୧୯୯୧ରେ ୪୬ ଟନ୍ ସୁନା ବିକିଥିଲା ଭାରତ, ଚାର୍ଟର ପ୍ଲେନ୍‌ରେ ବ୍ରିଟେନ୍ ନିଆଯାଇଥିଲା

ନୂଆଦିଲ୍ଲୀ: ନବେ ଦଶକରେ ଭାରତର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା। ପାଣ୍ଠି ସଂଗ୍ରହ କରିବା ଲାଗି ସରକାରଙ୍କୁ ନୟାନ୍ତ ହେବାକୁ ପଡ଼ିଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ଗଚ୍ଛିତ ଭଣ୍ଡାରରେ ଥିବା ସୁନା ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୧୯୯୧ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୪୬ ଟନ୍ ସୁନା ବିକ୍ରି କରି ପାଣ୍ଠି ଯୋଗାଡ଼ କରିବାକୁ ବାଧ୍ୟ ହୋଇଥିଲା। ଏକ ସାକ୍ଷାତକାରରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ସି ରଙ୍ଗରାଜନ ଏହା କହିଛନ୍ତି। ଶ୍ରୀ ରଙ୍ଗରାଜନ କହିଛନ୍ତି ଯେ ୧୯୯୧ରେ ସ୍ଥିତି ଏଭଳି ଖରାପ ହୋଇଯାଇଥିଲା ଯେ କଠୋର ନିଷ୍ପତ୍ତି ନେବା ବ୍ୟତୀତ ଆମ ପାଖ ଆଉ କିଛି ବାଟ ନଥିଲା। ଆମେ ଦେଶ ବାହାରକୁ ସୁନା ପଠାଇବାକୁ ନିଷ୍ପତ୍ତି ନେଇଥିଲୁ। ବମ୍ବେରେ ଏକ ସ୍ବତନ୍ତ୍ର ଚାର୍ଟର ପ୍ଲେନ୍‌ରେ ସୁନା ଭର୍ତ୍ତି କରାଯାଇଥିଲା।

ସୁନାଗୁଡ଼ିକୁ ପ୍ୟାକ୍‌ କରି ସେଥିରେ ଭର୍ତ୍ତି କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ଥିଲା। ସେହି ପ୍ଲେନ୍‌ ବମ୍ବେରୁ ବ୍ରିଟେନ୍ ଯାଇଥିଲା। ସେଠାରେ ସୁନାଗୁଡ଼ିକୁ ବିକ୍ରି କରି ୫୦୦ ନିୟୁତ ଡଲାର ଯୋଗାଡ଼ କରାଯାଇଥିଲା। ବର୍ତ୍ତମାନ ସମୟରେ ଏହି ରାଶି ବହୁତ କମ୍ ଲାଗୁଥିଲେ ମଧ୍ୟ ସେହି ସମୟ ପାଇଁ ତାହା ଅତ୍ୟନ୍ତ ମୂଲ୍ୟବାନ ସମ୍ବଳ ଥିଲା ବୋଲି ରଙ୍ଗରାଜନ କହିଛନ୍ତି। ସୁନା ବିକ୍ରି କରିବା ନିଷ୍ପତ୍ତି ବହୁତ ବଡ଼ ଥିଲା। ଦେଶର ଆର୍ଥିକ ସ୍ଥିତି କେତେ ଗମ୍ଭୀର ହୋଇପଡ଼ିଛି ତାହାକୁ ନେଇ ସଚେତନତା ସୃଷ୍ଟି କରିବାରେ ସେହି ଘଟଣା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ବଡ଼ ପଦରେ ଥିବା ଲୋକମାନେ ସ୍ଥିତି ବିଷୟରେ ଭାବିବାକୁ ବାଧ୍ୟ ହୋଇଥିଲେ ବୋଲି ସେ କହିଛନ୍ତି। ଏହି ଘଟଣାର କିଛି ମାସ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓଙ୍କ ଅଧୀନରେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଡକ୍ଟର ମନମୋହନ ସିଂହ ଐତିହାସିକ ବଜେଟ୍‌ ଉପସ୍ଥାପନ କରିଥିଲେ। ଭାରତୀୟ ବଜାରକୁ ବିଦେଶୀ ସଂସ୍ଥା ଲାଗି ଉନ୍ମୁକ୍ତ କରିବା ସହ ଉଦାରୀକରଣର ଯୁଗ ଆରମ୍ଭ ହୋଇଥିଲା। ଏହା ପରେ ଭାରତ ଦ୍ରୁତ ଅଭିବୃଦ୍ଧି ପଥରେ ଆଗକୁ ବଢ଼ିଥିଲା।

ସମ୍ବନ୍ଧିତ ଖବର