୍ତିରେ ପାକିସ୍ତାନ କ୍ୟାବିନେଟ୍ ମୋହର ଲଗାଇଛି। ଖୁବ୍ଶୀଘ୍ର ପାକିସ୍ତାନ ପକ୍ଷରୁ ଦୁଇଟି ବିଜ୍ଞପ୍ତି ଜାରି କରାଯିବ। ଭାରତକୁ ସବୁ ପ୍ରକାର ରପ୍ତାନି ବନ୍ଦ କରିବା ଲାଗି ଗୋଟିଏ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ଭାରତରୁ ଯେଭଳି କୌଣସି ସାମଗ୍ରୀ ପାକିସ୍ତାନରେ ପ୍ରବେଶ ନକରେ ତାହାକୁ ନିଶ୍ଚିତ କରିବା ଲାଗି ଦ୍ବିତୀୟ ବିଜ୍ଞପ୍ତି ପ୍ରକାଶ କରାଯିବ। ପୁଲୱାମା ଆକ୍ରମଣ ପର ଠାରୁ ଏହି ଦୁଇ ଦେଶ ମଧ୍ୟରେ ବ୍ୟବସାୟ ସମ୍ପର୍କ ଖରାପ ହୋଇଥିଲା। ଭାରତ ପକ୍ଷରୁ ପାକିସ୍ତାନ ସାମଗ୍ରୀ ଉପରେ ୨୦୦% ସୀମା ଶୁଳ୍କ ଲଗାଯାଇଥିଲା। ଚଳିତ ବର୍ଷ ମାର୍ଚ ସୁଦ୍ଧା ପାକିସ୍ତାନିରୁ ଆମଦାନି ୯୨% ହ୍ରାସ ପାଇଛି। ଗତବର୍ଷ ମାର୍ଚରେ ପାକିସ୍ତାନ ପକ୍ଷରୁ ଭାରତକୁ ୩୪.୬୧ ନିୟୁତ ଡଲାର ସାମଗ୍ରୀ ରପ୍ତାନି କରାଯାଇଥିଲା। ଚଳିତ ବର୍ଷରେ ମାର୍ଚରେ ପାକିସ୍ତାନର ରପ୍ତାନି ମାତ୍ର ୨.୮୪ ନିୟୁତ ଡଲାର ହୋଇଛି। ୨୦୧୮-୧୯ରେ ଭାରତ ପକ୍ଷରୁ ପାକିସ୍ତାନକୁ ୨ ବିଲିଅନ ଡଲାର ସାମଗ୍ରୀ ରପ୍ତାନି କରାଯାଇଥିଲା। ଭାରତ ବିଶେଷ କରି ରାସାୟନିକ ପଦାର୍ଥ, ପୋଷାକ, ଖଣିଜ ପଦାର୍ଥ ଏବଂ ପନିପରିବା ପାକିସ୍ତାନକୁ ରପ୍ତାନି କରିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ପାକିସ୍ତାନ ଅଧିକ ନିର୍ଭର କରୁଥିଲା
୧୯୫୦-୬୦ ଭିତରେ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ର ଭାରତଠାରୁ ପାକିସ୍ତାନ ଆଗରେ ଥିଲା। ଭାରତର ଅଭିବୃଦ୍ଧି ୨-୩% ଭିତରେ ରହୁଥିବା ବେଳେ ପାକିସ୍ତାନ ୫-୬%ର ଅଭିବୃଦ୍ଧି ହାସଲ କରୁଥିଲା। ୧୯୭୦ ପରେ ଚିତ୍ର ବଦଳିଯାଇଥିଲା। ଅଭିବୃଦ୍ଧି କ୍ଷେତ୍ର ପାକିସ୍ତାନକୁ ଭାରତ ବହୁ ପଛରେ ଛାଡ଼ି ଦେଇଛି। ଭାରତର ପ୍ରମୁଖ ୩୫ଟି ରପ୍ତାନି ବଜାର ଭିତରେ ପାକିସ୍ତାନର ନାମ ନାହିଁ। ସେହିପରି ପାକିସ୍ତାନ ଯେଉଁ ପ୍ରମୁଖ ୧୦ଟି ରାଷ୍ଟ୍ରକୁ ରପ୍ତାନି କରୁଛି ସେଥିରେ ଭାରତର ନାମ ନାହିଁ। ଆମଦାନି କ୍ଷେତ୍ରରେ କିନ୍ତୁ ପାକିସ୍ତାନ ଭାରତ ଉପରେ ଅଧିକ ନିର୍ଭରଶୀଳ ରହିଛି। ଯେଉଁ ସବୁ ପ୍ରମୁଖ ଦେଶରୁ ପାକିସ୍ତାନ ବିଭିନ୍ନ ସାମଗ୍ରୀ ଆମଦାନି କରୁଛି ସେହି ତାଲିକାରେ ଭାରତ ସପ୍ତମ ସ୍ଥାନରେ ରହିଛି। ଭାରତ ସହ ସମ୍ପର୍କ ଖରାପ ହେବା ପରେ ପାକିସ୍ତାନ ଏବେ ଅଧିକ ପନିପରିବା ଇଣ୍ଡୋନେସିଆ, ଆଫ୍ରିକୀୟ ରାଷ୍ଟ୍ର, କାନାଡା, ଆମେରିକା, ଅଷ୍ଟ୍ରେଲିଆ ଓ ବ୍ରାଜିଲ୍ ଠାରୁ ଆମଦାନି କରୁଛି। ପାକିସ୍ତାନ ଆମଦାନି କରୁଥିବା ମୋଟ କୃଷିଜାତ ସାମଗ୍ରୀର ୧୨.୭୭% ଭାରତରୁ ନେଉଥିଲା। ସେହିପରି ପାକିସ୍ତାନର ୧୨.୪୦ ପୋଷାକ, ୮.୨୨% ରାସାୟନିକ ସାମଗ୍ରୀ ଓ ୬.୪୯% ରବର ଓ ପ୍ଲାଷ୍ଟିକ୍ ଭାରତରୁ ପଠାଯାଉଥିଲା।