ନୂଆଦିଲ୍ଲୀ: ଦୀର୍ଘ ୧୬୭ ବର୍ଷ ପୂର୍ବେ ଭାରତରେ ଯାତ୍ରୀବାହୀ ରେଳ ଗଡ଼ିବା ଆରମ୍ଭ ହୋଇଥିଲା। ୧୮୫୩ ଏପ୍ରିଲ୍ ୧୬ରେ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ମହାରାଷ୍ଟ୍ରର ବୋରି ବନ୍ଦର (ମୁମ୍ବାଇ ସିଏସ୍ଏମ୍ଟି)ରୁ ଥାନେକୁ ଗଡ଼ିଥିଲା। ସେହିଦିନ ଟ୍ରେନ୍ ପାଇଁ ୨୧ ତୋପ ସଲାମି ଦିଆଯାଇଥିଲା। ପ୍ରଥମ ୧୪-କ୍ୟାରେଜ୍ ଯାତ୍ରୀବାହୀ ଯାନରେ ସାହିବ, ସିନ୍ଧ ଓ ସୁଲତାନ ନାମକ ତିନିଟି ବାଷ୍ପଚାଳିତ ଲୋକୋମୋଟିଭ୍ ଥିଲା। ପ୍ରଥମ ଟ୍ରେନ୍ରେ ୪୦୦ ଯାତ୍ରୀ ଯାତ୍ରା କରିଥଲେ। ସେହିଦିନ ଠାରୁ ଭାରତୀୟ ରେଳ ନିରବଚ୍ଛିନ୍ନ ଭାବେ ଭାରତବାସୀଙ୍କୁ ସେବା ଯୋଗାଇ ଦେଉଛି। ବିଶ୍ବର ସର୍ବବୃହତ ପରିବହନକାରୀ ଓ ନିଯୁକ୍ତିଦାତାର ମାନ୍ୟତା ହାସଲ କରିଥିବା ଭାରତୀୟ ରେଳ ଏବେ ଦୈନିକ ୨.୩ କୋଟି ଯାତ୍ରୀଙ୍କୁ ବିଭିନ୍ନ ପ୍ରକାର ଟ୍ରେନ୍ ଜରିଆରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଛି। ୧୮୫୩ ପୂର୍ବରୁ ଭାରତରେ ରେଳ ଭିତ୍ତିଭୂମି ବିକଶିତ ହୋଇଥିଲେ ମଧ୍ୟ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇନଥିଲା। କରୋନା ଭୂତାଣୁ ସଂକ୍ରମଣ ଭୟ ଯୋଗୁଁ ଘୋଷଣା କରାଯାଇଥିବା ଲକ୍ଡାଉନ୍ ପ୍ରଭାବରେ ସାରା ଦେଶରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଆସନ୍ତା ମେ’ ୩ ତାରିଖ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ କରିବ ନାହିଁ। ଏଭଳି ଏକ ସମୟରେ ଭାରତୀୟ ରେଳର ୧୬୭ ବର୍ଷର ଗୌରବମୟ ଇତିହାସକୁ ମନେ ପକାଇବାର ସୁଯୋଗ ସୃଷ୍ଟି ହୋଇଛି। ଏଠାରେ ଭାରତୀୟ ରେଳ ସମ୍ପର୍କରେ କେତେକ ରୋଚକ ତଥ୍ୟ ଉପସ୍ଥାପନ କରାଯାଇଛି:
Sambad is now on WhatsApp
Join and get latest news updates delivered to you via WhatsApp
୧୮୬୧ରେ ବମ୍ବେ, ବରୋଦା ଓ ସେଣ୍ଟ୍ରାଲ୍ ଇଣ୍ଡିଆ (ବିବିସିଆଇ) ରେଲ୍ୱେ ପକ୍ଷରୁ ବେମ୍ବର ଚର୍ଚ୍ଚଗେଟ୍ ରେଳ ଷ୍ଟେସନ ଖୋଲାଯାଇଥିଲା
୧୮୬୪ରେ ଦିଲ୍ଲୀର ସବୁଠୁ ପୁରୁଣା ରେଳ ଷ୍ଟେସନକୁ ଚାନ୍ଦିନୀ ଚୌକରେ ସ୍ଥାପନ କରାଯାଇଥିଲା ଓ ଦିଲ୍ଲୀ-କଲିକତା ଭିତରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା
୧୮୬୭ରେ ଏପ୍ରିଲ୍ ମାସରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ କାନପୁର ପର୍ଯ୍ୟନ୍ତ ପ୍ରଥମ ରେଳ ଲାଇନ୍ ବିଛାଯାଇଥିଲା
୧୮୭୦ରେ ସତ୍ଲେଜ୍ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ତାହାକୁ ଏକ ଉତ୍କୃଷ୍ଟ କାରିଗରୀ ଭାବେ ବିବେଚନା କରାଯାଉଛି
୧୮୮୦ରେ ଦାର୍ଜଲିଂ ଷ୍ଟିମ୍ ଟ୍ରାମ୍ୱେ (ଦାର୍ଜଲିଂ ହିମାଳୟାନ ରେଲ୍ୱେ) ସିଲିଗୁଡ଼ି-ଦାର୍ଜଲିଂ ରେଳଲାଇନ୍ରେ ଏହାର ସେବା ଆରମ୍ଭ କରିଥିଲା
୧୮୯୫ରେ ପ୍ରଥମ ଲୋକୋମୋଟିଭ୍କୁ ରାଜପୁତାନା ମାଲ୍ୱା ରେଲ୍ୱେ ପାଇଁ ଆଜ୍ମେର୍ରେ ନିର୍ମାଣ କରାଯାଇଥିଲା। ଏବେ ତାହାକୁ ଜାତୀୟ ରେଳ ସଂଗ୍ରହାଳୟରେ ସଂରକ୍ଷିତ ରଖାଯାଇଛି
ସମୁଦ୍ର ଉପରେ ପ୍ରଥମ ରେଳ ପୋଲ ପାନ୍ବାନ୍ ରେଲ୍ୱେ ବ୍ରିଜ୍ର ନିର୍ମାଣ କାର୍ଯ୍ୟ ୧୯୧୧ରେ ଆରମ୍ଭ ହୋଇ ୧୯୧୪ରେ ଶେଷ ହୋଇଥିଲା।
୧୯୨୦ରେ ଦାଦରରୁ କୋରେ ରୋଡ୍ ପର୍ଯ୍ୟନ୍ତ ଇଲେକ୍ଟ୍ରିକ୍ ଲାଇଟ୍ର ବ୍ୟବସ୍ଥା କରାଯାଇଥିଲା।
୧୯୨୪ରୁ ୧୯୪୪ ପର୍ଯ୍ୟନ୍ତ ରେଳବାଇର ଜାତୀୟକରଣ
୧୯୨୮ରେ ବମ୍ବେ ଭିଟିରୁ ବାଇକୁଲା ଭିତରେ ପ୍ରଥମ ସ୍ବୟଂଚାଳିତ ରଙ୍ଗିନ ଆଲୋକ ସିଗ୍ନାଲ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା
୧୯୩୦ରେ ଭାରତୀୟ ରେଳ ପାୱାର ସିଗ୍ନାଲିଂ ଓ ଅପର କ୍ବାଡ୍ରାଣ୍ଟ୍ ସେମାଫୋର୍ ସିଗ୍ନାଲ୍ ଆରମ୍ଭ କରିଥିଲା।
୧୯୪୩ରେ କୋଲକାତାର ପରିଚୟ ପାଲଟିଥିବା ହାୱଡ଼ା ପୋଲ କାର୍ଯ୍ୟକ୍ଷମ ହୋଇଥିଲା।
୧୯୫୪ରେ ଥ୍ରି ଟାୟାର ରେଳ କୋଚ୍ରେ ଶୟନ ବ୍ୟବସ୍ଥା କରାଯାଇଥିଲା
୧୯୫୯ରେ ଭାରତରେ ପ୍ରଥମ ଏସି ଇଲେକ୍ଟ୍ରିକ୍ ‘ଜଗଜୀବନ ରାମ୍’ ଚଳାଚଳ ଆରମ୍ଭ ହୋଇଥିଲା।
୧୯୬୧ ଲୋକମାନ୍ୟ ନାମରେ ଡିସି ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ ନିର୍ମାଣ ଆରମ୍ଭ ହୋଇଥିଲା।
ତାଜ ମହଲ ପରିଦର୍ଶନକାରୀଙ୍କ ପାଇଁ ୧୯୬୫ରେ ନୂଆଦିଲ୍ଲୀରୁ ଆଗ୍ରା ମଧ୍ୟରେ ତାଜ ଏକ୍ସପ୍ରେସ୍ର ଚଳାଚଳ ଆରମ୍ଭ ହୋଇଥିଲା।
୧୯୬୫ରେ ଫାଷ୍ଟ୍ ଫ୍ରେଟ୍ ସେବା ଆରମ୍ଭ ହୋଇଥିଲା।
୧୯୭୦ରେ ଭାରତୀୟ ରେଳ ଏହାର ଶେଷ ବିଜି ଷ୍ଟ୍ରିମ ଇଞ୍ଜିନ ବିକଶିତ କରିଥିଲା ଯାହାର ନାମ ଥିଲା ‘ଅନ୍ତିମ ସିତାରା’
୧୯୮୬ରେ ଭାରତୀୟ ରେଳ ପକ୍ଷରୁ ନୂଆଦିଲ୍ଲୀରେ କମ୍ପ୍ୟୁଟରୀକୃତ ଟିକଟ ଓ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା।
୧୯୯୦ରେ ଭାରତୀୟ ରେଳ ପକ୍ଷରୁ ନୂଆଦିଲ୍ଲୀରେ ପ୍ରଥମ ସେଲ୍ଫ ପ୍ରିଣ୍ଟିଂ ଟିକଟ ମେସିନ ପ୍ରଚଳନ କରାଯାଇଥିଲା।