ନୂଆବର୍ଷରୁ ରେଳ ଯାତ୍ରୀଙ୍କ ପାଇଁ ଆରମ୍ଭ ହେବ ନୂଆ ସେବା

ନୂଆଦିଲ୍ଲୀ: ଯାତ୍ରା ଟ୍ରେନ୍ କିମ୍ବା ବସ୍ ଦ୍ୱାରା ହେଉ ଯେଉଁମାନେ ଶାକାହାରୀ ଖାଦ୍ୟ ଖାଉଛନ୍ତି, ସେମାନଙ୍କୁ ଯାତ୍ରା କରିବା ସମୟରେ ଖାଇବାକୁ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କାରଣ ସମ୍ପୂର୍ଣ୍ଣ ଭାବେ ଶାକାହାରୀ ଖାଦ୍ୟ ଯାତ୍ରୀଙ୍କୁ କମ ମାତ୍ରାରେ ମିଳିଥାଏ। କିନ୍ତୁ ବର୍ତ୍ତମାନ ଏହିପରି ଯାତ୍ରୀମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

ଟ୍ରେନ୍ ଯୋଗେ ଯାତ୍ରା କରିବା ସମୟରେ ଯାତ୍ରୀମାନେ ସମ୍ପୂର୍ଣ୍ଣ ସାତ୍ତ୍ବିକ ଖାଦ୍ୟ ପାଇପାରିବେ । ଏଥିପାଇଁ ଭାରତୀୟ ରେଳବାଇର ସହଯୋଗୀ କମ୍ପାନି ଆଇଆରସିଟିସି ଇସ୍କନ ସହିତ ଚୁକ୍ତି କରିଛି। ବର୍ତ୍ତମାନ ବିନା ପିଆଜ ରସୁଣରେ ଖାଦ୍ୟ ଖାଇବାକୁ ଇଚ୍ଛା କରୁଥିବା ଯାତ୍ରୀମାନେ ଇସ୍କନ ମନ୍ଦିରର ରେସ୍ତୁରାଁ ଗୋବିନ୍ଦା ଠାରୁ ଖାଦ୍ୟ ମାଗି ଟ୍ରେନରେ ଖାଇପାରିବେ |

ଆଇଆରସିଟିସି ଓ ଇସ୍କନ ମଧ୍ୟରେ ଚୁକ୍ତିନାମା ପରେ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଏହି ସେବା ଆରମ୍ଭ ହୋଇଛି । ଯଦି ଏହି ସେବାକୁ ନେଇ ଯାତ୍ରୀମାନଙ୍କଠାରୁ ଭଲ ପ୍ରତିକ୍ରିୟା ମିଳିଥାଏ, ତେବେ ଆଗାମୀ ଦିନରେ ଏହା ଅନ୍ୟ ଟ୍ରେନରେ ମଧ୍ୟ ଆରମ୍ଭ ହୋଇପାରିବ ।

ରେଳବାଇ ବୋର୍ଡ ଏହା କହିଛି ଯେ ଅନେକ ଥର ନଜର ଆସିଛି ଯେ ଦୀର୍ଘ ଯାତ୍ରା ସମୟରେ ଶାକାହାରୀ ଖାଦ୍ୟ ଖାଉଥିବା ଯାତ୍ରୀମାନେ ଟ୍ରେନରେ ଆସୁଥିବା ଖାଦ୍ୟକୁ ଖାଇ ପାରନ୍ତି ନାହିଁ। କାରଣ ସେଥିରେ ପିଆଜ ଏବଂ ରସୁଣ ମିଶିଥାଏ। କେତେକ ଯାତ୍ରୀଙ୍କୁ ପାନ୍ଟ୍ରି କାରରୁ ମିଳୁଥିବା ଖାଦ୍ୟର ଶୁଦ୍ଧତା ଉପରେ ସନ୍ଦେହ କରି ଥାଆନ୍ତି। ତେଣୁ ସେମାନେ ସେହି ଖାଦ୍ୟକୁ ଖାଇ ପାରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ଏହି ନୂତନ ସୁବିଧା ଆରମ୍ଭ ହେବା ପରେ ସାତ୍ତ୍ବିକ ଖାଦ୍ୟ ଖାଉଥିବା ଯାତ୍ରୀଙ୍କୁ  ଯାତ୍ରା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ଯଦି ଆପଣ ରେଳବାଇର ଏହି ସୁବିଧା ଅଧୀନରେ ଯାତ୍ରା ସମୟରେ ସାତ୍ତ୍ବିକ ଖାଦ୍ୟ ପାଇବାକୁ ଚାହାଁନ୍ତି, ତେବେ ଆଇଆରସିଟିସିର ଇ-କ୍ୟାଟରିଂ ୱେବସାଇଟ୍ କିମ୍ବା ଟ୍ରାକ ଆପରେ ଖାଦ୍ୟ ବୁକ୍ କରି ପାରିବେ | ଏଥିପାଇଁ ଯାତ୍ରୀଙ୍କୁ ଟ୍ରେନର ଯିବା ସମୟର ଅତି କମରେ ଦୁଇ ଘଣ୍ଟା ପୂର୍ବରୁ ପିଏନଆର ନମ୍ବର ସହିତ ଅର୍ଡର କରିବାକୁ ପଡିବ । ଏହାପରେ ସାତ୍ତ୍ବିକ ଖାଦ୍ୟ ଆପଣଙ୍କ ସିଟ ପାଖରେ ପହଞ୍ଚିଯିବ।

ସମ୍ବନ୍ଧିତ ଖବର