ଆମେରିକା ଉପରେ ଟିକସ ବଢ଼ାଇବ ଭାରତ

୨୯ଟି ସାମଗ୍ରୀର ସୀମା ଶୁଳ୍କ ବଢ଼ିବ

ନୂଆଦିଲ୍ଲୀ: ଆମେରିକା ବିରୋଧରେ ଶେଷରେ ଭାରତ କଠୋର ହୋଇଛି। ବାରମ୍ବାର ତାରିଖ ଘୁଞ୍ଚାଇବା ପରେ ଭାରତ ଆମେରିକାରୁ ଆମଦାନୀ ହେଉଥିବା ୨୯ଟି ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ୧୬ ତାରିଖରୁ ଭାରତ ଏହାକୁ କାର୍ଯ୍ୟକାରୀ କରିବ ବୋଲି ଘୋଷଣା କରିଛି। ଏହି ୨୯ଟି ସାମଗ୍ରୀ ମଧ୍ୟରେ ଆଲମଣ୍ଡ, ୱାଲନଟ୍ ଆଦି ରହିଛି। ଖୁବ୍ ଶୀଘ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏ ‌ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହେବ ବୋଲି ଜଣାଯାଇଛି।

ଏସବୁ ସାମଗ୍ରୀର ସୀମା ଶୁଳ୍କ ବୃଦ୍ଧି ବାବଦରେ ଭାରତ ପ୍ରାୟ ୨୧୭ ନିୟୁତ ଡଲାରର ଅତିରିକ୍ତ ରାଜସ୍ବ ସଂଗ୍ରହ କରିବାକୁ ସକ୍ଷମ ହେବ। ଗତବର୍ଷ ଆମେରିକ ଭାରତର ଇସ୍ପାତ ସାମଗ୍ରୀ ଉପରେ ୨୫ ପ୍ରତିଶତ ଏବଂ ଆଲୁମିନିୟମ ଉପରେ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିଥିଲା। ଆମେରିକାକୁ ଇସ୍ପାତ ଏବଂ ଆଲୁମିନିୟମ ଆମଦାନୀ କ୍ଷେତ୍ରରେ ଭାରତ ଏକ ପ୍ରମୁଖ ଦେଶ ହୋଇଥିବାରୁ ଭାରତକୁ ଏ ବାବଦରେ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଥିଲା। ଆମେରିକା ପ୍ରଶାସନର ଏପ୍ରକାର ପଦକ୍ଷେପ ପରେ ଭାରତ ଗତବର୍ଷ ଜୁନ୍ ୨୧ ତାରିଖରେ ଆମେରିକାରୁ ଭାରତକୁ ଆସୁଥିବା ୨୯ଟି ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏହାକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରି ନଥିଲା। ବାରମ୍ବାର ଏହାକୁ କାର୍ଯ୍ୟକାରୀ କରିବା ନେଇ ତାରିଖ ଘୁଞ୍ଚାଇ ଚାଲିଥିଲା। କିନ୍ତୁ ଜେନେରାଲଇଜଡ୍ ସିଷ୍ଟମ୍ ଅଫ୍ ପ୍ରିଫରେନ୍‌‌ସେସ୍ (ଜିଏସ୍‌ପି) କାର୍ଯ୍ୟକ୍ରମ ଅଧୀନରେ ଭାରତର ରପ୍ତାନିକାରୀମାନଙ୍କୁ ପ୍ରଦାନ କରୁଥିବା ଶୁଳ୍କ ଛାଡ଼ ସୁବିଧାକୁ ନିକଟରେ ଆମେରିକା ପ୍ରତ୍ୟାହାର କରିନେଇଛି। ଚଳିତମାସ ୫ ତାରିଖରୁ ଏହାକୁ ଆମେରିକା କାର୍ଯ୍ୟକାରୀ କରିଛି। ଆମେରିକା ଭାରତକୁ ଯୋଗାଇ ଦେଉଥିବା ଏହି ସୁବିଧା ପ୍ରତ୍ୟାହାର କରିନେବା ଫଳରେ ଆମେରିକାକୁ ୫.୫ ବିଲିଅନ ଡଲାରର ରପ୍ତାନି ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର